Unknown

 

 

 

 

 

 

 

 

 

 

ବୈଜ୍ଞାନିକ ଦୀପକ

(ଡିଟେକଟିଭ ଉପନ୍ୟାସ)

ଅକ୍ଷୟ କୁମାର

 

–ଏକ–

 

ଏରୋଡ୍ରୋମର ଅପେକ୍ଷାଗୃହର କୋଳାହଳ ଭିତରେ ବେଶ୍ ଲକ୍ଷ୍ୟ କରିହେଉଥିଲା ସେ ବୃଦ୍ଧ ଭଦ୍ରବ୍ୟକ୍ତି ଜଣଙ୍କୁ । ଚେହେରା ତାଙ୍କର ଥିଲା ବେଶ୍ ଆଭିଜାତ୍ୟସୂଚକ । ଦାମୀ ସୁଟ୍, ମୁଣ୍ଡରେ ଫେଲଟ୍, ଆଖିରେ ରୋଲ୍‍ଡ୍ ଫ୍ରେମ୍‍ର ଚଷମା। ମୁହଁର ଦାଢ଼ି ମଝିରେ ମଝିରେ ଗୋଟାଏ ଗୋଟାଏ ଧଳା ପଡ଼ି ଆସିଲାଣି । ବୟସ ଠିକ୍ କେତେ କହି ନହେଲେ ବି ଅନୁମାନ ପଇଁଚାଳିଶ, ଛୟାଳିଶ ଭିତରେ ।

 

ଅପେକ୍ଷାଗାରରେ ଯୁବକ, ଯୁବତୀ, ବୃଦ୍ଧ ବୃଦ୍ଧ ମିଶି ଅନେକ ଥିଲେ—ପ୍ରାୟ ଚାଳିଶ ପଚାଶ ଜଣ ଯାଏ ହେବେ । କାହାରି କାହାରି ହାତରେ ଆଗନ୍ତୁକଙ୍କୁ ଅଭିନନ୍ଦନ ବା ସ୍ୱାଗତ ଜଣାଇବା ପାଇଁ ଥିଲା ଫୁଲର ତୋଡ଼ା । ସେମାନେ ପରସ୍ପର ଭିତରେ ଆଳାପ ଆଲୋଚନାରେ ମୁଖରିତ କରି ଦେଉଥିଲେ ଅପେକ୍ଷା ଗାରଟିକୁ । ବିଭିନ୍ନ ଭାଷା, ଶୈଳୀ, ସ୍ୱରରେ ମିଶାମିଶି ହୋଇ ଯେଉଁ ଅଦ୍ଭୁତ ମିଳିତ ସ୍ୱର ବାହାରୁଥିଲା, ତାହା ବାହାରକୁ ଶୁଣାଯାଉଥିଲା ଆହୁରି ଅଦ୍ଭୁତ ପ୍ରକାରର-। ତଥାପି, ସମସ୍ତେ ଆଳାପ ଆଲୋଚନାରେ ମଗ୍ନ ଥିଲେ ସୁଦ୍ଧା ସମସ୍ତଙ୍କର କାନ ଥିଲା ଘୋଷଣାକାରୀ ମାଇକ୍‍ର ଘୋଷଣା ପ୍ରତି । ନିୟୁୟର୍କ ଆଗତ ଏରୋପ୍ଲେନ୍ ଆସିବାକୁ ଆହୁରି ଅଧଘଣ୍ଟାଏ ବାକି । ଏବେ ବି ଅପେକ୍ଷାକାରୀଙ୍କ ସଂଖ୍ୟା ବଢ଼ୁଚି । ବାହାରେ କାର୍, ରିକ୍ସା, ଟ୍ୟାକ୍‍ସି, ମୋଟର ସାଇକେଲର ଭିଡ଼ ।

 

ଉପରବର୍ଣ୍ଣିତ ବୃଦ୍ଧ କିନ୍ତୁ ଥିଲେ ଏ ସବୁରୁ ସ୍ୱତନ୍ତ୍ର । ହାତରେ ନ ଥିଲା ଫୁଲର ତୋଡ଼ା କି ସେ କାହାରି ସହିତ କଥା ବାର୍ତ୍ତାରେ ଯୋଗ ଦେଉ ନଥିଲେ । ଭିତର ପଟ ବାରଣ୍ଡା ଧୀରେ ଧୀରେ ଟହଲୁଥିଲେ ସେ ହାତରେ ରୂପାବେଣ୍ଟ ଶିଙ୍ଗ ବାଡ଼ିଟି ଧରି । ତାଙ୍କର ଜୋତାର ଶବ୍ଦ କୋଳାହଳ ଭିଡ଼ ବିଶିଷ୍ଟ ସ୍ଥାନ ଅଧିକାର କରି ପାରୁ ନ ଥିଲା ଯଦିଓ, ତଥାପି ଭାବରେ ଆଲୋଡ଼ନ ଆଣୁଥିଲା ସ୍ଥାନୀୟ ଭାବରେ । ବେଳେରେ ସେ କେବଳ ହାତଘଣ୍ଟାକୁ ଚାହୁଁଥିଲେ ଆଉ ଝରକାରେ ଅପେକ୍ଷାଗାର ଭିତରୁ ତୀକ୍ଷଣ୍ ଭାବରେ ପ୍ରତ୍ୟେକ ଲୋକଙ୍କୁ ପର କରୁଥିଲେ ନିଜର କଳାଚଷମାର ଅନ୍ତରାଳରୁ ।

 

ପ୍ଲେନ୍ ଆସିବାକୁ ଆଉ ଦଶମିନିଟ ବାକି । ଘୋଷଣା ମାଇକ୍ ଗର୍ଜିଉଠି ସତର୍କ କରାଇଦେଲା । ଏଥିରେ ଖାଲି ମାଣ ଅଗନ୍ତୁକମାନେ ନୁହନ୍ତି, ବିମାନଘାଟିର ପ୍ରତ୍ୟେକ କର୍ମଚାରୀ ମଧ୍ୟ ତତ୍ପର ହୋଇଉଠିଲେ । ଅପେକ୍ଷାକାରୀମାନେ ନିଜ ନିଜର ପ୍ରିୟଜନଙ୍କର ଦର୍ଶନ ଆଶାରେ ଆସି ରୁଣ୍ଡ ହୋଇଗଲେ ବାହାର ପଟ ବାରଣ୍ଡାରେ । ଘଣ୍ଟାର କଣ୍ଟା ସେକେଣ୍ଡ ସେକେଣ୍ଡ ମିନିଟ୍ ମିନିଟ୍ କରି ଆଗେଇ ଯାଉଥିଲା । ତା'ସାଙ୍ଗରେ ଏରୋପ୍ଲେନ୍‍ର ଆସି ପହଞ୍ଚିବା ସମୟ ପାଖେଇ ଆସୁଥିଲା, ଅପେକ୍ଷାକାରୀମାନଙ୍କ ବ୍ୟଗ୍ରତା ବଢ଼ି ଉଠିଥିଲା କ୍ରମେ କ୍ରମେ କଣ୍ଟ୍ରୋଲ ରୁମ୍ ରେ ବେତାର ଅପରେଟର ବେତାର ସଂଯୋଗ ସ୍ଥାପନ କରିବାକୁ ଚେଷ୍ଟା କରୁଥିଲେ ଆସୁଥିବା ଜାହାଜର ଚାଳକ ସହିତ ।

 

ଚାହୁଁ ଚାହୁଁ ମେଘମୁକ୍ତ ଆକାଶର ଗୋଟାଏ କୋଣରେ ଅତି ଛୋଟ ପକ୍ଷୀଟି ପରି ଦେଖାଦେଲା ଜାହାଜଟା । ଘୋଷଣାକାରୀ ମାଇକ୍ ସାହାଯ୍ୟରେ ସୂଚାଇଦେଲେ ଜାହାଜ ଆସିବା ବିଷୟ । ଅପେକ୍ଷାକାରୀମାନେ ବାରଣ୍ଡାରୁ ଓହ୍ଲାଇପଡ଼ି ଗ୍ରାଉଣ୍ଡଆଡ଼କୁ ଯିବାକୁ ପ୍ରସ୍ତୁତ ହେଲେ । ଆଉ ମାତ୍ର କେତୋଟି ମିନିଟ୍ । ତା’ପରେ ଦୀର୍ଘ ପ୍ରତୀକ୍ଷିତ ବ୍ୟକ୍ତିଙ୍କ ସାକ୍ଷାତ ମିଳିବ ଏଇଠି ।

 

ହଠାତ ସମସ୍ତଙ୍କର ବ୍ୟଗ୍ରତା ଆଉ ଭାବନାକୁ ଭାଙ୍ଗି ବୋଇଂଜେଟ୍ ବିମାନଟା ତା'ର ବିରାଟ ଦେହଟାକୁ ଘେନି ଅବତରଣ କଲା ବିମାନଘାଟି ପଡ଼ିଆରେ । ପକ୍କା ଚଟାଣ ଉପରେ କେତେଥର ଘୁରି ଆସିବା ପରେ ତା'ର ଗତି କ୍ରମଶଃ ଶିଥିଳ ହୋଇଆସିଲା । ଅପେକ୍ଷାଗାରର ସାମନାସାମନି ଅଟକିଗଲା ସେଟା । ସଙ୍ଗେ ସଙ୍ଗେ ଖଲାସୀମାନେ ସିଡ଼ିଟାଏ ଠେଲି ଠେଲି ନେଇ ଲଗାଇଦେଲେ ବିମାନର ଦରଜା ସଂଲଗ୍ନ କରି । ସର୍ବପ୍ରଥମେ ପାଇଲଟ ଏବଂ ତା'ପରେ ପରେ ଅନ୍ୟାନ୍ୟ ଯାତ୍ରୀମାନେ ଓହ୍ଲାଇ ଆସିଲେ ଜଣ ଜଣ କରି ତା’ଭିତରୁ । ତଳେ ପାଦ ଦେଲାମାତ୍ରେ ପ୍ରିୟପରିଜନମାନେ କୋଳାଗ୍ରତ କରି ପାଛୋଟି ନେଉଥା’ନ୍ତି । ଅଭିନନ୍ଦନ ଜଣାଇ କେହି ବା କାହାକୁ ଫୁଲତୋଡ଼ା ଉପହାର ଦେଉଥାଏ । ଏହିପରି ନାନା ଅଭିନୟ ଅଭିନୀତ ହେଉଥିଲା ସେଠି-। କିନ୍ତୁ ପୂର୍ବର ସେଇ ଭଦ୍ରଲୋକ ଜଣକ ସ୍ଥିରଭାବରେ ଠିଆ ହୋଇଥିଲେ ଗୋଟାଏ ସ୍ଥାନରେ-। ଦୃଷ୍ଟି ଅବଶ୍ୟ ଥିଲା ତାଙ୍କର ସିଡ଼ିଦେଇ ଓହ୍ଲାଉଥିବା ଯାତ୍ରୀମାନଙ୍କ ଉପରେ । ମାତ୍ର ବିଚଳିତ ଭାବ ତାଙ୍କଠାରେ ଲକ୍ଷ୍ୟ କରି ହେଉ ନ ଥିଲା ଆଦୌ ।

 

ହଠାତ୍ ବୃଦ୍ଧଙ୍କର ମୁଖ ସାମାନ୍ୟ ଉଜ୍ୱଳ ହୋଇଉଠିଲା । ଦୃଷ୍ଟି ତାଙ୍କର ଏକାନ୍ତଭାବରେ ନିବଦ୍ଧ ଥିଲା ସିଡ଼ି ଉପରେ ଓହ୍ଲାଇ ଆସୁଥିବା ଯୁବକଙ୍କ ଉପରେ ।

 

—ସେ ଥିଲେ ଜଣେ ପ୍ରିୟଦର୍ଶନ ଯୁବକ । ହାତରେ ଥିଲା ତାଙ୍କର ଖଣ୍ଡିଏ ଏୟାରବ୍ୟାଗ ମାତ୍ର । ଦେହର ପରିଧାନ ମୂଲ୍ୟବାନ ପୋଷାକ ଆଭିଜାତ୍ୟ, ମାର୍ଜିତ ରୁଚି ଓ ଆର୍ଥିକ ସ୍ୱଚ୍ଛଳତାର ପରିଚୟ ଦେଉଥିଲା । ତାଙ୍କ ମୁହଁରେ ଲାଗି ରହିଥିଲା ଏକ ଜନବିମୋହନକାରୀ ମୃଦୁ ହସ । ଯୁବକଙ୍କର ଦୃଷ୍ଟି ଅପେକ୍ଷାକାରୀ ବୃଦ୍ଧଙ୍କ ଉପରେ ପଡ଼ିବାମାତ୍ରେ ତାଙ୍କର ଗତି ପୂର୍ବାପେକ୍ଷା ଟିକିଏ ଅଧିକ ହୋଇଗଲା । ସେ ଓହ୍ଲାଇଆସି ବୃଦ୍ଧଙ୍କ ନିକଟରେ ପହଞ୍ଚିଲାମାତ୍ରେ ବୃଦ୍ଧ ଦୁଇ ହସ୍ତ ପ୍ରସାରିତ କରି ଗାଢ଼ଭାବରେ ତାଙ୍କୁ ଆଲିଙ୍ଗନ କରି ପକାଇଲେ । କିନ୍ତୁ ଆଶ୍ଚର୍ଯ୍ୟ ! ଭାଷା ନ ଥିଲା କାହାରି ମୁହଁରେ । ଦୁହେଁ ଥିଲେ ନୀରବ । ମାତ୍ର କେତୋଟି ମୁହୂର୍ତ୍ତରେ ଆବେଶତା କଟିଗଲା ପରେ ଦୁହେଁ ଧୀରେ ଧୀରେ ଚାଲିଆସିଲେ ବାହାରକୁ । ବୃଦ୍ଧ ଗୋଟିଏ ଦୀର୍ଘ ଲିମୋସିନ୍ କାର୍‍ର ଦରଜା ଖୋଲି ଚାଳକ ଆସନରେ ବସି ଗାଡ଼ିରେ ଷ୍ଟାର୍ଟ ଦେଲେ । ଇତ୍ୟବସରରେ ଯୁବକ ପଛ ସିଟର୍ ଦରଜା ଖୋଲି ବସି ସାରିଥିଲେ ଭିତରେ । ବୃଦ୍ଧ ଷ୍ଟିଅରିଂ ମୋଡ଼ିବା ସଙ୍ଗେ ସଙ୍ଗେ ଗାଡ଼ି ଆଗେ ଚାଲିଲା ମନ୍ଥର ଗତିରେ । ତା'ପରେ ଦ୍ରୁତରୁ ଦ୍ରୁତତର ହୋଇ ଅଦୃଶ୍ୟ ହୋଇଗଲା ଗହଳି ଭିତରେ ।

 

ବେଶି ଦୂର ନୁହେଁ । ପ୍ରାୟ ମାଇଲିଏ ଖଣ୍ଡେ ଗଲାପରେ ଗୋଟାଏ ବିରାଟ ପ୍ରସାଦ ସମ୍ମୁଖରେ ଅଟକିଗଲା କାର୍‍ଟା । ଆଗରେ ଫାଟକ ବନ୍ଦ । ଫାଟକରେ ଗୋଟାଏ ବଡ଼ ସିଲ୍‍ଭର ପ୍ଲେଟ୍ । ସେଥିରେ ପରିଷ୍କାର ଅକ୍ଷରରେ ଲେଖା ହୋଇଛି । ‘‘ଡକ୍‍ଟର ଶିବଶେଖର ସାହା, ସାଇଣ୍ଟିଷ୍ଟ୍’’ । ଫାଟକ ପାଖରୁ ପ୍ରାସାଦର ପ୍ରଧାନ ପ୍ରବେଶ ପଥ ପର୍ଯ୍ୟନ୍ତ ଦୂରତା ଖୁବ୍ ବେଶି ନୁହେଁ ଯଦିଓ, ତଥାପି ତାହା ସୁନ୍ଦର ସୁନ୍ଦର ଦେଶୀବିଦେଶୀ ଫୁଲ ଗଛରେ ପରିପୂର୍ଣ୍ଣ ।

 

ଫାଟକ ନିକଟରେ ଗାଡ଼ି ରହିବାର ଶବ୍ଦ ଶୁଣି ବଗିଚାର ମାଳି ଧାଇଁଆସି ସମ୍ଭ୍ରମତାର ସହିତ ଶିକୁଳି ଫିଟାଇଦେଲା । କାର୍‍ଟା ସିଧା ଯାଇ ଅଟକିଗଲା ପ୍ରଧାନ ପ୍ରବେଶଦ୍ୱାରା ନିକଟରେ । ସର୍ବ ପ୍ରଥମେ ପଛ ସିଟ୍‍ରୁ ଯୁବକ ଦରଜା ଖୋଲି ବାହାରି ଆସିଲେ । ତା'ପରେ ବୃଦ୍ଧ । ଦରଜା ଖୋଲା ଥିଲା । ଦୁହେଁ ଭିତରେ ପ୍ରବେଶ କରିବାମାତ୍ରେ ଦରଜାଟା ବନ୍ଦ ହୋଇଗଲା ଆପେ ଆପେ-

 

ଭିତରେ ଗୋଟିଏ ସୁରୁଚିପୂର୍ଣ୍ଣ ଡ୍ରଇଂରୁମ୍ । ଗୋଟାଏ ସୋଫା ଉପରେ ବସିପଡ଼ି ଯୁବକ ବୃଦ୍ଧଙ୍କୁ ଏବଂ ବୃଦ୍ଧ ଯୁବକଙ୍କୁ ଚାହିଁ ହସି ଉଠିଲେ ଖୁବ୍ ଉଚ୍ଚ ସ୍ୱରରେ । ତା’ପରେ ବୃଦ୍ଧ ନିଜର ଟୋପି, ଦାଢ଼ି ପ୍ରଭୃତି ସବୁ ଛଦ୍ମବେଶ ବାହାର କରିପକାଇଲେ ଗୋଟି ଗୋଟି କରି । ଏଥର ବୃଦ୍ଧ ବଦଳରେ ତାଙ୍କ ସ୍ଥାନରେ ଦେଖାଗଲେ ବେଶ୍ ସୁଦର୍ଶନ ଜଣେ ଯୁବକ । ଉଡ଼ାଜାହାଜରେ ଆସିଥିବା ଯୁବକ ଜଣକ ସପ୍ରଶଂସ ଦୃଷ୍ଟିରେ ଅନ୍ୟଜଣକୁ ଚାହିଁ ହସି ହସି କହିଲେ, ‘‘ବାସ୍ତବିକ ରୂପକ, ତୋର ଛଦ୍ମବେଶ ଏଡ଼େ ନିଖୁଣ ହୋଇଥିଲା ଯେ, ମୋ ଆଖିରେ ବି ଧରାପଡ଼ିବା ସହଜ ହେଲା ନାହିଁ । ମୁଁ ତ ଭାବିଲି—ତୋର ଆସିବା ଡେରି ହୋଇଯାଇଛି ବୋଲି । କିନ୍ତୁ ତୋର ସେଇ ଯେଉଁ କଳା ଚଷମାଟା ନା, ସେଇଟା ତୋତେ ଧରାପକାଇଦେଲା ।’‘

 

‘‘ସତେ ? କଳା ଚଷମାଟା କିପରି ଧରାପକାଇଲା, କହିଲ ?’’ ଅନ୍ୟ ଯୁବକଟି କୌତୁକ କରିବାଭଙ୍ଗୀରେ ପ୍ରଶ୍ନ କଲା ।

 

—‘‘ଜାଣିନୁ ? ସେଇ କଳାଚଷମା ତୁ ଆଉ କେଉଁଠି ହେଲେ ପାଇବୁ ନାହିଁ । ମୁଁ ସେଟା ଲଣ୍ଡନର ଜଣେ ଚଷମା ବିଶେଷଜ୍ଞଙ୍କଠାରୁ ସ୍ୱତନ୍ତ୍ର ଭାବରେ ବରାଦ ଦେଇ କରାଇଥିଲି । ସେଟା ମୁଁ ଖୁବ୍ ଶୀଘ୍ର ଚିହ୍ନିପାରିବି । ତୋ ଆଖିରେ ଚଷମାଟା ଦେଖି ଚିହ୍ନିବାରେ କଷ୍ଟ ହେଲା ନାହିଁ ଯେ ସେଟା ମୋର ବୋଲି । ତା’ପରେ ତୋ’ଛଡ଼ା ମୋ ଚଷମା ବା ଆଉ କିଏ ବ୍ୟବହାର କରିବାର ସୁଯୋଗ ପାଇବ ?

 

ପୁଣି ଥରେ ହସି ହସି ଲୋଟିଗଲେ ଦୁହେଁ । କିଛି ସମୟ ପରେ ଦୀପକ କହିଲା–‘‘ଆଚ୍ଛା, କହ ଏଥର ସବୁ ଏଠିକାର ହାଲଚାଲ ।’‘

 

—ସବୁ ଭଲ । ଜନାବ ଅସ୍‍ଗର ଅଲ୍ଲୀ ଖାଁ ଗତ ସପ୍ତାହରୁ ଆସିଗଲେଣି । ତେବେ ତାଙ୍କର ଆସ୍ଥାନଟା କେଉଁଠି, ତାହା ଠିକ୍ ଭାବରେ ମୁଁ ଜାଣିପାରିନାହିଁ ।’‘

—‘‘କିନ୍ତୁ ମୁଁ ନିଉୟର୍କରୁ ତାଙ୍କର ଆସ୍ଥାନଟା କେଉଁଠି ହେବ, ତାହା ଜାଣିନେଇଛି । ଖାଲି ସେ ତ ନୁହେଁ; ଅସରର ଅଲ୍ଲୀ ଖାଁ, ଚୁନି ମଜୁମଦାର, ଭଗବତ୍ ଦୟାଲ, ଏ ତିନିଜଣଯାକ ଅନ୍ତର୍ଘାତୀ ବୈଜ୍ଞାନିକ ବର୍ତ୍ତମାନ ପାକିସ୍ଥାନ ପକ୍ଷରେ ରହି ଘୋର ଷଡ଼ଯନ୍ତ୍ର କରୁଚନ୍ତି ଭାରତ ବିରୁଦ୍ଧରେ । ଆମ ଦେଶଟାକୁ ଛାରଖାର କରିଦେବାହିଁ ସେମାନଙ୍କର ଉଦ୍ଦେଶ୍ୟ । ସେଥିପାଇଁ ଇମିତି ଗୋଟେ ସ୍ଥାନରେ ଆସ୍ଥାନ ମାଡ଼ି ବସିଚନ୍ତି ଯେ, ତାଙ୍କୁ ଧରିବା କଷ୍ଟ ।’’

‘‘କ’ଣ ହେବ ତା’ ହେଲେ ?’’

‘‘ସବୁ ହେବ, ଯାହା ହେବାର କଥା ! ତେବେ ଧୀରେ ଧୀରେ । ଜନାବ ଅସଗର ସିନା ବୈଜ୍ଞାନିକ; କିନ୍ତୁ ଚୁନି ମଜୁମଦାର ଆଉ ଭଗବତ୍ ଦୟାଲ, ଏ ଦୁହେଁ ପକ୍‍କା ଦଲାଲ । ସେ ଦୁହେଁ ଲୁଚିଛପି ରହିବା ଲୋକେ ନୁହନ୍ତି । ବଳେ ବାହାରକୁ ରୂପ ଦେଖାଇଦେବେ । ଘଟଣା ଏଥର କଣ ହେଉଚି, ତୁ ଦେଖ୍ ।’’

‘‘ଆଚ୍ଛା, ଆମେ ସେ ବିଷୟରେ କଥାବାର୍ତ୍ତା ହେବା । ତୁମେ କିଛି ଖାଇନା ଯେ ଏପର୍ଯ୍ୟନ୍ତ !’’ ରୂପକ ଚମକିଲା ପରି ହୋଇ କହିଲା ।

‘‘ଆରେ, ସତେ ତ ! ମୋତେ ବି ଭୋକ ହେଲାଣି ।’’

ଦୁହେଁ ଉଠିଗଲେ ଭିତରକୁ ।

 

–ଦୁଇ–

 

ଭାରତ, ବର୍ମା, ପାକିସ୍ଥାନ ସୀମାନ୍ତ । ସୀମାନ୍ତସ୍ପର୍ଶୀ ପ୍ରତ୍ୟେକ ଦେଶ ପକ୍ଷରେ ଖୁବ୍ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଏଇଟା । ବିଶେଷତଃ ସେ ସମୟରେ ଭାରତ ପକ୍ଷରେ ସ୍ଥାନଟାର ଗୁରୁତ୍ୱ ଥିଲା ଅଧିକ । କାରଣ ଭାରତରେ ସେତେବେଳେ ପାକିସ୍ଥାନୀ ଅନ୍ତର୍ଘାତୀମାନଙ୍କର କାର୍ଯ୍ୟକଳାପ ଥିଲା ବିପଦ୍ ଜନକ । ଏଣେ ସେମାନଙ୍କୁ ପ୍ରତି କ୍ଷେତ୍ରରେ ସାହାଯ୍ୟ କରୁଥିଲେ କେତେଜଣ ବିଦ୍ରୋହୀ ନାଗା ଏବଂ ମିଜୋ ଜାତିର ଲୋକ । କହିବାକୁ ଗଲେ ଏଇ ପାକିସ୍ଥାନୀ ଦଲାଲମାନେ ହିଁ ନାଗା ଏବଂ ମିଜୋଜାତିର ଲୋକମାନଙ୍କୁ ବିଦ୍ରୋହ ଏବଂ ଅନ୍ତର୍ଘାତୀ କାର୍ଯ୍ୟ କରିବାକୁ ପରାମର୍ଶ, ସମସ୍ତ ପ୍ରକାର ସାହାଯ୍ୟ ଏବଂ ସୁଚିନ୍ତିତ ଯୋଜନା ଦେଉଥିଲେ ।

 

ବ୍ୟବସ୍ଥା ଯଥାସମ୍ଭବ ଅବଶ୍ୟ କରାଯାଉଥିଲା । କିନ୍ତୁ ଅନ୍ତର୍ଘାତୀଙ୍କ ପ୍ରତି କି ସାବଧାନତା ବା ଅବଲମ୍ବନ କରାଯାଇପାରେ ? ନିଜ ଦେଶକୁ ଧ୍ୱଂସ କରିବାପାଇଁ ଯେଉଁ ନାଗା ଓ ମିଜୋମାନେ ଷଡ଼ଯନ୍ତ୍ର କରୁଥିଲେ ସେମାନଙ୍କୁ ଚିହ୍ନିବା କଷ୍ଟ ଥିଲା । ଦେଖିବାକୁ ଥିଲେ ସେମାନେ ଶାନ୍ତିପ୍ରିୟ ନାଗରିକ; କିନ୍ତୁ ଅନ୍ତର ଥିଲା ହଳାହଳଠାରୁ ଆହୁରି ବିଷାକ୍ତ । ସିମାନ୍ତର ଶହ ଶହ ମାଇଲ ଦୁର୍ଗମ ଅରଣ୍ୟ । ବିପଦସଙ୍କୁଳ ପାର୍ବତ୍ୟ ପଥ ଭିତର ଦେଇ ସେମାନଙ୍କ ଘାଟି ଜାଗାସବୁ ଖୋଜି ପାଇବା ଥିଲା ସାଧ୍ୟର ବାହାରେ । ବିଶେଷତଃ ପାକିସ୍ଥାନ ସହିତ ସେମାନଙ୍କର ଯୋଗାଯୋଗ ଏପରିକି ଗମନାଗମନର ସୁବିଧା ଥିଲା ବେଶି । ଭାରତ ସହିତ ସେମାନେ ଜାଣିଜାଣି ପ୍ରକାଶ୍ୟ ଯୋଗାଯୋଗର ବ୍ୟବସ୍ଥା କରି ନ ଥିଲେ । କାଳେ ଧରା ପଡ଼ିଯିବେ, ଏ ଆଶଙ୍କା ସବୁବେଳେ ମନରେ ଥିଲା ସେମାନଙ୍କର ।

 

କିଛି ଗୋଟାଏ କାର୍ଯ୍ୟନୁଷ୍ଠାନ କରିବା ଦିଗରେ ଅନେକଗୁଡ଼ିଏ ଅନ୍ତରାୟ ରହିଥିଲା । ସେଥିରୁ ଗୋଟିଏ ହେଲା ଗମନାଗମନର ଅସୁବିଧା । ଘୋର ଅରଣ୍ୟ ଏବଂ ପାର୍ବତ୍ୟ ପଥ ମଧ୍ୟରେ ସୀମାନ୍ତରକ୍ଷୀ ପୋଲିସ କିମ୍ବା ନିରାପତ୍ତା ବାହିନୀ କିମ୍ବା ସୈନ୍ୟବାହିନୀ, କାହାରି ଯିବାର ଉପାୟ ନ ଥିଲା । ଘାଟିଗୁଡ଼ିକ ପୁଣି ସେମାନେ ଏପରି ଗୋପନୀୟ ସ୍ଥାନରେ ନିର୍ମାଣ କରିଥିଲେ ଯେ ତା’ର ସନ୍ଧାନ ପାଇବା କଷ୍ଟକର ଥିଲା । ଦୈବାତ୍ ଯଦି କୌଣସି ଘାଟିର ସନ୍ଧାନ ମିଳୁଥିଲା ତେବେ ସୂଚନା ପାଇଲାମାତ୍ରେ ସେମାନେ ଅଦୃଶ୍ୟ ହୋଇଯାଉଥିଲେ । ଜଙ୍ଗଲ ଭିତରେ ସେମାନଙ୍କୁ ରାସ୍ତାଘାଟ ଏବଂ ଗୋପନୀୟ ସ୍ଥାନଗୁଡ଼ିକ ଭଲଭାବରେ ଜଣାଥିଲା । ଆବଶ୍ୟକ ହେଲା ଗୋପନରେ ସେମାନେ ପଡ଼ୋଶୀ ଶତ୍ରୁ ରାଜ୍ୟକୁ ଚାଲିଯାଉଥିଲେ । ଶତ୍ରୁରାଜ୍ୟ ସେମାନଙ୍କୁ ସବୁବେଳେ ସ୍ୱାଗତ ଜଣାଉଥିଲା ଏବଂ ଆବଶ୍ୟକ ସମୟରେ ମାରଣାସ୍ତ୍ର, ଯାନବାହନ ପ୍ରଭୃତି ମଧ୍ୟ ଯୋଗାଇ ଦେଉଥିଲା । ଏହିସବୁ କାରଣରୁ ବିଦ୍ରୋହୀମାନଙ୍କୁ ଧରିବା ବଡ଼ କଠିନ ହୋଇପଡ଼ିଥିଲା-

 

ବିଦ୍ରୋହୀ ଏବଂ ଅନ୍ତର୍ଘାତୀମାନଙ୍କର କାର୍ଯ୍ୟକଳାପ ଥିଲା ବଡ଼ ବିଚିତ୍ର ପ୍ରକାରର । ନିଜ ନିଜ ଘାଟିରେ ଲୁଚିଛପି ଥାଇ ସେମାନେ ହଠାତ୍ ସୀମାନ୍ତ ନିକଟବର୍ତ୍ତୀ ଗ୍ରାମମାନଙ୍କ ଉପରେ ଚଢ଼ାଉ କରୁଥିଲେ । ଧନସମ୍ପତ୍ତି, ଖାଦ୍ୟଶସ୍ୟ, ଗୃହପାଳିତ ପଶୁ ପ୍ରଭୃତି ଯାହା ପାଉଥିଲେ ତାହା ହରଣଚାଳ କରି ନେଉଥିଲେ । ଅନ୍ତର୍ଘାତୀ କାର୍ଯ୍ୟ ଫଳରେ ସ୍ଥାନେ ସ୍ଥାନେ ରେଳପୋଲ, ସାଧାରଣ ଶିକ୍ଷା ଓ ସେବାନୁଷ୍ଠାନ, ପରିବହନ ବ୍ୟବସ୍ଥା ଅକାମୀ କରି ଦିଆଯାଉଥିଲା । ଫଳରେ ସାଧାରଣ ଜୀବନଯାପନରେ ଘୋର ଅସୁବିଧା ସୃଷ୍ଟି ହେଉଥିଲା । ତା'ର ପ୍ରତିରୋଧ କରିବା ଦିଗରେ ସରକାରୀ ଭାବରେ ସକଳ ଉଦ୍ୟମ ଅବଶ୍ୟ ହେଉଥିଲା। କିନ୍ତୁ ଉପରୋକ୍ତ ଅସୁବିଧା କାରଣରୁ ସେଥିରେ ବିଶେଷ ସୁଫଳ ଫଳୁ ନ ଥିଲା ।

 

ସୀମାନ୍ତ ଅଞ୍ଚଳର ସୁରକ୍ଷା ନିମନ୍ତେ ସରକାରୀଭାବରେ ବହୁତ ଗୁଡ଼ିଏ ସୀମନ୍ତରକ୍ଷୀ ପୋଲିସ ଘାଟି ନିର୍ମିତ ହୋଇଥିଲା। ଶୁଶିକ୍ଷିତ ସଶସ୍ତ୍ର ପୋଲିସ ବାହିନୀ ସେଠାରେ ମୁତୟନ କରାଯାଇଥିଲେ । ତଥାପି ସମୟ ସମୟରେ ସୀମାନ୍ତରକ୍ଷୀ ପୋଲିସ୍‍ବାହିନୀ ସହିତ ବିଦ୍ରୋହୀମାନଙ୍କର ମୁହାଁମୁହିଁ ସଂଘର୍ଷ ହୋଇଯାଉଥିଲା । ଉଭୟ ପକ୍ଷରୁ ବହୁ ହତାହତ ହେଉଥିଲେ । ମାତ୍ର ବିଦ୍ରୋହର ଅବସାନ ସେତିକିରେ ହେଉ ନ ଥିଲା ।

 

ଲକ୍ଷ୍ମୀପୁର ସୀମାନ୍ତ ଅଞ୍ଚଳର ଗୋଟିଏ ସମୃଦ୍ଧିଶାଳୀ ଗ୍ରାମ; ଗୋଟିଏ ଛୋଟକାଟର ସହର କହିଲେ ଅବଶ୍ୟ ଭୁଲ ହେବ ନାହିଁ । ଗ୍ରାମର ଆକାର ବିଶାଳ । ଅଧିବାସୀମାନଙ୍କର ଜୀବିକାର୍ଜନର ପନ୍ଥା ହେଉଛି କୃଷି, ନ ହେଲେ ବ୍ୟବସାୟ । ସୀମାନ୍ତ ଅଞ୍ଚଳର ଦଶମାଇଲ ଭିତରେ ଏ ସ୍ଥାନଟା ଗୋଟାଏ ବ୍ୟବସାୟ କେନ୍ଦ୍ର କହିଲେ ଚଳେ । ଗ୍ରାମର ଚତୁର୍ଦ୍ଦିଗରେ ବିସ୍ତୃତ କୃଷିକ୍ଷେତ୍ର । ସବୁ ଋତୁରେ ନାନାପ୍ରକାର ଫସଲରେ କ୍ଷେତ୍ର ପରିପୂର୍ଣ୍ଣ ହୋଇଥାଏ । ଅବଶ୍ୟ ଅଞ୍ଚଳଟା ଜଙ୍ଗଲ ଓ ପର୍ବତମାଳା ବେଷ୍ଟିତ । ତଥାପି ସେଇ ଜଙ୍ଗଲ ଭିତରେ ରାସ୍ତା ଅଛି ବିଭିନ୍ନ ସ୍ଥାନକୁ । ସେ ରାସ୍ତା ପୁଣି ସବୁ ଋତୁରେ ଗମନାଗମନ ଉପଯୋଗୀ ନୁହେଁ, ତଥାପି ଦୂରରୁରାନ୍ତର ଅଧିବାସୀମାନେ ମଇଁଷି ଶଗଡ଼ରେ ସେ ରାସ୍ତାରେ ଯା’ଆସ କରନ୍ତି । ବିପଦର ସମ୍ଭାବନା ମଧ୍ୟ ଥାଏ ସବୁ ସମୟରେ । ଗୋଟିଏ ଦିଗରେ ପର୍ବତମାଳା ଅତିକ୍ରମ କଲେ ପାକିସ୍ଥାନ, ଅନ୍ୟ ଦିଗରେ ବର୍ମା, ଆଉ ଦୁଇଦିଗ ହିନ୍ଦୁସ୍ଥାନ ଅନ୍ତର୍ଭୁକ୍ତ। ଲକ୍ଷ୍ମୀପୁର ଅଞ୍ଚଳଟା ପୂରାପୂରି ହିନ୍ଦୁସ୍ଥାନର ।

 

କେତେବର୍ଷ ପୂର୍ବେ ଲକ୍ଷ୍ମୀପୁର ଅଞ୍ଚଳଟା ଥିଲା ବେଶ୍ ଶାନ୍ତିପ୍ରଦ ସ୍ଥାନ । ମାତ୍ର ଏଇ ବର୍ଷେ ଦୁଇବର୍ଷ ହେବ ବିଦ୍ରୋହୀମାନଙ୍କର ଉତ୍ପାତରେ ଲକ୍ଷ୍ମୀପୁର ଅଧିବାସୀମାନେ ନିଜ ନିଜର ଧନଜୀବନକୁ ପ୍ରତି ମୁହୂର୍ତ୍ତରେ ବିପନ୍ନ ବୋଲି ମନେ କରନ୍ତି । ଥରେ ଦୁଇଥର ବିଦ୍ରୋହୀମାନେ ଅଚାନକ ଆକ୍ରମଣ କରିଗଲେଣି ମଧ୍ୟ । ମାତ୍ର ପୋଲିସ୍‍ବାହିନୀର ସତର୍କତା ଏବଂ ସ୍ଥାନୀୟ ଅଧିବାସୀଙ୍କର ସହଯୋଗିତା ବଳରେ ତା’ର ତୀବ୍ର ପ୍ରତିରୋଧ କରି ପ୍ରତ୍ୟେକ ଥର ସେମାନଙ୍କୁ ହଟାଇ ଦିଆଯାଉଛି ।

 

ଲକ୍ଷ୍ମୀପୁର ଘାଟି, ଖୁବ୍ ଗୁରତ୍ୱପୂର୍ଣ୍ଣ ଘାଟି ଗୋଟାଏ । ଏଠାରେ ସୀମାନ୍ତ ରକ୍ଷା ଦାୟିତ୍ୱରେ ପ୍ରାୟ ଶହେଜଣ ସଶସ୍ତ୍ର ପୋଲିସ ଅଛନ୍ତି । ସେମାନଙ୍କୁ ସୁଚିନ୍ତିତ ନିର୍ଦ୍ଦେଶ ଦେବାପାଇଁ ଯେଉଁ ନିରାପତ୍ତା ଅଫିସର ଅଛନ୍ତି, ସେ ଚନ୍ଦ୍ରକୁମାର ସିଂହ । ବୟସ ଦୃଷ୍ଟିରୁ ଦେଖିଲେ ସେ ଯୁବକ; କିନ୍ତୁ ବିଚାରବୁଦ୍ଧି ଦିଗରୁ ଦେଖିଲେ ତାଙ୍କଠାରେ ବୃଦ୍ଧଜନୋଚିତ ସୁଚିନ୍ତିତ ଏବଂ ସୂକ୍ଷ୍ମ ବିଚାରଧାରା ଦେଖାଯାଏ । ସୁଚାରୁରୂପେ ନିଜର କର୍ତ୍ତବ୍ୟ ସମ୍ପାଦନ କରିପାରୁଥିବାରୁ ଦୀର୍ଘକାଳ ଅବଧି ସେ ସେଇଠି ଅଛନ୍ତି । ତେଣୁ ସେ ଅଞ୍ଚଳ ସହିତ ସେ ଭଲଭାବରେ ପରିଚିତ ହୋଇଗଲେଣି । ସ୍ଥାନୀୟ ଲୋକମାନଙ୍କ ନିକଟରେ ମଧ୍ୟ ସେ ଭଲରୂପେ ପରିଚିତ । ତାଙ୍କର ଅମାୟିକ ସରଳ ବ୍ୟବହାର ଦ୍ୱାରା ସମସ୍ତଙ୍କୁ ସେ ଆପଣାର କରିପାରିଛନ୍ତି । ମୋଟ ଉପରେ କହିବାକୁ ଗଲେ ସେ ସେଠାରେ ଆଉ ନିରାପତ୍ତା ଅଫିସର ହୋଇନାହାନ୍ତି; ଅଛନ୍ତି ଜଣେ ସ୍ଥାୟୀ ବାସିନ୍ଦା ହିସାବରେ ।

 

ଚନ୍ଦ୍ରକୁମାର ସିଂ ବଳିଷ୍ଠ ଯୁବକ । ସୁନ୍ଦର ସ୍ୱାସ୍ଥ୍ୟ, ଗୋରା ତକ ତକ ଦେହ । ମନରେ ଦମ୍ଭ ଏବଂ ସାହସ ଅସୀମ । ଅସ୍ତ୍ରଶସ୍ତ୍ର ଚାଳନାରେ ଦକ୍ଷତା ମଧ୍ୟ ତଦ୍ରୁପ । ଏଥିପାଇଁ ଅଧିନସ୍ଥ ସିପାହୀମାନଙ୍କୁ ସବୁବେଳେ ସେ ନିଜ ପରି ହେବାକୁ ଦେଖାନ୍ତି। ବିପଦ ଦେଖିଲେ ଆଗେ ବାହାରି ପଡ଼ନ୍ତି । ତାଙ୍କ ହାବଭାବ ଦେଖିଲେ ଜଣାଯାଏ ଯେପରି ଭୟ କ’ଣ ସେ ଜାଣନ୍ତି ନାହିଁ ।

 

ସେଦିନ ଅପରାହ୍ନ ପ୍ରାୟ ପାଞ୍ଚଟା ସମୟ ହେବ । ପାଗଟା ଥିଲା ଖୁବ୍ ପରିଷ୍କାର ଆଉ ଶୁଖିଲା । ଦିନଟା ସାରା ଚନ୍ଦ୍ରକୁମାର ସିଂ ସିମାନ୍ତର ବିଭିନ୍ନ ସ୍ଥାନରେ ଜଗୁଆଳି ଆସ୍ଥାନଗୁଡ଼ା ତନଖି କରି ଖୁବ୍ କ୍ଲାନ୍ତ ହୋଇପଡ଼ିଥିଲେ । ଅପରାହ୍ନରେ ଆଉ କିଛି କାମ ନ ଥିଲା ତାଙ୍କର । ଶାରୀରିକ କ୍ଲାନ୍ତି ସମୟରେ ବସି ରହିବା ବା ଚେଇଁ ଶୋଇବା ବଡ଼ ବିରକ୍ତିକର । ହଠାତ୍ କାହିଁକି ତାଙ୍କର ଇଚ୍ଛା ହେଲା ଥରେ ଗୋରାପୁର ଘାଟି ଆଡ଼େ ଘେରାଏ ବୁଲିଆସିବାକୁ । ସେଠି ଘାଟି ଦାୟିତ୍ୱରେ ଥିବା ଅଫିସର ଚନ୍ଦ୍ରକୁମାରଙ୍କର ବାଲ୍ୟବନ୍ଧୁ । ବହୁତ ଦିନରୁ ଉଭୟଙ୍କ ମଧ୍ୟରେ ସାକ୍ଷାତ ହୋଇନାହିଁ । ଗତଥର ସାକ୍ଷାତ ସମୟରେ ସେ ନିମନ୍ତ୍ରଣ କରିଥିଲେ ଥରେ ତାଙ୍କ ଘାଟି ଆଡ଼େ ଯାଇ ବୁଲିଆସିବାକୁ ।

 

ଗୋରାପୁର ଘାଟି ଲକ୍ଷ୍ମୀପୁର ଭଳି ଗୁରୁତ୍ୱପୂର୍ଣ୍ଣ ଅବଶ୍ୟ ନୁହେଁ । ତଥାପି ତାହା ଛୋଟ ଘାଟିଟିଏ ନୁହେଁ । ଲକ୍ଷ୍ମୀପୁରଠାରୁ ଗୋରାପୁର ପର୍ଯ୍ୟନ୍ତ ରାସ୍ତା ପାର୍ବତ୍ୟ, ଅରଣ୍ୟମୟ ଏବଂ ଦୁର୍ଗମ-। ଦୂରତା ଅବଶ୍ୟ ମୋଟେ ଦଶ ମାଇଲ । ତଥାପି ରାସ୍ତାର ଦୁର୍ଗମତା ହେତୁ ଏତକ ଦୂରତା ଅନେକ ଜଣାଯାଏ । ସେଥିରେ ପୁଣି ରାସ୍ତା ହିଂସ୍ରଜନ୍ତୁସଙ୍କୁଳ । ରାତି କଥା ଛାଡ଼; ଦିନରେ ବି ସେ ରାସ୍ତାରେ ବାଘ ଆଉ ହାତୀର ଉପଦ୍ରବ କଥା ଅନେକ ଥର ସେ ଶୁଣିଛନ୍ତି ।

 

ସେ ଦିନ ଅବଶିଷ୍ଟ ସମୟତକ ଆଳସ୍ୟରେ ବସି ବସି ନ କଟାଇ ସେ ବାହାରିପଡ଼ିଲେ ଗୋରାପୁର ଆଡ଼େ । ରାତି ଆଠଟା ସୁଦ୍ଧା ଫେରିଆସିବେ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ଥିଲା । ସାଙ୍ଗରେ ଆଉ ଜଣେ ଦି’ଜଣଙ୍କୁ ସାଥୀ କରି ନେବା ଏକାନ୍ତ ସାଥୀ କରି ନେବା ଏକାନ୍ତ ପ୍ରୟୋଜନ ଥିଲେ ସୁଦ୍ଧା ଏକୁଟିଆ ଯିବାକୁ ସେ ପସନ୍ଦ କରିଥିଲେ । କେବଳ ନିଜର ରିଭଲ୍‍ଭର୍ ଖଣ୍ଡିକ ପକେଟରେ ପକାଇ ଜିପ୍ ଛୁଟାଇଦେଲେ ଗୋରାପୁର ଅଭିମୁଖରେ ।

 

ଗୋରାପୁର ପର୍ଯ୍ୟନ୍ତ ଦୀର୍ଘ ଦଶ ମାଇଲ ରାସ୍ତାର ଉଠାଣି ପକାଣି ଭିତରେ ଉଭୟ ପଟର ପାର୍ବତ୍ୟ ଦୃଶ୍ୟ ଦେଖୁ ଦେଖୁ ଚନ୍ଦ୍ରକୁମାର ସିଂ କେତେବେଳେ ଯେ ଠିକଣା ଜାଗାରେ ପହଞ୍ଚିଗଲେ ତାହା ଜଣାପଡ଼ିଲା ନାହିଁ ତାଙ୍କୁ । ସେଠାରେ ଗୋରାପୁର ଘାଟିର ଭାରପ୍ରାପ୍ତ ଅଫିସର ଏବଂ ତାଙ୍କର ପ୍ରିୟବନ୍ଧୁଙ୍କ ସହିତ ଆଳାପ କରୁ କରୁ ସନ୍ଧ୍ୟା ଉତ୍ତୀର୍ଣ୍ଣ ହୋଇଯାଇଥିଲା । ଲକ୍ଷ୍ମୀପୁର ଘାଟିକୁ ଫେରିବା କଥା ତାଙ୍କର ମନକୁ ଛୁଇଁଲାବେଳକୁ ରାତି ପ୍ରାୟ ଆଠଟା ହେବ । ଅନର୍ଥକ ଗୁଡ଼ାଏ ସମୟ ରହିଗଲେଣି ବୋଲି ମନେ ମନେ ପରିତାପ କଲେ ସେ । ରାତି ଆସି ଆଠଟା ହେଲାଣି । ଏତିକିବେଳୁ ଫେରିଲେ ହୁଏତ ଦଶଟା ସୁଦ୍ଧା ସେ ଲକ୍ଷ୍ମୀପୁରରେ ପହଞ୍ଚିପାରନ୍ତି । କିନ୍ତୁ ରାତି ଦଶଟା ବେଳେ ଗୋରାପୁରଠାରୁ ଲକ୍ଷ୍ମୀପୁର ଘାଟି ପର୍ଯ୍ୟନ୍ତ ଯେଉଁ ଦୁର୍ଗମ ରାସ୍ତା, ତାକୁ ଅତିକ୍ରମ କରିବା ମହା ବିପଦ୍ ଜନକ । ସେ କଥା ଭାବିଲାବେଳକୁ ଚନ୍ଦ୍ରକୁମାର ସିଂଙ୍କ ପରି ସାହସୀ ଲୋକର ମଧ୍ୟ ହୃତ୍‍କମ୍ପ ହେଲା । ନିର୍ଜନ ରାସ୍ତା, ରାତି, ପୁଣି ଘୋର ଜଙ୍ଗଲ । ବାଟ ମଝିରେ ଯଦି ବିଦ୍ରୋହୀମାନଙ୍କ ହାବୁଡ଼େ ପଡ଼ିଯାଆନ୍ତି ତ କଥା ସରିଲା ।

 

ଅନ୍ଧକାରମୟ ନିର୍ଜନ ରାତି । ବିଦ୍ରୋହୀମାନଙ୍କ ହାବୁଡ଼ରେ ପଡ଼ିଯିବା ବିଚିତ୍ର କଥା ନୁହେଁ । ଆଗରୁ କେତେଜଣ ଅଫିସର ଏହିପରି ଭାବରେ ଦୁର୍ଘଟଣାରେ ପଡ଼ି ପ୍ରାଣ ହରାଇଛନ୍ତି । ରାତିରେ ଏଠାରେ ରହିଯିବା ମଧ୍ୟ ସମ୍ଭବ ନୁହେଁ । ଘାଟିରେ ତାଙ୍କର ଉପସ୍ଥିତି, ବିଶେଷତଃ ରାତି ସମୟରେ, ତାଙ୍କ ପକ୍ଷରେ ଏକାନ୍ତ ପ୍ରୟୋଜନ । ଲକ୍ଷ୍ମୀପୁର ଗୁରୁତ୍ୱପୂର୍ଣ୍ଣ ଘାଟି । ତା'ର ଚତୁର୍ଦ୍ଦିଗରେ ବିଦ୍ରୋହୀମାନଙ୍କ ଆଡ୍ଡ଼ା । ବିଦ୍ରୋହୀ ଦଳ ତାଙ୍କର ଗତିବିଧି ଉପରେ ସବୁବେଳେ ଯେ ସତର୍କ ଦୃଷ୍ଟି ରଖିଚନ୍ତି । ଆଜି ତାଙ୍କର ଏଠାକୁ ଆସିଥିବା ହୁଏତ ଅବିଦିତ ନ ଥିବ ସେମାନଙ୍କୁ । ଏଇ ସୁଯୋଗ ନେଇ ଯଦି ସେମାନେ ହଠାତ୍ ଲକ୍ଷ୍ମୀପୁର ଉପରେ ଚଢ଼ାଉ କରନ୍ତି ତେବେ ଅବସ୍ଥା ଶୋଚନୀୟ ହୋଇଉଠିବ । ତେଣୁ ଯେକୌଣସି ପ୍ରକାରେ ହେଉ ତାଙ୍କୁ ଆଜି ରାତିରେ ହିଁ ଫେରିଯିବାକୁ ହେବ ଲକ୍ଷ୍ମୀପୁର ।

 

ବନ୍ଧୁଙ୍କର ଶତ ବାରଣ ସତ୍ତ୍ୱେ ସେ ଶୁଭରାତ୍ରି ଜଣାଇ ବିଦାୟ ନେଇ ଆସିଲେ । ଫେରିବା ପାଇଁ ଜିପ୍ ରେ ଷ୍ଟାର୍ଟ ଦେବାପୂର୍ବରୁ ନିଜର ରିଭଲ୍ ଭର୍ ଟା ଠିକ୍ ଅଛି କି ନାହିଁ ଥରେ ପରୀକ୍ଷା କରିନେଲେ । ତା'ପରେ ଜିପ୍ ଛୁଟାଇଦେଲେ ପୁରା ସ୍ପିଡ୍ ରେ ।

 

ଘୋର ପାର୍ବତ୍ୟ ରାସ୍ତା । ସେଥିରେ ପୁରା ସ୍ପୀଡରେ ଜିପ୍ ଚଳାଇଯିବା, ବିଶେଷତଃ ରାତି ସମୟରେ, ବଡ଼ ବିପଦ୍ ଜନକ । କେଉଁଠି ଜିପ୍‍ଟା ତିନି ଚାରି ହାତ ଉଚ୍ଚକୁ ଡେଇଁ ପଡ଼ୁଥାଏ । ପୁଣି କେତେବେଳେ ବା ସାତ ଆଠ ହାତ ଗଭୀରକୁ ଖସି ଆସୁଥାଏ । ଚନ୍ଦ୍ର କୁମାର ସିଂ ପକ୍କା ଡ୍ରାଇଭର୍ । ଷ୍ଟିଅରିଂ ଧରି ଗାଡ଼ିର ଗତି ଏବଂ ବେଗ ନିୟନ୍ତ୍ରଣ କରୁଥାନ୍ତି ସେ ଖୁବ୍ ସତର୍କତାର ସହିତ ।

 

ପ୍ରାୟ ଦୁଇମାଇଲ ଗଲାପରେ ଘଞ୍ଚ ଅରଣ୍ୟର ଆରମ୍ଭ ହୋଇଗଲା । ସୀମାନ୍ତ ଅଞ୍ଚଳର ଏହି ଅରଣ୍ୟ ଭିତରେ ଦିନ ଦି’ପହରରେ ସୁଦ୍ଧା ମହାବଳ ବାଘ ଆଉ ବଣୁଆ ହାତୀ ରାସ୍ତା ଉପରେ ଦେଖାଯାଆନ୍ତି । ସେହି ଅଞ୍ଚଳରେ ପହଁଚିଲା ମାତ୍ରେ ଜିପ୍‍ର ଗତିକୁ ଆହୁରି ଟିକିଏ ବଢ଼ାଇଦେଲେ ଚନ୍ଦ୍ର କୁମାର ସିଂ । ହଠାତ୍ ମେଘର ଘଡ଼ ଘଡ଼ ଗର୍ଜନରେ କାନ ଅତଡ଼ା ପଡ଼ିଗଲା ପରି ଜଣାଗଲା ତାଙ୍କୁ । ମନେ ମନେ ପ୍ରମାଦ ଗଣିଲେ ସେ ଏ ଶବ୍ଦ ଶୁଣିଲା ମାତ୍ରେ । କାରଣ ଏ ଅଞ୍ଚଳରେ ବହୁ ବର୍ଷ ଧରି ବସବାସ କରି ସେ ସ୍ଥାନୀୟ ପ୍ରକୃତି ଏବଂ ଜଳବାୟୁ ସହିତ ଉତ୍ତମରୂପେ ପରିଚିତ । ବିଶେଷତଃ ସୀମାନ୍ତର ପାର୍ବତ୍ୟ ଅଞ୍ଚଳରେ ବର୍ଷାର ସୂଚନା ମିଳିଲା ସଙ୍ଗେ ସଙ୍ଗେ ମୁଷଳଧାରେ ବର୍ଷା ଅଜାଡ଼ି ହୋଇପଡ଼େ । କେତେଘଣ୍ଟା ପାଇଁ ରାସ୍ତାଘାଟ ଉପରେ ପାହାଡ଼ ପର୍ବତର ଗଡ଼ାଣି ପାଣି ଜମିଯାଏ ଆଣ୍ଠୁଏ ବହଳରେ । ତା’ପର କେଇଘଣ୍ଟା ପରେ ପୁଣି ସବୁ ତଳଆଡ଼କୁ ଗଡ଼ିଯାଇ ଶୁଖିଲା ହୋଇଯାଏ । ତଥାପି ବର୍ଷା ହେଲେ ଏଇ କେତେଘଣ୍ଟା ଯେ ଖୁବ୍ ହଇରାଣ ହେବାକୁ ପଡ଼ିବ ଏଥିରେ ଆଉ କିଛି ସନ୍ଦେହ ନ ଥିଲା ତାଙ୍କର । ରାସ୍ତା ମାତ୍ର ଦୁଇମାଇଲ ଅତିକ୍ରମ କରିପାରିଛନ୍ତି ସେ । ଆହୁରି ଆଠ ମାଇଲ ରାସ୍ତା ବାକି । ସେଥିରୁ ଶେଷ ଦୁଇମାଇଲ ବାଦ ଦେଲେ ମଝି ଛଅ ମାଇଲ ଘୋର ଦୁର୍ଗମ ।

 

ତାଙ୍କର ଭାବନା ଶେଷ ହେଇନି । ମୂଷଳଧାରରେ ବର୍ଷା ଅଜାଡ଼ି ହୋଇପଡ଼ିଲା । ଚନ୍ଦ୍ର କୁମାର ସିଂ ମଧ୍ୟ ଜିପ୍ ର ସ୍ପିଡ୍ ଆହୁରି ବଢ଼ାଇଦେଇ ପ୍ରାଣମୂର୍ଚ୍ଛା ଉଦ୍ୟମ କଲେ ରାସ୍ତା ଅଗମ୍ୟ ହୋଇଯିବ ପୂର୍ବରୁ ଏଇ ଛଅ ମାଇଲ କିପରି ଯଦି ଅତିକ୍ରମ କରିପାରନ୍ତେ । କିନ୍ତୁ ଆଗକୁ ଆଗକୁ ବର୍ଷାର ବେଗ କ୍ରମେ ବେଶି ଜଣାଗଲା । ସେ ଦେଖିଲେ, କ୍ରମଶଃ ଆଗକୁ ବର୍ଷ ଅନେକ ସମୟ ପୂର୍ବରୁ ହୋଇଯାଇଛି । ରାସ୍ତାଉପରେ ପାଣି ଜମି ଆସିଲାଣି । ଜଙ୍ଗଲ ଭିତର ଦେଇ ପର୍ବତଉପରୁ ବର୍ଷାପାଣି ଛଳ ଛଳ ହୋଇ ବହିଆସୁଛି । ଗାଡ଼ି ଆଉ ଆଗକୁ ଚଳାଇବାକୁ ଚେଷ୍ଟା କରିବା ଅର୍ଥ ବିପଦକୁ ବରଣ କରିବା ଛଡ଼ା ଆଉ କିଛି ନୁହେଁ । ହୁଏତ ଜିପ୍ କେଉଁଠି ଖାଲରେ ପଡ଼ିଯାଇପାରେ । ତାହାହେଲେ ସାରାରାତି ତାଙ୍କୁ ଅଟକି ରହିବାକୁ ପଡ଼ିବ । ବରଂ ଗୋଟାଏ ଉଚ୍ଚ ଜାଗାରେ ପହଞ୍ଚି ବର୍ଷା ଛାଡ଼ିବା ପର୍ଯ୍ୟନ୍ତ ଅପେକ୍ଷା କରିବା ବିଜ୍ଞତାର କାମ ହେବ ବୋଲି ଭାବି ସେ ଜିପ୍‍ର ସ୍ପିଡ୍ କମାଇ ଦେଲେ ।

 

ବେଶୀ ଦୂର ଯିବାକୁ ପଡ଼ିଲା ନାହିଁ ତାଙ୍କୁ । ଖଣ୍ଡେ ଦୂର ଗଲାପରେ ସେ ଚାହୁଁଥିବା ଭଳି ସ୍ଥାନଟିଏ ପାଇଗଲେ । ସେଇଠି ଜିପ୍ ରେ ବ୍ରେକ୍ ଦେଇ ଦୁଇପଟ ପରଦା ପକାଇ ଦେଲେ ବର୍ଷାଛିଟାରୁ ରକ୍ଷା କରିବା ପାଇଁ ସିଟ୍‍ଗ ଗୁଡ଼ିକୁ । ତା’ପରେ ହିଂସ୍ରଜନ୍ତୁ ଭୟ ତ ଅଛି । ଆପାତତଃ ପରଦାଗୁଡ଼ାକ ପକାଇ ଦେଇଥିଲେ ତାଙ୍କ ଉପରେ ହଠାତ୍ କାହାରି ଦୃଷ୍ଟି ତ ହେଲେ ପଡ଼ିପାରିବ ନାହିଁ । ତା’ପରେ କଣ ଭାବି ଜିପ୍ ର ଲାଇଟ ମଧ୍ୟ ଅଫ୍ କରିଦେଲେ । ଏଣିକି କଳା କିଟି କିଟି ଅନ୍ଧକାର । ଜିପ୍ ଭିତରେ ଏକାକୀ ସେ । ବାହାରେ ମେଘର ତୁମୂଳ ବର୍ଷଣ । ତଳେ ଜିପ୍ ର ଚକା ଅଧପର୍ଯ୍ୟନ୍ତ ପାଣି । ବର୍ଷାର ବେଗ ବଢ଼ୁଛି । ବିଜୁଳିର ଘନ ଘନ ଚମକରେ ଜିପ୍ କାଚବାଟେ ଯେତିକି ଦେଖିହେଉଛି ସେତିକିରୁ ଜଣାପଡ଼ୁଛି ଯେ ବର୍ଷା ପ୍ରବଳଭାବରେ ଚାଲିଛି ବୋଲି ।

 

ପ୍ରାୟ ଅଧଘଣ୍ଟାଏ ପର୍ଯ୍ୟନ୍ତ ବସି ରହିଲା ପରେ ବର୍ଷାର ବେଗ ଟିକିଏ କମିଗଲା । ମାତ୍ର ପାଣି ଆଗପରି ଛଳଛଳ ହେଇ ଗଡ଼ିଚାଲିଥାଏ ତଳକୁ । ସେ ଶବ୍ଦର ସାମାନ୍ୟ ଅସ୍ଵାଭାବିକତା ଶୁଭିଲାପରି ବୋଧହେଲା ତାଙ୍କୁ । ସେଟା କ’ଣ ହୋଇପାରେ ଆଉ, ତାହା ଚିନ୍ତା କରି ହଠାତ୍ କିଛି ସିଦ୍ଧାନ୍ତରେ ପହଞ୍ଚିପାରିଲେ ନାହିଁ ସେ । ମନରେ ଭୟ ବି ହେଲା ଟିକିଏ । ସାମାନ୍ୟ କିଛି ଜନ୍ତୁଜୁନ୍ତା ହୋଇଥିଲେ ଭୟର ବିଶେଷ କିଛି କାରଣ ନାହିଁ ଅବଶ୍ୟ । କିନ୍ତୁ ହାତୀଟାଏ କି ବାଘଟାଏ ହୋଇଥିଲେ ତ କଥା ସରିଲା । ଏଠୁ ପୁଣି ଲକ୍ଷ୍ମୀପୁର ଫେରିବା ଅସମ୍ଭବ । ବରଂ ଗୋରାପୁରଠାରେ ରହିଯାଇଥିଲେ ଭଲ ହୋଇଥାନ୍ତା ।

 

ନାନାପ୍ରକାର ଭାବନା ସତ୍ତ୍ୱେ ବି ସେ ଯେଉଁ ଅସ୍ୱାଭାବିକ ଶବ୍ଦଟା ଶୁଣିପାରିଥିଲେ ସେଇ ଆଡ଼କୁ କାନ ଦେଇଥିଲେ । ଶବ୍ଦଟା କ୍ରମେ ପରିଷ୍କାର ଶୁଣାଯାଉଥିଲା । ପାଣିରେ କେହି ପାଦ ପକାଇ ଆସିବାର ଶବ୍ଦ । ଗୋଟିଏରୁ କ୍ରମେ ଦୁଇ, ତା'ପରେ ତିନି,ଚାରି । ଚନ୍ଦ୍ର କୁମାର ସିଂଙ୍କୁ ବୋଧ ହେଲା ଯେପରି ତାଙ୍କ ଜିପ୍ ର ଚାରିପାଖରେ ହିଁ ସେ ଏ ପ୍ରକାର ଶବ୍ଦ ଶୁଣୁଛନ୍ତି । ଆଉ କଣ କୌଣସି ହିଂସ୍ରଜନ୍ତୁର ଦଳ ଘେରିଗଲେଣି ତାଙ୍କ ଗାଡ଼ିକୁ !

 

ହଠାତ୍ ଚକ୍ ଚକ୍ କରି ଝଲସି ଉଠିଲା ବିଜୁଳି । ଉଜ୍ଜ୍ୱଳ ଆଲୁଅ ବୁଣି ହୋଇଗଲା ଚାରିଆଡ଼େ । ଚନ୍ଦ୍ର କୁମାର ସିଂ ଜିପ୍‍ର କାଚ ଦେଇ ଦେଖିଲେ, ତାଙ୍କ ଜିପ୍ ସାମନାରେ ଦୁଇଟି ମନୁଷ୍ୟମୂର୍ତ୍ତି । ମୁହୂର୍ତ୍ତକ ପାଇଁ ନିଷ୍ପନ୍ଦ ହୋଇଆସିଲା ତାଙ୍କର ଦେହ । ସେ ନିଃସନ୍ଦେହ ରୂପେ ଜାଣିପାରିଲେ ଯେ, ବିଦ୍ରୋହୀ ଦଳ ତାଙ୍କର ଜିପ୍ ଟା ଘେରାଉ କରି ନେଇଛନ୍ତି । ତା'ର ପରିଣାମଟା ଯେ କ’ଣ ହେବ ତାହା ସେ ଭଲଭାବରେ ବୁଝିପାରିଲେ । ତାଙ୍କର ଏଠାକୁ ଆସିବା ସଙ୍ଗେ ସଙ୍ଗେ ଯେ ବିଦ୍ରୋହୀ ଦଳ ତାଙ୍କ ଉପରେ ଦୃଷ୍ଟି ରଖିଛନ୍ତି ଏବଂ ଫେରିଲା ବାଟ ଜଗି ବସିଛନ୍ତି । ଏଥର ଆଉ ଉପାୟ ନାହିଁ । ଚିନ୍ତାର ଅଧିକ୍ୟରେ ତାଙ୍କର କପାଳ ଉପରେ ବିନ୍ଦୁ ବିନ୍ଦୁ ହୋଇ ଝାଳ ଜକେଇ ଉଠିଲା । ମନେମନେ ଭଗବାନଙ୍କୁ ସ୍ମରଣ କରି ପକେଟରୁ ରିଭଲଭର୍ ଖଣ୍ଡିକ ବାହାରକରି ହାତରେ ଧରି ବସିଲେ ।

 

ସେ ବିଦ୍ରୋହୀ ବୋଲି ଯାହା ଅନୁମାନ କରୁଥିଲେ, ସେମାନଙ୍କ ପକ୍ଷରୁ ଆଉ କୌଣସିପ୍ରକାର ଆବାଜ ସେ ପାଇପାରିଲେ ନାହିଁ । ଇତିମଧ୍ୟରେ ବର୍ଷା ସମ୍ପୂର୍ଣ୍ଣ ଛାଡ଼ିଯାଇଥିଲା । ରାସ୍ତା ଉପରୁ ପାଣି ମଧ୍ୟ ନିଗିଡ଼ି ଯାଇଥିଲା । ମନରେ ସାହସ ସଞ୍ଚୟ କରି ଚନ୍ଦ୍ରକୁମାର ସିଂ ଜିପ୍ ର ହେଡ୍ ଲାଇଟ୍ ଜଳାଇ ଷ୍ଟାର୍ଟ ଦେଲେ । ରାସ୍ତାର ସାମନାଟା ବେଶ୍ ପରିଷ୍କାର ଦିଶିଗଲା । କିନ୍ତୁ ଜଣେହେଲେ ମନୁଷ୍ୟ ବା ଆଉ କିଛି ସେ ଦେଖିବାକୁ ପାଇଲେ ନାହିଁ । ମନେ ମନେ ବହୁ ପରିମାଣରେ ଆଶ୍ୱସ୍ତ ହେଲେ ସେ । ମନୁଷ୍ୟ ବୋଲି ଯାହାକୁ ସେ ଦେଖିଲେ ତାହା ତାଙ୍କର ଦେଖିବାର ଭ୍ରମ ବୋଲି ଧାରଣା ଦେଲା ।

 

ଆଶଙ୍କା ମନରୁ କମିଗଲା ସିନା, କିନ୍ତୁ ସମ୍ପୂର୍ଣ୍ଣ ଲୋପ ହେଲା ନାହିଁ । ହିଂସ୍ରଜନ୍ତୁ ଏବଂ ବିଦ୍ରୋହୀ ଭୟଙ୍କର ଭୟ ଥିଲା ପ୍ରତି ମୁହୂର୍ତ୍ତରେ । ଜିପ୍ ଷ୍ଟାର୍ଟ କରି ଖୁବ୍ ଶୀଘ୍ର ସେଠାରୁ ପଳାଇବାକୁ ଚାହୁଁଥିଲେ ସେ । ତେଣୁ ଷ୍ଟାର୍ଟ କଲାମାତ୍ରେ ଖୁବ୍ ସ୍ପିଡ଼ରେ ଆଗେଇବାକୁ ଦେଲେ ଜିପ୍‍କୁ । ଘୋର ଗର୍ଜନ କରି ଗାଡ଼ିଟା ଇଞ୍ଚେ ଦୁଇଇଞ୍ଚ ଆଗକୁ ଚାଲିଲା, ମାତ୍ର ଆଉ ଆଗକୁ ଯାଇପାରିଲା ନାହିଁ । ଚନ୍ଦ୍ର କୁମାର ସିଂଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ପୁଣି ଥରେ ଚେଷ୍ଟା କଲେ ସେ । କୌଣସି ଯାନ୍ତ୍ରିକ ଗୋଳମାଳ ଯୋଗୁ ଏପରି ହୋଇଥିବ ଭାବି ସେ ପୁଣି ଥରେ ଚେଷ୍ଟା କଲେ, କିନ୍ତୁ ବୃଥା; ତାଙ୍କର ଚେଷ୍ଟା ବୃଥା, ଜିପ୍‍ର ଗର୍ଜନ ବି ବୃଥା । ଏତେବେଳେକେ ସେ ଜାଣିପାରିଲେ ଯେ ଜିପ୍ ର ପଛପଟରୁ ଶକ୍ତ ରସିରେ ବେଶ୍ ଦୃଢ଼ଭାବରେ ବାନ୍ଧି ଦିଆଯାଇଛି । ଏହା କୌଣସି ପଶୁର କାମ ନୁହେଁ । ଏଟା ମନୁଷ୍ୟର କାମ । ଏ ନିରାଟ ଜଙ୍ଗଲ ଭିତରେ, ଘୋର ବର୍ଷା, ରାତି ଅନ୍ଧାର, ହିଂସ୍ରଜନ୍ତୁ ଆକ୍ରମଣକୁ ଖାତିର ନ କରି ଯେଉଁ ମନୁଷ୍ୟମାନେ ଏ କାମ କରିଛନ୍ତି ସେମାନେ ବିଦ୍ରୋହୀ ବ୍ୟତୀତ ଆଉ କେହି ନୁହନ୍ତି । ଅଳ୍ପ ସମୟ ପୂର୍ବେ ସେ ଆଶଙ୍କାର ସ୍ୱଳ୍ପତା ଯାହା ବୋଧ କରୁଥିଲେ ବର୍ତ୍ତମାନ ତାହା ବହୁଗୁଣିତ ହୋଇଉଠିଲା । ଏ ଜନ୍ମର ସମାଧାନ ଆଜି ନିଶ୍ଚୟ ଏଇଠି ବୋଲି ସେ ଧରିନେଲେ । କାରଣ ବିଦ୍ରୋହୀମାନଙ୍କର ସବୁ ରାଗ ଠୁଳ ହୋଇଥିଲା ତାଙ୍କରି ଉପରେ । ଖାଲି ଲକ୍ଷ୍ମୀପୁର ପରି ଗୁରୁତ୍ୱପୂର୍ଣ୍ଣ ଘାଟିର ଦାୟିତ୍ୱ ଯେ ତାଙ୍କ ଉପରେ ଥିଲା, ସେତିକି ନୁହେଁ । ସମଗ୍ର ସୀମାନ୍ତର ଘାଟିଗୁଡ଼ିକର ସୁରକ୍ଷା ଓ ନିରାପତ୍ତା ଦିଗରେ ତାଙ୍କୁ ପରାମର୍ଶ ଦେବାକୁ ପଡ଼ୁଥିଲା । ତାଙ୍କ ସୁଚିନ୍ତିତ ଯୋଜନା ଫଳରେ ବିଦ୍ରୋହୀମାନଙ୍କ ତତ୍ପରତା ଆଦୌ ବୃଦ୍ଧି ପାଇଁ ପାରୁ ନଥିଲା । ବରଂ ଦିନକୁ ଦିନ ହ୍ରାସ ହେଉଥିଲା । ଚନ୍ଦ୍ର କୁମାର ସିଂଙ୍କୁ ରାସ୍ତାରୁ ହଟାଇ ଦେଇପାରିଲେ ଗୋଟାଏ ବଡ଼ ବିପଦ ଘୁଞ୍ଚିଯିବ ବୋଲି ବିଦ୍ରୋହୀମାନେ ଚିନ୍ତା କରୁଥିଲେ ଏବଂ ସବୁବେଳେ ସୁଯୋଗ ଖୋଜୁଥିଲେ । ଆଜି ସେ ସୁବର୍ଣ୍ଣ ସୁଯୋଗ ହୁଏତ ମିଳିଯାଇଛି ସେମାନଙ୍କୁ । ୟା'ର ସଦ୍‍ବ୍ୟବହାର ନ କରି କ’ଣ ସେମାନେ ଛାଡ଼ିବେ ?

 

ଜିପ୍ ଭିତରେ ବସି ଏ ଗିଅର ସେ ଗିଅର ବଦଳାଇ ଆଗକୁ ଯିବାର ଅପଚେଷ୍ଟା କରିବା ଅପେକ୍ଷା ବରଂ ଆତ୍ମରକ୍ଷା ପାଇଁ ଅନ୍ୟ ଉପାୟ ଚିନ୍ତା କରିବା ଉଚିତ ଭାବି ସେ ଜିପ୍‍ର ଷ୍ଟାର୍ଟ ବନ୍ଦ କରି ହେଡ୍ ଲାଇଟ୍ ଅଫ୍ କରିଦେଲେ । ବର୍ତ୍ତମାନ ପୂର୍ବର ଯେଉଁ ଅନ୍ଧକାରକୁ ସେଇ ଅନ୍ଧକାର । ଆତ୍ମରକ୍ଷାର ଉପାୟ ମାତ୍ର କେତୋଟି ମୁହୂର୍ତ୍ତ ମଧ୍ୟରେ ସ୍ଥିର କରିଦେଲେ ଚନ୍ଦ୍ର କୁମାର ସିଂ। ରିଭଲଭର୍ ଖଣ୍ଡିକ ହାତରେ ବାଗେଇଧରି ନିଃଶବ୍ଦରେ ସେ ଜିପର୍ ଦରଜ ଖୋଲି ଓହ୍ଲାଇପଡ଼ିଲେ । ଏପରି ବିପଦପୂର୍ଣ୍ଣ ପରିସ୍ଥିତିରେ ଆଉ କେହି ପଡ଼ିଥିଲେ ନିଶ୍ଚୟ ବିଚଳିତ ହୋଇ ହଡ଼ବଡେ଼ଇ ଯିବାର କଥା । ମାତ୍ର ଚନ୍ଦ୍ର କୁମାର ସିଂ ସେପରି ପ୍ରକୃତିର ଲୋକ ନ ଥିଲେ । ତାଙ୍କର ଧୈର୍ଯ୍ୟ ଓ ସାହସ ଥିଲା ଅସୀମ । ଅସାଧାରଣ ପ୍ରତ୍ୟୁତ୍ପନ୍ନମତିସମ୍ପନ୍ନ ଲୋକ ଥିଲେ ସେ ।

 

ଏଡ଼େ ସାବଧାନତା ସହକାରେ ସେ ଜିପ୍ ଭିତରୁ ଓହ୍ଲାଇପଡ଼ିଥିଲେ ଯେ ଟିକିଏ ହେଲେ ଶବ୍ଦ ସୁଦ୍ଧା ହେଲା ନାହିଁ । ଚାରିଆଡ଼େ କିଟିକିଟି ଅନ୍ଧାର । ମୁହଁ ଆଗରେ ହାତ ହଲାଇଲେ ସୁଦ୍ଧା ଦିଶୁନି । ଖୁବ୍ ଚାପି ଚାପି ଅତି ଧୀରେ ଆଗକୁ ପାଦ ପକାଇଲେ ସେ । ସେତେବେଳେ ଜୀବନ ପ୍ରତି ତାଙ୍କର ତିଳେ ହେଲେ ଭରସା ନ ଥିଲା । ହୁଏତ ମାରିବେ ନ ହେଲେ ମରିବେ ଏଇ ସଙ୍କଳ୍ପ ଧରି ସେ ରିଭଲଭର୍ ଟି ସଜାଡ଼ି ଧରି ରାସ୍ତା ଅନୁମାନ କରି ଆଗକୁ ଚାଲିଲେ ।

 

ପାହୁଣ୍ଡେ, ଦୁଇ ପାହୁଣ୍ଡ, ଚାରି, ଆଠ, ଦଶ, କୋଡ଼ିଏ ପାହୁଣ୍ଡ ପର୍ଯ୍ୟନ୍ତ ନିରାପଦରେ ସେ ଚାଲିଯାଇ ପାରିଲେ । ପ୍ରତ୍ୟେକ ପାହୁଣ୍ଡ ନିରାପଦରେ ଅତିକ୍ରମ କରିବା ସଙ୍ଗେ ସଙ୍ଗେ ବିପଦର ସମ୍ଭାବନା ତାଙ୍କ ମନରୁ ଊଣାହେବା ପରି ତାଙ୍କୁ ଜଣାଯାଉଥାଏ । ଏହିପରି ଭାବରେ ବେଶ୍ ଖଣ୍ଡେଦୂର ସେ ଆଗେଇ ଆସିପାରିଲେ । ଦୂରତାର ବ୍ୟବଧାନ ଟିକିଏ ବଢ଼ିଯିବା ଦ୍ୱାରା ତାଙ୍କର ସାହସ ମଧ୍ୟ ବଢ଼ିଗଲା । କ୍ରମେ ସେ କିଛି ବାଟ ଖୁବ୍ ଦ୍ରୁତ ବେଗରେ ଏବଂ ତା'ପରେ ଉର୍ଦ୍ଧ୍ୱଶ୍ୱାସରେ ଛୁଟିବାକୁ ଲାଗିଲେ ଲକ୍ଷ୍ମୀପୁର ଅଭିମୁଖରେ ।

 

ପୋଷାକପତ୍ର ପ୍ରତି ନଜର ନାହିଁ । ସେ ସବୁ କାଦୁଅ ଛିଟା ପଡ଼ି ନିତାନ୍ତ ଅପରିଷ୍କାର ହୋଇଗଲାଣି । ରାସ୍ତାରେ କେତେ ଜାଗା ପଡ଼ି ଆଣ୍ଠୁଗଣ୍ଠି ଖଣ୍ଡିଆ ହୋଇଗଲାଣି । ହିଂସ୍ରଜନ୍ତୁଙ୍କ ପ୍ରତି ତିଳେ ହେଲେ ଦୃଷ୍ଟି ନାହିଁ । ଏତେ ବର୍ଷା, ଥଣ୍ଡାରେ ବି ଦେହରୁ ଗମ୍ ଗମ୍ ଝାଳ ବହି ଜାମାପଟା ଓଦା ଜରଜର ହୋଇଗଲାଣି । ତଥାପି ସେ ଜୀବନମୂର୍ଚ୍ଛା ଧାଇଁଛନ୍ତି ପାଗଳ ପରି ।

 

ଏଣିକି ଆଉ ବର୍ଷା ନାହିଁ । ରାସ୍ତା ଭଲ ଏବଂ ଶୁଖିଲା । ଚନ୍ଦ୍ର କୁମାର ସିଂ ଅନୁମାନ କଲେ ଲକ୍ଷ୍ମୀପୁର ଘାଟି ପ୍ରାୟ ଆଉ ଦୁଇ ମାଇଲ ବାଟ । ମନରେ ଏଥର ଟିକିଏ ସାହସ ହେଲା ତାଙ୍କର । ସେ ଏଥର ଦେହରେ ନୂତନ ବଳ ବିକ୍ରମ ଅନୁଭବ କଲେ। ଗୋଟାଏ ନିଶ୍ଚିତ ମୃତ୍ୟୁ ସଙ୍କଟରୁ ଦୈବାତ୍ ଖସି ଆସିବାରୁ ଭଗବାନଙ୍କୁ ଶତ ଶତ ପ୍ରଣତି ଜଣାଇ ସେ ପୁଣି ଧାଇଁବାକୁ ଲାଗିଲେ। ଯେତେ ନିକଟ ହେଉ ପଛେ, ନିଜ ଘାଟିରେ ନ ପହଞ୍ଚିଲା ପର୍ଯ୍ୟନ୍ତ ନିରାପଦ ନୁହେଁ ।

 

ଲକ୍ଷ୍ମୀପୁର ଆଉ ହୁଏତ ଅଧମାଇଲିଏ ରାସ୍ତା ଅଛି । ଦିନ ହୋଇଥିଲେ ଏଠାକୁ ଲକ୍ଷ୍ମୀପୁର ବଜାର ଦେଖାଯାଉଥାନ୍ତା । ହଠାତ୍ ସେ ବହୁ ଦୂରରେ ଖୁବ୍ ଉଜ୍ଜ୍ଵଳ ଆଲୋକ ଶିଖା ଦେଖିପାରିଲେ । କ୍ରମେ କ୍ରମେ ଉଜ୍ଜ୍ୱଳତା ବଢ଼ି ଉଠିଲା । ଘଟଣାଟା କ’ଣ ଚିନ୍ତା କରୁ କରୁ ସେହିପରି ଆଉ କେତୋଟି ଅଗ୍ନିଶିଖା ଦାଉ ଦାଉ ହୋଇ ଦିଶିଗଲା । ତା'ପର ପର ବହୁତଗୁଡ଼ାଏ-। ଚନ୍ଦ୍ରକୁମାର ସିଂ ଚମକି ପଡ଼ିଲେ । ଏ କ’ଣ ? ଲକ୍ଷ୍ମୀପୁର ବଜାରଟା ଯେ ଜଳିଯାଇଛି-! ବଡ଼ ବଡ଼ ଗୋଦାମ କେତେଟାକୁ ଛାଡ଼ିଦେଲେ ଆଉ ସବୁ ଘର ନଡ଼ା ଛପର । ସେଥିରେ ବିଦ୍ରୋହୀମାନେ ନିଶ୍ଚୟ ନିଆଁ ଲଗାଇ ଦେଇଛନ୍ତି, ଆଉ ବଜାର ଲୁଟ୍ ପାଟ୍ କରୁଛନ୍ତି । ତାଙ୍କର ସନ୍ଦେହକୁ ମୋଚନ କରି ହଠାତ୍ ଧାଏଁ କରି କେତେଟା ଫାୟାରିଂ ଶବ୍ଦ ମଧ୍ୟ ଶୁଣାଗଲା । ସେ ଅନୁମାନ କଲେ, ତାଙ୍କର ସିପାହୀ ଆଉ ବିଦ୍ରୋହୀମାନଙ୍କ ମଧ୍ୟରେ ଗୁଳି ବିନିମୟ ହେଉଛି ନିଶ୍ଚୟ । ତାଙ୍କର ଏ ପରିସ୍ଥିତିରେ ଉପସ୍ଥିତି ଏକାନ୍ତ ବାଞ୍ଛନୀୟ । ପୂର୍ବାପେକ୍ଷା ଆହୁରି ବେଗରେ ଛୁଟିବାକୁ ଲାଗିଲେ ସେ । ଘାଟି ବି ତାଙ୍କର ବେଶୀ ଦୂର ନ ଥିଲା ଲୋକମାନଙ୍କର କୋଳାହଳ ଏବଂ ଅବିରାମ ଫାୟାରିଂ ଶବ୍ଦ ସେ ପରିଷ୍କାର ଶୁଣିପାରୁଥିଲେ ।

 

ଲକ୍ଷ୍ମୀପୂର ବଜାରଠାରୁ ଅଳ୍ପ ଖଣ୍ଡେ ଛଡ଼ାରେ ତାଙ୍କର ତମ୍ବୁ । ସେ ତମ୍ବୁ ନିକଟରେ ପହଞ୍ଚିଲାବେଳକୁ ସବୁ ଶେଷ ହୋଇଯାଇଥିଲା । ବଜାରର ପ୍ରତ୍ୟେକ ଦୋକାନ ଲୁଟ୍ ହୋଇଯାଇଥିଲା । ନଡ଼ା ଛପର ଘରଗୁଡ଼ିକ ହୁ ହୁ ହୋଇ ଜଳୁଥିଲା । ସ୍ତ୍ରୀଲୋକ, ପିଲାଗୁଡ଼ାକ ବିକଳ ଚିତ୍କାର କରି କାନ୍ଦୁଥିଲେ । ପୁରୁଷ ଲୋକମାନେ ନିଆଁ ଉପରକୁ ପାଣି ପକାଇ ଦରପୋଡ଼ା ଜିନିଷଗୁଡ଼ାକୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିଲେ । କେତେଜଣ ସିପାହୀ, ସିପାହୀମାନଙ୍କୁ ସାହାଯ୍ୟ କରୁଥିବା ସ୍ଥାନୀୟ ଲୋକ ଆହତ ହୋଇପଡ଼ିଥିଲେ । ବିଦ୍ରୋହୀମାନେ ସେତେବେଳକୁ ସର୍ବନାଶ କରି ପଳାଇଯାଇଥିଲେ । କିନ୍ତୁ କେତେଜଣ ଆହତ ହୋଇ ବନ୍ଦୀ ହୋଇଥିଲେ । ଦଳେ ଲୋକ ସେମାନଙ୍କୁ ଘେରିଯାଇ ଅଟକାଇଥିଲେ ।

 

ଜଣେ ସିପାହୀଠାରୁ ଲୁଟତରାଜର ବିବରଣୀ ଶୁଣୁଶୁଣୁ ଚନ୍ଦ୍ରକୁମାର ସିଂ ହତାଶ ହୋଇ ମାଟି ଉପରେ ଲଥ୍ କରି ବସିପଡ଼ିଲେ । ଚତୁର୍ଦିଗ ତାଙ୍କୁ ଅନ୍ଧକାର ଦେଖାଗଲା । ତା'ପରେ କ’ଣ ଘଟିଲା ତାହା ଆଉ ଜଣାଗଲା ନାହିଁ ତାଙ୍କୁ ।

 

–ତିନି–

 

ଦୀପକ ଆଉ ରୂପକ ଦୁହେଁ ସେଦିନ ସକାଳ କାଗଜଟାରୁ ଲକ୍ଷ୍ମୀପୁରର ଶୋଚନୀୟ ଦୁର୍ଦ୍ଦଶା ବିଷୟରେ ଆଲୋଚନା କରୁଥିଲେ । ଦୁହିଁଙ୍କ ମନରେ ସରସତା ନ ଥିଲା । ବିଷାଦର ଛାୟା ଢାଙ୍କି ରଖିଥିଲା ତାଙ୍କର ମୁଖମଣ୍ଡଳକୁ ।

 

ଚା ଦି’କପ୍ ଥୁଆହେଇଚି କେତେବେଳୁ, ସେଥିପ୍ରତି କାହାରି ଧ୍ୟାନ ନାହିଁ । ବାମ୍ଫ ମରି ମରି ଆସୁଛି । ହୁଏତ ଥଣ୍ଡା ହୋଇଗଲାଣି । ବହୁକ୍ଷଣ ପର୍ଯ୍ୟନ୍ତ ଉଭୟେ ନୀରବ ରହିବାପରେ ଦୀପକ କହିଲା, ‘‘ଚନ୍ଦ୍ରକୁମାର ବିଦ୍ରୋହୀମାନଙ୍କ ହାତରୁ ଖସିଯାଇନି ଯେ, ତା’ ଭାଗ୍ୟବଳରୁ ବଞ୍ଚିଯାଇଛି । ପରିସ୍ଥିତିଟା ଯେପରି ହୋଇଥିଲା, ସେଥିରେ ତା'ର ମୃତ୍ୟରେ ସନ୍ଦେହ କିଛି ନ ଥିଲା-।’’

 

—‘‘ନା, ମୃତ୍ୟୁ ନୁହେଁ, ଭାଇ ! ମୁଁ ଭାବୁଛି, ସେମାନେ ତାକୁ ବନ୍ଦୀ କରିପକାଇଥାନ୍ତେ । ତା’ପରେ ଅକଥନୀୟ ଅତ୍ୟାଚାର କରାଯାଇଥାନ୍ତା ତା'ଉପରେ ଗୋପନୀୟ ତଥ୍ୟ ଜାଣିବାପାଇଁ । ଚନ୍ଦ୍ର ଯେପରି ଲୋକ, ସେ ଅତ୍ୟାଚାର ଭୋଗି ଭୋଗି ତିଳ ତିଳ କରି ମରିଥାନ୍ତା ପଛେ, ଗୋପନୀୟ ତଥ୍ୟ କଦାପି ପ୍ରକାଶ କରି ନ ଥାନ୍ତା ।’’

 

ଦୀପକ ରୂପକର ଏ କଥା ଶୁଣି ଗମ୍ଭୀର ଭାବରେ କହିଲା, ‘‘ହଁ, ତା’ ବି ହୋଇପାରେ ।’’

 

ବର୍ତ୍ତମାନ ପରିସ୍ଥିତି ଯାହା, ସେଥିରେ ଚନ୍ଦ୍ରର ସେଠି ରହିବା ଅନୁଚିତ । ବରଂ ଆଉ କୌଣସି ଘାଟିକୁ ବଦଳି ହୋଇ ଚାଲିଯିବା ତା'ପକ୍ଷରେ ନିରାପଦ ।

 

ଦୀପକ କହିଲା, ‘‘ବିପଦ କେବେହେଲେ ଛାଡି ଯିବନାହିଁ ତା’ଉପରୁ । ବିଦ୍ରୋହୀମାନଙ୍କର ବର୍ତ୍ତମାନ ଏକମାତ୍ର ଲକ୍ଷ୍ୟ ହେଲା ଚନ୍ଦ୍ର କୁମାର ସିଂ । ତା’ର ଗତିବିଧି ଉପରେ ସେମାନଙ୍କର ଦୃଷ୍ଟି ଅଛି ସବୁବେଳେ । ତେଣୁ ଯେକୌଣସି ଘାଟିକୁ ଗଲେ ବି ବିପଦ ସବୁବେଳେ ସାମନଭାବରେ ରହିବ ତା’ପଛରେ ।’’

 

—‘‘ଲକ୍ଷ୍ମୀପୁର ଲୁଟପାଟ କଲାପରେ ସେମାନଙ୍କର ଶକ୍ତି ଓ ସାହସ ବଢ଼ିଯାଇଚି ଖୁବ୍ । ଏଇ ଅବସ୍ଥାରୁ ଯଦି ସେମାନଙ୍କୁ ଜବଦ କରି ଦିଆ ନଯାଏ ତେବେ ସମଗ୍ର ସୀମାନ୍ତ ବିପନ୍ନ ହୋଇପଡ଼ିବ । ତା’ ସଙ୍ଗେ ସଙ୍ଗେ ସ୍ୱାଧିନତାରେ ମଧ୍ୟ ଆଞ୍ଚ ଆସିବ ଆମର ।’’

 

—‘‘ତା ବିଲକୁଲ୍ ଠିକ୍ । ମୁଁ ଭଲଭାବରେ ଅନୁସନ୍ଧାନ କରି ଜାଣିଛି ଯେ ଜନାବ ଅସ୍‍ଗର ଅଲ୍ଲୀ ବର୍ତ୍ତମାନ ସୀମାନ୍ତର କେଉଁ ପର୍ବତ, ଅରଣ୍ୟ ଅନ୍ତରାଳରେ ମାରାତ୍ମକ ଅସ୍ତ୍ରଶସ୍ତ୍ର ତିଆରି କରିବାପାଇଁ ଗୁପ୍ତ କାରାଖାନାଟାଏ ଖୋଲିବା ଉଦ୍ୟମ କରୁଛି। ସବୁଠାରୁ ବିପଦର କଥା ହେଉଚି ଯେ, ସେ’ଟା ଭାରତର ଇଲାକା ଭିତରେ । ପାକିସ୍ଥାନ ସରକାର ତାକୁ ସବୁପ୍ରକାର ସାହାଯ୍ୟ ଯୋଗାଇଦେଇଛି । ସେଇଟା ଚାଲୁ ହୋଇଗଲେ ବିଦ୍ରୋହୀମାନଙ୍କର ମାଗଣାସ୍ତ୍ରର ଅଭାବ ହୁଏତ ହେବ ନାହିଁ ।’‘

 

—‘‘ତେବେ ଚୁନି ମଜୁଦାର ଆଉ ଭଗବତ ଦୟାଲ ? ସେମାନେ ତ ପୁଣି ଆମ ସନ୍ଧାନ ଭିତରେ ରହିପାରିଲା ଭଳି ଉପଯୁକ୍ତ ବ୍ୟକ୍ତି !’’ ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନ କଲା ରୂପକ ।

 

ଦୀପକ ହସି ହସି କହିଲା, ‘‘ମୋ ସନ୍ଧାନର ବାହାରକୁ କଦାପି ଚାଲିଯାଇପାରିବେ ନାହିଁ ସେମାନେ । ସବୁବେଳେ ଆଖି ଆଗରେ ହିଁ ରଖିଛି ମୁଁ ସେ ଦିହିଁଙ୍କି । ଚୁନି ବର୍ତ୍ତମାନ କଲିକତାର ଗୋଟାଏ ବିରାଟ ହୋଟେଲରେ ରୀତିମତ ବୋର୍ଡ଼ରୁ ହୋଇ ପାକିସ୍ଥାନ ତାଙ୍କ ଧ୍ୱଂସ କରୁଚି, ଆଉ ଅନ୍ତର୍ଘାତୀମାନଙ୍କୁ ଖବର ଯୋଗାଉଛି । ଭଗବତ ବିଚରା ଗୋଟିଏ ଆଡଭୋକେଟ୍ କାମ କରୁଚି ଆଜିକାଲି । ଅଛି ବି ଏଇ କଲିକତାରେ । କୋର୍ଟ ଦୁଆର ଦିନେ ମାଡ଼େନି । ଅଥଚ ଦୁଆରରେ ଲମ୍ବା ଚୌଡା ସାଇନ୍ ବୋର୍ଡ଼, ‘ଭଗବତ୍ ଦୟାଲ, ଆଡଭୋକେଟ୍ ।’ ପଇସାଏ ରୋଜଗାର ନାହିଁ । ଅଥଚ ଭଡ଼ା ନେଇ ରହିଚି ବିରାଟ ପ୍ରାସାଦରେ; ଚାକର,. ପୂଝାରୀ, କାର୍ କେତେ କ’ଣ ! ସବୁ ସେଇ ପଇସା ! ଭଗବତ ଆଉ ଚିନି, ଦୁହେଁ ସହଯୋଗ ରଖିଚନ୍ତି ବରାବର ।’’

 

ରୂପକ ଅନେକ ସମୟ ଚୁପ୍ ରହିଲାପରେ ସାମାନ୍ୟ ଅପ୍ରତିଭ ହୋଇ କହିଲା,‘‘ମୁଁ ଗୋଟାଏ କଥା ଭାବୁଥିଲି ।’’ ତେଣିକି ସେ ଆଉ କ’ଣ କହିଥାନ୍ତା କି କ’ଣ, କିନ୍ତୁ ଦୀପକ ହଠାତ୍ ତା' ଉପରକୁ ଦୃଷ୍ଟି ପକାଇଲାମାତ୍ରେ ସେ ଚୁପ୍ ହୋଇଗଲା । ତା'ର ଚୁପ୍ ରହିଯିବା ଦେଖି ଦୀପକ କହିଲା, ‘‘କଣ କହୁଚୁ, କହ ! ନିର୍ଭୟରେ କହି ଯା ।’’

 

ଏଥର ସାହସ ପାଇ ଦୀପକ କହିଲା, ‘‘ମୁଁ କହୁଥିଲି କି ଆମେ ଥରେ ଲକ୍ଷ୍ମୀପୁର ଯାଇ ଘେରାଏ ବୁଲିଆସିଲେ ଭଲ ହୁଅନ୍ତା । ସେଠିକା ଅବସ୍ଥାଟା ଥରେ ଆଖିରେ ଦେଖିଆସନ୍ତେ । ତା'ଛଡ଼ା ଯେତେହେଲେ ଚନ୍ଦ୍ରତ ଆମର ପାଠପଢ଼ା ବେଳର ସାଥି । ତାରି ବର୍ତ୍ତମାନ ବିପଦ ସମୟରେ ଟିକିଏ ସଙ୍ଖୁଳି ଆସନ୍ତେ ।’’

 

ଦୀପକ କିଛି ସମୟ ନୀରବ ରହିଲା ପରେ କହିଲା, ‘‘ମୁଁ ସେ କଥା ଭାବୁଥିଲି । ମନ୍ଦ ହୁଅନ୍ତା ନାହିଁ । କିନ୍ତୁ ଖାଲି ଦେଖି ଚାଲିଆସିବା କଥା ମୁଁ ବିଚାରୁ ନ ଥିଲି । ମୁଁ ଚାହୁଁଥିଲି ସେଠି କିଛି ନା କିଛି କରି ଆସିବାପାଇଁ । ଅବଶ୍ୟ ଆମ ପାଇଁ କାମର ଅଭାବ ନାହିଁ ସେଠି । ବିଶେଷତଃ ଜଣେ ଭାରତୀୟ ହିସାବରେ ଆମର ସୀମାନ୍ତରକ୍ଷାର ଦାୟିତ୍ୱ ଆମ ଉପରେ ବି ଅଛି । ତୁ ଦେଖିବୁ ଚାଲ୍, ଚନ୍ଦ୍ର ଆମକୁ ଦେଖିଲେ କେତେ ପ୍ରକାର ଯୋଜନା କରି ବସିବ ।’’

 

‘‘ବେଶ୍, ତା’ହେଲେ ମୁଁ ପ୍ରସ୍ତୁତ ହୋଇପଡ଼େଁ ।’’ ଖୁବ୍ ଖୁସି ହୋଇ କହିଲା ରୂପକ ।

 

‘‘ହଁ, ପ୍ରସ୍ତୁତ ହୁଅ, କିନ୍ତୁ ଅଟେ ତରତର ନୁହେଁ । ଖୁବ୍ ଭାବିଚିନ୍ତି ସବୁପ୍ରକାର ଜିନିଷ ନେଇଯିବାକୁ ହେବ । ସେଠି କିଛିହେଲେ ମିଳିବ ନାହିଁ । କ’ଣ କ’ଣ ନେବାକୁ ହେବ, ତା'ର ଗୋଟାଏ ତାଲିକା ଆଗ ତୁ କର । ତା'ପରେ ଯାହା ହେବ ଦେଖିବା ।’’

 

‘‘ହଁ, ତା’ ମୁଁ କରୁଚି । ତେବେ ଅପାତତଃ ଆମର ଯାତ୍ରା କେଉଁ ଦିନ ?’’

 

‘‘ଧରିନେ ଦୁଇ ଦିନ ପରେ । ଅବଶ୍ୟ ୟା’ ଭିତରେ ଯଦି ସବୁ ଆୟୋଜନ ହୋଇଯାଏ-।’’

 

X X X

 

ସକାଳ ନଅଟା ବାଜି ଦଶ ମିନିଟ୍ । ଆସାମ ମେଲ୍ ଟ୍ରେନ୍ ଆସି ଠିକ୍ ଲାଗିଛି ହାଓଡ଼ା ରେଲ୍ ଷ୍ଟେସନ ପ୍ଲାଟ୍‍ଫର୍ମରେ। ଯାତ୍ରୀମାନଙ୍କ କୋଳାହଳରେ ଫାଟିପଡ଼ୁଛି ପ୍ଲାଟ୍‍ଫର୍ମଟା ଯେମିତି । ଷ୍ଟେସନ ବାହାରେ ବି ତଦ୍ରୁପ ଭିଡ଼ । ଟ୍ୟାକ୍ସି, ବସ୍, ରିକ୍ସା, ଘୋଡ଼ାଗାଡ଼ିର ଘରଘର, ପେଁ ପାଁ, ଟୁଂ ଟାଂ ଶବ୍ଦରେ କାନ ଅତଡ଼ା ପଡ଼ିଯାଉଛି । ଫାଟକ ଦେଇ ଦଳ ଦଳ କୁଲି, ଯାତ୍ରୀ ବାହାରକୁ ଆସୁଛନ୍ତି ଆଉ ଭିତରକୁ ଯାଉଛନ୍ତି ।

 

ଠିକ୍ ଏତିକିବେଳେ ଫାଟକ ଅତିକ୍ରମ କଲେ ଦୁଇଜଣ ଶିଖ ଭଦ୍ରଲୋକ । ପୋଷାକ ପରିଚ୍ଛଦ ମାର୍ଜିତ ଏବଂ ମୂଲ୍ୟବାନ। ଦେଖିଲେ, କୌଣସି ଭଦ୍ର, ଅଭିଜାତ ଓ ଧନୀ ବଂଶଜାତ ବୋଲି ମନେହୁଏ ।

 

ଟ୍ୟାକ୍ସି ଷ୍ଟାଣ୍ଡ୍ ନିକଟରେ ସେ ଦୁହେଁ ପହଞ୍ଚିଲାମାତ୍ରେ ‘ବାବୁ ଟ୍ୟାକ୍‍ସି’, ‘ବାବୁ ଟ୍ୟାକ୍‍ସି’ ବୋଲି ଏକାବେଳେକେ ଆଠ ଦଶଟା ଟ୍ୟାକ୍‍ସି ଚାଳକ ଘେରିଗଲେ ତାଙ୍କୁ । ସେମାନେ ବଡ଼ ଦ୍ୱନ୍ଦରେ ମଧ୍ୟ ପଡ଼ିଗଲେ ଏ ଗୋଳମାଳିଆ ପରିସ୍ଥିତିରେ । ହଠାତ୍ ସେମାନଙ୍କ ଭିଡ଼ ଭିତରୁ ଜଣେ ଖୁବ୍ ବଳିଷ୍ଠ ଟ୍ୟାକ୍ସି ଡ୍ରାଇଭର ଯୁବକ ବାହାରିଆସି ଦୁହିଁଙ୍କ ହାତରୁ ଚମଡା ସୁଟ୍ କେଶ୍ ଦୁଇଖଣ୍ଡି ଟାଣିନେଇ ଡାକିନେଲା ନିଜ ଟ୍ୟାକ୍ସିକୁ । ଏ ଦୁହେଁ ତାକୁ ଅନୁସରଣ କରୁ କରୁ ସେ ସୁଟ୍‍କେଶ୍ ଦୁଇଖଣ୍ଡି ପଛ ସିଟରେ ରଖିଦେଇ ଚାଳକ ସ୍ଥାନରେ ବସି ସାରିଥିଲା । ଶିଖ୍ ଭଦ୍ରଲୋକ ଦୁଇ ଜଣ ଅଗତ୍ୟା ଟ୍ୟାକ୍‍ସିରେ ଆସନ ଗ୍ରହଣ କରିବା ବ୍ୟତୀତ ଅନ୍ୟ ଉପାୟ ନ ଥିଲା । କାର୍ ଷ୍ଟାର୍ଟ ହେଲାମାତ୍ରେ ଛୁଟି ଚାଲିଲା ଜନଗହଳି ଅତିକ୍ରମ କରି ।

 

ବାଲିଗଞ୍ଜ ଲେକ୍ ରୋଡର ମଝାମଝିରେ ବିଶାଳ ଗୋଟାଏ ପ୍ରସାଦ । ପ୍ରକାଣ୍ଡ ଫାଟକର ଗୋଟାଏ କଡ଼ରେ ପିତଳର ବଡ଼ ଗୋଟାଏ ନେମପ୍ଲେଟ୍-। ସେଥିରେ ଲେଖାଅଛି–‘ଭଗବତ୍ ଦୟାଲ, ବାର୍ ଆଟ୍ ଆଡ୍ ଭୋକେଟ୍ ।’ ଦୁଆରେ ଦରୱାନ୍ ପହରା-। କାର୍‍ଟା । ବ୍ରେକ୍ କଲା ସେଇଠି ଆରୋହୀ ଦୁହିଁଙ୍କ ନିର୍ଦ୍ଦେଶକ୍ରମେ ।

 

ଡ୍ରାଇଭର ଗାଡ଼ି ଅଟକାଇବା ସଙ୍ଗେ ସଙ୍ଗେ ନିଜ ଆସନରୁ ଓହ୍ଲାଇଆସି ସସମ୍ମାନେ ପଛ ସିଟ୍‍ର ଦରଜା ଖୋଲିଦେଲା । ଡ୍ରାଇଭରର ବ୍ୟବହାରରେ ଦୁହେଁ ଖୁବ୍‍ ଖୁସି ହୋଇଯାଇଥିଲେ-। ଡ୍ରାଇଭରକୁ ଘଣ୍ଟାଏ ମାତ୍ର ଅପେକ୍ଷା କରିବାକୁ କହି ଦୁହେଁ ଫାଟକ ନିକଟରେ ପହଞ୍ଚିଲେ-। ପୂର୍ବ ପରିଚିତ ବ୍ୟକ୍ତି ପରି ଦରୱାନ୍ ସଲାମ ବଜାଇ ଫାଟକ ଖୋଲିଦେଲା । ଦୁହେଁ ଅତିକ୍ରମ କଲା ପରେ ଫାଟକ ବନ୍ଦ ହୋଇଗଲା ପୁଣି ।

 

ଫାଟକ ସିଧାରେ କାର୍ ଅଟକାଇ ଡ୍ରାଇଭର ଅନ୍ୟ ଦିଗକୁ ଚାହିଁବାର ଅଭିନୟ କରୁଥିଲା । ମାତ୍ର ନଜର ଥିଲା ଏଆଡ଼େ। ସେ ଦୁହେଁ ଦୃଷ୍ଟିର ଅନ୍ତରାଳକୁ ଚାଲିଗଲା ପରେ ଦରୱାନ୍‍ର ଅଲକ୍ଷ୍ୟରେ ସେ କାର୍‍ରୁ ଓହ୍ଲାଇ ନିକଟସ୍ଥ ଗୋଦାମରୁ ଫୋନ୍ କଲା କାହା ପାଖକୁ । ତା’ପରେ ସେହିପରି ଅଲକ୍ଷ୍ୟରେ ଆସି ନିଜ ଆସନରେ ବସି ସିଗାରେଟ୍ ରେ ନିଆଁ ଧରାଇଲା ।

 

ଆରୋହୀ ଦୁଇଜଣ ଘଣ୍ଟାକ ପାଇଁ କହିଯାଇଥିଲେ ସୁଦ୍ଧା ଦୀର୍ଘ ଦୁଇଘଣ୍ଟା ବିତିଗଲା; ତଥାପି ଦେଖାନାହିଁ । ଟ୍ୟାକ୍‍ସି ଚାଳକର ମଧ୍ୟ ଧୈର୍ଯ୍ୟ ଅସୀମ । ସେ ଆଦୌ ବିଚଳିତ ହେଉ ନାହିଁ ସେଥିପାଇଁ । ଷ୍ଟେସନ ଯିବାପାଇଁ ଜଣେ ଦୁଇଜଣ ଯାତ୍ରୀ ବି ଡାକିଗଲେଣି ତାକୁ । କିନ୍ତୁ ସମସ୍ତଙ୍କୁ ନାସ୍ତି କରିଦେଉଛି ସେ । ଆହୁରି ଘଣ୍ଟାଏ ପ୍ରାୟ ବିତିଗଲା । ତା'ର କିଛି ସମୟ ପରେ ପୂର୍ବୋକ୍ତ ଭଦ୍ରବ୍ୟକ୍ତି ଦୁଇଜଣ ଘରର ସଦର ଦରଜା ଦେଇ ବାହାରି ଆସିଲେ । କାର୍ ରୁ ଗଲାବେଳେ ଦୁହେଁ ଦୁଇଟା ଚମଡ଼ା ବ୍ୟାଗ୍ ହାତରେ ଧରି ଯାଇଥିଲେ । ଅଥଚ ଫେରିଲାବେଳକୁ ଜଣକ ହାତରେ ଥିଲା ମାତ୍ର ଗୋଟିଏ ବ୍ୟାଗ୍ ।

 

କାର୍ ରେ ବସିଲାମାତ୍ରେ ନିର୍ଦ୍ଦେଶ କଲେ ଯିବାକୁ ‘ସାଲିମାର ହୋଟେଲ୍ ।’ ନିର୍ଦ୍ଦେଶ ପିଲାମାତ୍ରେ କାର୍ ଆଗେଇ ଗଲା ମସୃଣ ପିଚୁ ରାସ୍ତା ଉପରେ ।

 

‘ସାଲିମାର ହୋଟେଲ୍’ କଲିକତା ମହାନଗରୀରେ ନୂଆ ହେଲେ ମଧ୍ୟ ପ୍ରତ୍ୟେକ ଟ୍ୟାକ୍‍ସି, ରିକ୍‍ସା, ଟାଙ୍ଗାବାଲାଙ୍କର ପରିଚିତ ସ୍ଥାନ ଏଇଟା । ବିଦେଶୀ ଏବଂ ପର୍ଯ୍ୟଟକମାନଙ୍କ ପାଇଁ ଏହାଠାରୁ ବଳି ଆରାମପ୍ରଦ ସ୍ଥାନ ସହରରେ ଦ୍ଵିତୀୟ ନାହଁ କହିଲେ ଚଳେ । ପଇସା ଦେଲେ ଜଗତର ସବୁ ଜିନିଷ ସୁଲଭ ଏଠି । ହୋଟେଲର ଆକାର ବିରାଟ ଦେଶୀ ବିଦେଶୀ । ସକଳ ପ୍ରକାର ଖାଦ୍ୟର ସୁବନ୍ଦୋବସ୍ତ ଅଛି ଏଠି । ଲୋଡ଼ା କେବଳ ଧନ । ଦୈନିକ ବହୁ ବିଦେଶୀ ପ୍ରାୟ ଏଠାକୁ ଆସିଥାନ୍ତି । ସେଥିପାଇଁ ରିକ୍‍ସା, ଟାଙ୍ଗା, ଟ୍ୟାକ୍ ସିବାଲାମାନେ ଏ ସ୍ଥାନ ସହିତ ଖୁବ୍ ଭଲଭାବରେ ପରିଚିତ ।

 

ହୋଟେଲର ସୁସଜ୍ଜିତ ପ୍ରବେଶ ପାଠ ନିକଟରେ କାର୍ ବ୍ରେକ୍ କଲା । ରାସ୍ତା ଉପରେ ଅଗଣିତ ଲୋକ । ଯାନବାହନର ଭିଡ଼ । ଶିଖ ଭଦ୍ରବ୍ୟକ୍ତି ଦୁହେଁ ଟ୍ୟାକ୍‍ସିରୁ ଓହ୍ଲାଇବା ସଙ୍ଗେ ସଙ୍ଗେ ମନିବ୍ୟାଗ୍ ଖୋଲି ପାଞ୍ଚଖଣ୍ଡ ଦଶଟଙ୍କିଆ ନୋଟ ବଢ଼ାଇ ଦେଲେ ଡ୍ରାଇଭର ହାତକୁ । ତା' ପରେ ପ୍ରଧାନ ପ୍ରବେଶ ପଥ ଦେଇ ଭିତରେ ଗହଳିରେ ମିଶିଗଲେ କୁଆଡ଼େ । ଡ୍ରାଇଭର ନୋଟ କେତେ ଖଣ୍ଡି ଗଣିସାରି ଚାହିଁଲା ସେମାନଙ୍କର ଯିବାଆଡ଼େ । ତା’ପରେ ଟ୍ୟାକ୍ସି ଛୁଟାଇଦେଲା ଆଗକୁ ।

 

ଆଗରେ ଖଣ୍ଡେ ଦୂରରେ ପବ୍ଲିକ ଟେଲିଫୋନ୍ ଏକ୍ସଚେଞ୍ଜ । ତା’ରି ସାମନାରେ ଟ୍ୟାକ୍‍ସି ଥୋଇଦେଇ ଡ୍ରାଇଭର ଭିତରକୁ ଗଲା । ତା'ପରେ କେଉଁ ଏକ ଅଜ୍ଞାତ ନମ୍ବର ଘୂରାଇ ଦୀର୍ଘ ସମୟ ଧରି କ’ଣ କଥାବାର୍ତ୍ତା କଲା କାହା ସହିତ ।

 

ଏକ୍ସଚେଞ୍ଜ ବାହାରକୁ ଅସିଲାବେଳକୁ ତା'ର ମୁହଁର ସରସତା ବଢ଼ିଯାଇଥିଲା ବହୁଗୁଣରେ । ଗୋଟାଏ ନାଟକୀୟ ଭଙ୍ଗୀରେ ଗାଡ଼ିର ଦରଜା ଖୋଲି ଆସନରେ ବସିଲା ।

 

ତା'ପରେ ଷ୍ଟାର୍ଟ ଦେଇ ଛୁଟାଇନେଲ ଆଗକୁ ।

 

 

 

 

 

–ଚାରି–

 

ରାତି ଗୋଟାଏ ହେବ । ବାଲିଗଞ୍ଜ ଲେକରୋଡ଼ର ଆଡଭୋକେଟ୍ ଭାଗବତ ଦୟାଲଙ୍କର ବାସଭବନର ପ୍ରତ୍ୟେକ କୋଠରୀର ଆଲୋକ ଲିଭିଗଲାଣି ଅନେକ ବେଳରୁ, ହୁଏତ ସମସ୍ତେ ଶୋଇଗଲେଣି । ଲେକରୋଡ଼ ପରି ଜନଗହଳି ଅଞ୍ଚଳଟା ବି ପୂରାପୂରି ନିର୍ଜୀବ, ନିର୍ଜନ ହୋଇପଡ଼ିଲାଣି । ରାସ୍ତାର ବିଜୁଳି ବତୀଗୁଡ଼ାକ ଦିନପରି ଆଲୁଅ ବିଛାଡ଼ି ଦେଉଛନ୍ତି ଚାରିଆଡ଼େ । ବେଳେବେଳେ ରାସ୍ତା ଉପରେ କାଁ ଭାଁ ଗୋଟେ ଅଧେ ରିକ୍ସା, କି କାର୍ ଧାଇଁଯାଉଛି ।

 

ଆଡଭୋକେଟ୍ ଭଗବତ ଦୟାଲ ବି ଶୋଇଗଲେଣି ଅନେକ ବେଳରୁ । ରୁମରେ ବେଡ୍ ଲାଇଟ୍ ଟା ଜଳୁଛି ନିଷ୍ପନ୍ଦ ଭାବରେ । ତାଙ୍କ ଶୋଇବା ପ୍ରସ୍ଥରେ ଚାକର ପୂଝାରୀ କାହାରି ରହିବାର ନାହିଁ । ସେ ପାଖଟା ଏକୁଟିଆ ତାଙ୍କରି । ଚାକର ପୂଝାରୀଙ୍କର ରହିବା ସ୍ଥାନ ତଳ ମହଲାରେ । କେବଳ ଆଡ୍ ଭୋକେଟ୍ ସାହେବଙ୍କର କେହି ଅତିଥି ଆସିଲେ ରହନ୍ତି ତାଙ୍କ ପ୍ରସ୍ଥରେ-। ନ ହେଲେ ସେଆଡ଼ର କୋଠରୀଗୁଡ଼ା ପଡ଼ିଥାଏ ଖାଲି । ସବୁ କୋଠରୀ ଗୁଡ଼ିକରେ ମୂଲ୍ୟବାନ ଆସବାବପତ୍ର ସୁସଜ୍ଜିତ । କେହି କାହାକୁ ଊଣା ନୁହେଁ ।

 

ଆଡ୍ ଭୋକେଟ୍ ସାହେବଙ୍କ ପ୍ରସାଦ ବାହାରକୁ ଖୁବ୍ ଚାକଚକ୍ୟପୂର୍ଣ୍ଣ ଦେଖାଯାଉଥିଲେହେଁ ପଛପଟଟା ଏହାର ନିତାନ୍ତ ଅପରିଷ୍କାର ଆଉ ବଣୁଆ । ଏ ପଟରେ ଅତି ନିମଶ୍ରେଣୀର ଲୋକଙ୍କର ବସତି । ସଂସାରଯାକର ଆବର୍ଜନା, ସାପ ବେଙ୍ଗ ସେଇ ବଣୁଆ ଜାଗାରେ । ଆଡ୍ ଭୋକେଟ୍ ସାହେବ ସେଥିପାଇଁ ଘରର ପଛପଟ ପାଚିରୀଟା ପ୍ରାୟ ପନ୍ଦର ଫୁଟ ଉଚ୍ଚ କରିଦେଇଛନ୍ତି-। ସେଦିନ ଗୋଟାଏ ବାଜିବା ପରେ ସେହି ପାଚିରୀ ଉପରେ ଦେଖାଗଲେ ଦୁଇଟି ମନୁଷ୍ୟ ମୂର୍ତ୍ତି । ଦେହରେ ପୋଷାକ ଥିଲା ଗାଢ଼ କଳାରଙ୍ଗର । ପାଚିରୀ ଉପରେ ଠିଆହୋଇ ଲମ୍ବା ଦଉଡ଼ିଟାଏ ଝୁଲାଇ ଦେଲେ ତଳକୁ । ତା'ପରେ ଦଉଡ଼ି ଉପର ମୁଣ୍ଡରେ ବନ୍ଧା ହୁକ୍‍ଟା ପାଚିରୀ ଉପରେ ଲଗାଇଦେଇ ତଳକୁ ଓହ୍ଲାଇ ଆସିଲେ ଦୁଇଜଣଯାକ ।

 

ସେ ପଟଟା ଥିଲା ପୂରା ଅନ୍ଧକାର । ବାଡ଼ିପଟ ଦରଜାଟା ଭିତରୁ ଶକ୍ତ ଭାବରେ ବନ୍ଦ ଥିଲା । ମନୁଷ୍ୟ ମୂର୍ତ୍ତି ଦୁଇଟି କିଛି ସମୟ ପାଇଁ ଠିଆହେଲେ ଦରଜା ପାଖରେ । ତା’ପରେ ସୂକ୍ଷ୍ମ ଯନ୍ତ୍ରଟା ପକେଟରୁ ବାହାର କରି କବାଟର ଶିକୁଳିକୁ ଲକ୍ଷ୍ୟକରି ଲଗାଇ କିଛି ସମୟ ଘୂରାଇଲେ । ଠିକ୍ ତା’ର ପରମୁହୂର୍ତ୍ତରେ ଖୁଟ୍ କରି ଗୋଟାଏ ଶବ୍ଦ ହେବା ସଙ୍ଗେ ସଙ୍ଗେ ଦରଜାଟା ଖୋଲିଗଲା । ଦୁଇଜଣଯାକ ସେଇ ବାଟ ଦେଇ ଖୁବ୍ ସତର୍କତାର ସହିତ ଭିତରକୁ ଚାଲିଗଲେ ଆଉ ଦରଜାଟି ବନ୍ଦ କରିଦେଇଗଲେ, ଆଗରୁ ଯେମିତି ଥିଲା ଠିକ୍ ସେମିତି ।

 

ଦୁହିଁଙ୍କର ପୋଷାକ ଥିଲା ଅଦ୍ଭୁତ ପ୍ରକାରର । ପୋଷାକ ଦୁଇହିଁଙ୍କର ଗାଢ଼ କଳାରଙ୍ଗର ହେଲେ ବି ତାହା ଧାତୁ ତିଆରି ପରି ଦେଖାଉଯାଉଥିଲା ଏବଂ ଅନ୍ଧାର ସହିତ ସମ୍ପୂର୍ଣ୍ଣ ମିଶିଯାଉଥିଲା । ଗୁପ୍ତ ଟର୍ଚ୍ଚ ଆଲୋକ ସାହାଯ୍ୟରେ କୋଠରୀ ପରେ କୋଠରୀ ଅତିକ୍ରମ କରିଯାଉଥିଲେ ଦୁହେଁ । ପ୍ରତ୍ୟେକ କୋଠରୀ ଭିତରଟା ଥରେ ଭଲଭାବରେ ଦେଖିନେବାକୁ ମଧ୍ୟ ଭୁଲିଯାଉ ନ ଥିଲେ ।

 

ସାମନାରେ ଦୀର୍ଘ କୋଠାରୀଟାଏ । ଚାକର ପୂଝାରୀ ତିନି ଜଣ ଶୋଇଛନ୍ତି ଏଠି । ତିନିଙ୍କର ଶଯ୍ୟା ବେଶ୍ ମୂଲ୍ୟବାନ। ନିଘୋଡ଼ ନିଶ୍ଚିନ୍ତ ନିଦ୍ରା । ସମସ୍ତଙ୍କ ଉପରେ ଥରେ ଥରେ ଆଲୁଅ ପକାଇ ଅବସ୍ଥାଟା ଦୁହେଁ ଠଉରାଇନେଲେ । ଏମାନଙ୍କର ଆରାମ ଦେଖି ଦୁହେଁ ନିଃଶବ୍ଦରେ ହସି ଉଠିଲେ । ଜଣେ ଆଉ ଜଣଙ୍କ କାନ ପାଖରେ ଫିସ୍ ଫିସ୍ କରି କହିଲା—‘‘ଚିନ୍ତା କ’ଣ ? ଝାଳବୁହା ଧନ ତ ନୁହେଁ ! ଚାକର କଥା ଛାଡ଼,କୁକୁର ପାଇଁ ବି ଗଦି ଦରକାର ।’’

 

—‘‘ଚୁପ୍ ! କିଏ ଉଠିବ । ଶୀଘ୍ର କାମ ଶେଷକର । କିଏ ଉଠିବ ।’’ ଅନ୍ୟଜଣକ ତାକୁ ଚପଳତା ପାଇଁ ଶାସନ କରିବା ସଙ୍ଗେ ସଙ୍ଗେ ସତର୍କ ମଧ୍ୟ କରାଇଦେଲା ।

 

ଦ୍ଵିତୀୟ ଜଣକ ପକେଟରୁ ଗୋଟାଏ ବଡ଼ ସିରିଞ୍ଜ୍ ବାହାରକରି ତା'ର ପଛପଟରେ ସାମାନ୍ୟ ଚାପ ଦେଲା । ତତକ୍ଷଣାତ୍ ଗାଢ଼ ଧଳା ରଙ୍ଗର ବାଷ୍ପଗୁଡ଼ାଏ ବାହାରି ଆଚ୍ଛଦନ କରିପକାଇଲା ଶୋଇଥିବା ଲୋକଙ୍କ ମଧ୍ୟରୁ ଜଣକ ମୁହଁକୁ ।

 

‘ବାସ୍ !’ କହିବା ସଙ୍ଗେ ସଙ୍ଗେ ସେ ଆଉ ଜଣକ ମୁହଁ ନିକଟରେ ସେଇପରି କଲା । ତା'ପରେ ଆଉଜଣେ । ଏହିପରି ଭାବରେ ତିନି ଜଣକ ମୁହଁ ଆଚ୍ଛାଦିତ ହୋଇ ରହିଲା ସେହି ଧଳାରଙ୍ଗର ବାଷ୍ପଦ୍ୱାରା । ଆଶ୍ଚର୍ଯ୍ୟର କଥା, ସେ ବାଷ୍ପ ଉଡ଼ିଗଲା ନାହିଁ । ଘନ ପଦାର୍ଥ ପରି ଜମିରହିଲା ସେମାନଙ୍କର ମୁହଁ ଉପରେ ।

 

ଅନ୍ୟ କୋଠାରୀଗୁଡ଼ାକ ତଲାସିରେ ଆଉ ଲୋକ କେହି ଥିବାର ଜଣାଗଲା ନାହିଁ । ଏଣିକି ନିର୍ଭୟରେ ଦୁହେଁଯାକ ପାହାଚ ଦେଇ ଉଠିଗଲେ ଉପରକୁ ।

 

ଉପର ମହଲାଟା ଆଡଭୋକେଟ୍ ଭଗବତ୍ ଦୟାଲଙ୍କର ଘରୋଇ ପ୍ରସ୍ଥ । କେବଳ ସେ ଏବଂ ତାଙ୍କ ସହିତ ଘନିଷ୍ଠଭାବରେ ସଂପୃକ୍ତ ତାଙ୍କର ଅତିଥିମାନଙ୍କ ବ୍ୟତୀତ ଆଉ କାହାରି ରହିବା କଥା ନୁହେଁ ସେ ମହଲାରେ ।

 

ପୂର୍ବୋକ୍ତ ମନୁଷ୍ୟ ଦୁଇ ଜଣ ଖୁବ୍ ସତର୍କଭାବରେ କୋଠରୀ ପରେ କୋଠରୀ ଅତିକ୍ରମ କରି ଆଗେଇ ଯାଉଥିଲେ । ନୀଳବର୍ଣ୍ଣର ନିଷ୍କ୍ରଭ ଆଲୋକ ଜଳୁଥିବା କୋଠରୀଟି ତାଙ୍କର ଉଦ୍ଦିଷ୍ଟ ସ୍ଥାନ ହେଲେ ବି ପ୍ରତ୍ୟେକ କୋଠରୀ ଭିତରଟା ସେ ଦୁହେଁ ଥରେ ଭଲକରି ଦେଖିନେଇଥିଲେ ।

 

ଆଡଭୋକେଟ୍ ସାହେବଙ୍କ ଶୟନ କକ୍ଷର ଦୁଆରେ ପହଞ୍ଚି ଲୋକ ଦୁଇଟା ଦେଖିଲେ ଦରଜାଟା ଅଧା ଖୋଲା ଅବସ୍ଥାରେ ଅଛି । ସେଇ ଫାଙ୍କ ଦେଇ ଦୁହେଁ ନଜର ପକାଇଲେ ଭିତରକୁ-। କଡ଼କୁ ବଡ଼ ପଲଙ୍କଟାଏ । ତା'ଉପରେ ହାତେ ବହଳର ତୁଳିତଳ୍ପ ଶଯ୍ୟା । ଉପରେ ଶୋଇଛନ୍ତି ସ୍ୱୟଂ ଆଡଭୋକେଟ୍ ଭଗବତ ଦୟାଲ । କୋଠାରୀଟା ବୋଧହୁଏ ଶୀତତାପ ନିୟନ୍ତ୍ରିତ-। ବେଶ୍ ସୁସୁପ୍ତି ହୋଇଥାଏ ସେଥିପାଇଁ ।

 

ଲୋକ ଦୁହିଁଙ୍କ ଭିତରୁ ଜଣେ କବାଟଟା ଖୋଲିଦେବାକୁ ହାତ ବଢ଼ାଇଦେଉଥିଲା । ଅନ୍ୟଜଣକ ତାକୁ ଚଟ୍ କରି ଟାଣିନେଇ ସତର୍କ କରିଦେଇ କହିଲା—‘‘ପାଗଳ ନା କ’ଣ ? ଉଚ୍ଚ ଶକ୍ତିର ଇଲେକଟ୍ରିକ୍ କରେଣ୍ଟ ଚାଲୁଚି ଏଦରଜାରେ । ନ ହେଲେ ବହୁମୂଲ୍ୟର ଜିନିଷପତ୍ର ଘର ଭିତରେ ରଖି ଦରଜା ମେଲାକରି ଆଲୁଅ ଜାଳି କିଏ ନିଶ୍ଚିନ୍ତରେ ଶୋଇପାରେ ? ତୁ ଆଗ ଏଇଠୁ ଲକ୍ଷ୍ୟ କରି ଗ୍ୟାସ ପକା ।’’

 

ଆର ଜଣକ ତତ୍‍କ୍ଷଣାତ୍ ପକେଟରୁ ସିରିଞ୍ଜଟା ବାହାର କରି ଠିକ୍ ରିଭଲଭର ଲାଖ କଲା ପରି ଲକ୍ଷ୍ୟ କଲା ଅଧାଖୋଲା ଦରଜାର ଫାଙ୍କ ଦେଇ ଆଡଭୋକେଟ୍ ଙ୍କ ଆଡ଼କୁ । ତା'ଉପରେ ଖୁବ୍ ତୀକ୍ଷ୍ ଣ ଗତିରେ ସିରିଞ୍ଜ ମୁହଁ ଦେଇ ଗ୍ୟାସଗୁଡାକ ବହିଚାଲିଲା ଆଗକୁ । ମାତ୍ର କୋଡ଼ିଏ ପଚିଶ ସେକେଣ୍ଡ୍ ଭିତରେ ଭଗବତ ଦୟାଲଙ୍କର ସାରା ମୁଖମଣ୍ଡଳ ଉପରେ ଖୁବ୍ ବହଳ ହୋଇ ଜମିଗଲା ଧଳା ଗ୍ୟାସଗୁଡ଼ା ।’’

 

‘‘ଏଥର ଆଉ ଭୟ ନାହିଁ ବୋଧହୁଏ’’—ସ୍ୱାଭାବିକ ଭାବରେ ଶବ୍ଦ କରି କହିଲା, ଯେ ଗ୍ୟାସ ପକାଉଥିଲା ।

 

‘‘ନା, ଫୁର୍ତ୍ତି କାମ ଶେଷକର—’’ଅନ୍ୟଜଣକ ତାକୁ ସତର୍କ କରାଇଦେଲା ।

 

ତା'ପରେ ଦୁହେଁ ଯାକ ହାତରେ ରବର ଗ୍ଳୋଭ ଦୁଇଟା ପିନ୍ଧିପକାଇ କବାଟ ପୂରା ଖୋଲିଦେଇ ଘରଭିତରକୁ ପଶିଗଲେ । ଆଡଭୋକେଟ୍ ସାହେବଙ୍କ ମୁଣ୍ଡ ଉପରଆଡ଼କୁ ବିରାଟ ଆୟରନ ଚେଷ୍ଟଟାଏ । ଦୁହିଁଙ୍କ ଭିତରୁ ଜଣେ ତକିଆତଳୁ ଚାବିକାଠିଟା ଆଣି ଚେଷ୍ଟଟା ଖୋଲିପକାଇଲା । ଭିତରେ ଥାକ ଥାକ ନୋଟ ସଜା ହୋଇ ରହିଛି । ତା'ତଳକୁ ଅନେକ କାଗଜପତ୍ରର ଫାଇଲ । ଫାଇଲ କଡ଼କୁ ଚମଡ଼ାବ୍ୟାଗ୍ ଟାଏ । ସବା ଉପରକୁ ରଖାଯାଇଛି ଗୋଟାଏ ରିଭଲ୍‍ଭର ।

 

ଦୁଇଜଣଯାକ ନିର୍ଭୟରେ ପ୍ରତ୍ୟେକ କାଗଜପତ୍ର ପରୀକ୍ଷା କରିବାରେ ଲାଗିପଡ଼ିଲେ । ସେଥିମଧ୍ୟରୁ କେତେଖଣ୍ଡ ପକେଟରେ ପୁରାଇଲେ ମଧ୍ୟ । ତା'ପରେ ଚମଡ଼ା ବ୍ୟାଗ୍‍ଟି ହାତରେ ନେଇ ଖୋଲିପକାଇଲେ । ତା' ଭିତରେ ବି ଗୁଡ଼ାଏ କାଗଜପତ୍ର । ସେଗୁଡ଼ିକ ସବୁ ବାହାର କରିନେଇ ପକେଟରେ ପୂରାଇଲେ । ତା'ପରେ ପାଖ ଟେବୁଲ ଉପରୁ ଏଣୁତେଣୁ କାଗଜଗୁଡ଼ାଏ ବ୍ୟାଗ୍ ରେ ଭର୍ତ୍ତି କରିଦେଇ ଯଥାସ୍ଥାନରେ ସେଟାକୁ ରଖିଦେଲେ । ସଜା ହୋଇଥିବା ନୋଟଥାକରୁ କେତୋଟି ତାଡ଼ା ବି ପକେଟରେ ଭର୍ତ୍ତି କରି ଚେଷ୍ଟ ଯେପରି ବନ୍ଦ ହୋଇଥିଲା ସେହିପରି ବନ୍ଦ କରିଦେଲେ । ଚାବିକାଠି ତକିଆତଳେ ଯେପରିଥିଲା ସେଇପରି ରଖି ବାହାରିଆସିଲେ ପଦାକୁ । ଦରଜାଟିକୁ ଠିକ୍ ପୂର୍ବପରି ଅଧାଖୋଲା ଅବସ୍ଥାରେ ରଖିଦେଇ ଖୁବ୍ ଦ୍ରୁତପଦରେ ଚାଲିଆସିଲେ ତଳକୁ । ତା'ପରେ ବାଡ଼ିପଟ ଦରଜାବାଟେ ଅଦୃଶ୍ୟ ହୋଇଗଲେ ଅନ୍ଧକାରରେ ।

 

ଅନ୍ଧକାରମୟ ରାତିର ଏ ରହସ୍ୟ ରହିଲା ଅନ୍ଧକାରରେ ।

 

–ପାଞ୍ଚ–

 

ଫାଟକରେ ‘‘ଡ଼କ୍ଟର ଶିବଶେଖର ସାହା’‘ ଲେଖାଥିବା ପୂର୍ବର ସେଇ ବିରାଟ କୋଠାଟାର ଗୋଟାଏ ନିଭୃତ କକ୍ଷରେ ବସିଥିଲେ ଦୀପକ ଏବଂ ରୂପକ ଦୁହେଁ । ସକାଳ ସମୟ ହୋଇଥିଲେ ବି କବାଟ ଝରକା ସବୁ ବନ୍ଦ ଥିଲା କୋଠରୀଟାର । ଘର ଭିତରେ ଉଚ୍ଚଶକ୍ତିର ବିଜୁଳି ବଲ୍‍ବଟାଏ ଜଳୁଥିଲା । ଗୋଟାଏ ଟେବୁଲର ଦୁଇପାଖରେ ଦୁଇଟି ସୋଫାରେ ବସି ଦୁହେଁ କେତେଗୁଡ଼ାଏ କାଗଜପତ୍ର ପରୀକ୍ଷା କରିବାରେ ମନୋନିବେଶ କରିଥିଲେ । ଟେବୁଲ ଉପରେ ଅନେକଗୁଡ଼ାଏ କାଗଜପତ୍ର ଖେଳାଖେଳି ହେଇ ପଡ଼ିଥିଲା ।

 

‘‘ୟା ଭିତରେ ଏତେଟା ଷଡ଼ଯନ୍ତ୍ର ଥିବ ବୋଲି ମୁଁ ଭାବି ନ ଥିଲି । ବାସ୍ତବିକ ଚୁନି ମଜୁମଦାର ଆଉ ଭଗବତ ଦୟାଲ, ଏଦୁହିଁକୁ ଦେଶଦ୍ରୋହ ଅପରାଧରେ ଯଦି ପ୍ରକାଶ୍ୟ ସ୍ଥାନରେ ପ୍ରାଣଦଣ୍ଡ ଦିଆଯାଏ ତେବେ କେହି ଜଣେ ହେଲେ ଆପତ୍ତି କରିବ ନାହିଁ ବୋଧହୁଏ’’—ପ୍ରଥମେ ନୀରବତା ଭଙ୍ଗ କରି ଦୀପକ କହିଲା ।

 

‘‘ମୋତେ ବି ବଡ଼ ଆଶ୍ଚର୍ଯ୍ୟ ଲାଗୁଚି, ଭାଇ, ସେ ପଞ୍ଜାବୀ ଭଦ୍ରଲୋକ ଦୁଇଜଣ ଯେ ସାମରିକ ବିଭାଗର ଇଞ୍ଜିନିୟର ବୋଲି, ଶତ୍ରୁ ରାଜ୍ୟର ଲୋକ ହୋଇ ଏ ଦେଶର ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ାକର ନକ୍ସା ନେଇଯିବା କ’ଣ କମ୍ ଗୁରୁତର କଥା!’’

 

‘‘ଦେଖନ୍ତୁ ଏଇ ନକ୍ସାଗୁଡ଼ା ଆଉ ଏ ଚିଠିପତ୍ର ସବୁ! ଏଇ ତାଙ୍କର ପରିଚୟ ପତ୍ର । ନାଗା, ମିଜୋମାନଙ୍କ ସହାୟତାରେ ଆସି ଏଠି ପହଞ୍ଚିଯାଇଚନ୍ତି ନିରାପଦରେ । କାଗଜପତ୍ର ବି ଚାଲାଣ ହେଇଯିବ ନିରାପଦରେ । ଆଉ ଏ ଦୁହେଁ ଭଗବତ ଦୟାଲର ଅତିଥି ହେଇ ରହିଯିବେ ଏଠି ବେଶ୍ ଆରାମରେ ।’’

 

‘‘ସନ୍ଦେହ ବି କରିବାର କିଛି ନାହିଁ । ଭଗବତ୍ ଦୟାଲ ହେଉଛି ଆଡଭୋକେଟ୍ । ଆଇନର ପୋକ ଆଉ ଧନୀ ପ୍ରତିପର୍ତ୍ତିଶାଳୀ ଲୋକ । ତା’ର ଅତିଥି ହିସାବରେ ଏମାନଙ୍କୁ ବା ସନ୍ଦେହ କରିବ କିଏ? ଅଧିକନ୍ତୁ ଏମାନଙ୍କର ଛଦ୍ମବେଶ ଯେ ନିଖୁଣ ।’‘

 

ରୂପକ ପୂର୍ବାପେକ୍ଷା ଆହୁରି ବିସ୍ମୟ ପ୍ରକାଶ କରି କହିଲା—‘‘ୟେ ବି ରୀତିମତ ଗୋଟାଏ ସରକାରୀ ଦପ୍ତରର କାମ ଚାଲିଚି । ଆସିବାପାଇଁ କି ଯିବାପାଇଁ ପରିଚୟ ପତ୍ର ମଧ୍ୟ ଦରକାର । ସୁପାରିଶ ଦରକାର ।’’

 

ଦୀପକ ସାମାନ୍ୟ ହସି ଉତ୍ତର ଦେଲା—‘‘ନ ହେଲେ ତୁ କ’ଣ ଭାବୁଚୁ ଅନ୍ତର୍ଘାତୀ କାମ ଏଡ଼େ ସହଜ ! ଏ ଦୁହେଁ ପାକିସ୍ଥାନରୁ ହିନ୍ଦୁସ୍ଥାନକୁ ଆସିବେ । ବାଟରେ ନିଶ୍ଚୟ ନାଗା ବା ମିଜୋ ବିଦ୍ରୋହୀଙ୍କ ହାବୁଡ଼ରେ ପଡ଼ିବେ । ଏ ପରିଚୟ ପତ୍ର ସେଠି ଦରକାର । ତା'ପରେ ପୁଣି ଏଠି ତ ଆଶ୍ରୟ ଦରକାର । ଏଟା ନ ଥିଲେ ଚଳିବ କିମିତି ?’’

 

‘‘ଭଲ ହେଇଚି । ଏ ଦୁଇ ଖଣ୍ଡ ଆମର ଦରକାରରେ ଆସିବ । ଏ ପରିଚୟ ପତ୍ରରେ ଆମେ ନାଗା, ମିଜୋମାନଙ୍କ ସହିତ ସମ୍ପର୍କ ରଖିପାରିବା । ସେଆଡ଼େ ଜନାବ ଅସଗର ଆଲ୍ଲି ଆଉ ଏଆଡ଼େ ଚନ୍ଦ୍ର କୁମାର ସିଂ ତ ଅଛି !’’ କହୁ କହୁ ପରିଚୟ ପତ୍ର ଦୁଇଖଣ୍ଡ ଧରି ରୂପକ ଆନନ୍ଦରେ ହୋ ହୋ ହୋଇ ହସିଉଠିଲା ।

 

ଏପରିଭାବରେ ରୂପକାର ହସି ଉଠିବାଟାକୁ ଦୀପକ ପସନ୍ଦ କରି ପାରୁ ନ ଥିଲା । ସେ ସାମାନ୍ୟ ବିରକ୍ତି ପ୍ରକାଶ କରି କହିଲା—‘‘ଦେଖ୍ ରୂପକ ! ତୁ ସବୁ କଥାକୁ ଏତେ ହାଲୁକାଭାବରେ ଗ୍ରହଣ କରିବାଟାକୁ ମୁଁ ପସନ୍ଦ କରୁନି । ଆଜି ସକାଳୁ ହୁଏତ ଆଡଭୋକେଟ ସାହେବଙ୍କ ଘରେ ତୁମୁଳ କାଣ୍ଡ ଘଟୁଥିବ । ତା'ପରବର୍ତ୍ତୀ କାର୍ଯ୍ୟପନ୍ଥା କ’ଣ ହେବ, ସେ କଥା ତ ଆମେ ସ୍ଥିର କରିପାରିନଥାଇଁ ଏପର୍ଯ୍ୟନ୍ତ । ଅଥଚ ତୁ ବେଶ୍ ନିଶ୍ଚିନ୍ତ ଅଛୁ !’’

 

ରୂପକ ହସକୁ ଚାପିରଖି କହିଲା—‘‘ମୁଁ ତା'ର ସୁବନ୍ଦୋବସ୍ତ ତ କାଲିଠୁଁ କରିଦେଇଛି । ଆଜି ସକାଳୁ ଆଡଭୋକେଟ ଚେଷ୍ଟ ଖୋଲିଲେ ନିଶ୍ଚିୟ ଜାଣିପାରିବ । ‘ସାଲିମାର ହୋଟେଲ’ ର ଏ ଦୁଇ ଭଦ୍ରବ୍ୟକ୍ତିଙ୍କ ସହିତ ଏ ବିଷୟରେ ସେ ନିଶ୍ଚୟ କଥାବାର୍ତ୍ତା କରିବ । ଏ କଥାଟା ଚୁନି ମଜୁମଦାର କୋଠରୀରେ ହେବା ଛଡ଼ା ଅନ୍ୟ ଉପାୟ ନାହିଁ । କାରଣ ଚୁନି କେବଳ ଗୋଟାଏ ରିଜର୍ଭ ଫୋନ୍ ଲାଇନ ରଖିଛି । ମୁଁ କାଲି ଇଲେକଟ୍ରିକ ମିସ୍ତ୍ରୀ ସାଜି ସାହାଯ୍ୟରେ ସେ ହୋଟେଲକୁ ଯାଇଥିଲି । ସେଠି ଫୋନ୍ ଖୋଲାଖୋଲି କରି ଆମର ଅଟୋମେଟିକ୍ ରେକର୍ଡରଟାକୁ ରଖି ଦେଇଆସିଛି । ସେ କୋଠରୀ ଭିତରେ ଯାହା କଥାବାର୍ତ୍ତା ହେବେ, ଆମେ ତା'ରି ସାହାଯ୍ୟରେ ଜାଣିଯିବା । କଲି ସକାଳୁ ପୁଣି ଇଲେକଟ୍ରିକ ମିସ୍ତ୍ରୀ ସାଜି ଯାଇ ସେ ରେକର୍ଡରଟାକୁ ନେଇଆସିବି । ଆଉ ଗୋଟାଏ ଖଞ୍ଜି ଦେଇ ଆସିବି ।’’

 

‘‘ସାବାସ୍ !’’ ରୂପକାର ପିଠି ଥାପୁଡ଼େଇ କହିଲା ଦୀପକ । ରୂପକ ଉତ୍‍ଫୁଲ୍ଲ ହୋଇ କହିଲା—‘‘ତା ନ ହେଲା ମୁଁ କ’ଣ ଦସ୍ୟୁ ବୈଜ୍ଞାନିକ ଦୀପକର ଭାଇ !’’

 

‘‘ବେଶ୍ ! ବେଶ୍ ! ତୁ ତାହାହେଲେ ଆଉ ଗୋଟିଏ କାମ କର । ଏଇ ନକ୍ସାଗୁଡ଼ାକ ପରି କେତେ ଗୁଡ଼ାଏ ନକ୍ସା ଅବିକଳ ଆଙ୍କି ଦେ । ଯେଉଁ କାଗଜପତ୍ରଗୁଡ଼ା ଆମର ଦରକାର ନାହିଁ, ସେଗୁଡ଼ା କୌଣସି ପ୍ରକାରେ ହୋଟେଲର ସେଇ ପାକିସ୍ଥାନୀ ଇଞ୍ଜିନିୟରଙ୍କ କୋଠରୀରେ ପଶି ତାଙ୍କରି ବ୍ୟାଗରେ ଭର୍ତ୍ତି କରି ଦେଇ ଆ । ତାହାହେଲେ ଆଉ ସନ୍ଦେହ କରିବାର କିଛି ନ ଥିବ। ଆଡଭୋକେଟ ସାହେବଙ୍କ ବୁଦ୍ଧି ବି ଖଟିବନି ଏ ସନ୍ଦେହ ଦୂର କରିବାପାଇଁ ।’’

 

‘‘କିମିତି ?’’ ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନ କଲା ରୂପକ ।

 

‘‘ଏଥିରେ ଆଉ ବୁଝିବାରେ ବାକି ରହିଲା କ’ଣ ? ଘରର କବାଟ ଯେମିତି ବନ୍ଦ ଥିଲା ସେପରି ଅଛି । ଲୋକମାନେ ଯେପରି ଶୋଇଥିଲେ, ସେପରି ଶୋଇଛନ୍ତି; ଆଡଭୋକେଟ ସାହେବ ମଧ୍ୟ । ଘରର ଦରଜା ଆଉ ଚେଷ୍ଟାରେ ଉଚ୍ଚଶକ୍ତିସମ୍ପନ୍ନ ବିଜୁଳିଶକ୍ତି ସଂଯୋଗ ହେଇଛି । ପୁଣି ଚେଷ୍ଟର ଚାବି ଠିକ୍ ଅଛି, ଆଉ ଦରଜା ବି ଯେପରି ଥିଲା ସେପରି ଅଛି । ସେଥିରେ ଆଉ ସନ୍ଦେହ କରାଯାଇପାରେ କେଉଁ କାରଣରୁ ?’’

 

‘‘ଠିକ୍ ଅଛି । ମୁଁ ଆଜି ରାତିରେ ତା’ର ବ୍ୟବସ୍ଥା କରିଦେଇ ଆସିବି ଯେକୌଣସି ପ୍ରକାରେ ହେଉ । ତା'ଛଡ଼ା ଆଜି ଦିନସାରା ଯାହା କଥାବାର୍ତ୍ତା ହେଇଥିବେ ସେମାନେ, ତା'ର ରେକଡିଂଗୁଡ଼ା ତ ନେଇଆସିବାକୁ ହେବ ।’’

 

ଠିକ୍ ଏତିକିବେଳେ ହଠାତ୍ ଟେବୁଲ ଉପରେ ନାଲି ରଙ୍ଗର ଛୋଟ ବଲବ୍‍ଟିଏ ଦପ୍ ଦପ୍ କରି ଜଳିଉଠିଲା । ରୂପକ ଆଲୁଅ ଜଳିବା ଦେଖି ଆଶ୍ଚର୍ଯ୍ୟ ହୋଇ କହିଲା—‘‘କିଏ ଆସିଲା-?’’

 

‘‘ଇନ୍ଦ୍ରଜିତ ହେବ ବୋଧହୁଏ ।’’ ଦୀପକ ଉତ୍ତର ଦେଲା ।

 

ଠିକ୍ ପରେ ପରେ ସେ କୋଠରୀରେ ପ୍ରବେଶ କଲା ଜଣେ ବଳିଷ୍ଠକାୟ ଯୁବକ । ଏ ସେଇ ଟ୍ୟାକ୍‍ସି ଚାଳକ ବ୍ୟତୀତ ଆଉ କେହି ନୁହେଁ । ଟେବୁଲ ନିକଟରେ ପହଞ୍ଚି ସେ ଅଭିବାଦନ ଜଣାଇଲା ଦୁହିଁଙ୍କୁ ।

 

ଦୀପକ ଆଗ୍ରହୀ ହୋଇ ପ୍ରଶ୍ନ କଲା—‘‘ଖବର କଣ ?’’

 

‘‘ଭଲ । ବର୍ତ୍ତମାନ ଭଗବତ୍ ଦୟାଲ ସାଲିମାରକୁ ଆସିଲା । ଖବର ନେଲି ଯେ ଚାରି ଜଣକର ଘମାଘୋଟ କଥାବାର୍ତ୍ତା ଚାଲିଛି ।’’

 

‘‘ଠିକ୍ ଅଛି । ପରବର୍ତ୍ତୀ ଘଟଣା ଉପରେ ନଜର ରଖ, ଆଉ ସଙ୍ଗେ ସଙ୍ଗେ ଖବର ଦିଅ-।’’

 

ଇନ୍ଦ୍ରଜିତ ଚାଲିଯାଉଥିଲା ।

 

‘‘ଶୁଣ !’’ ଦୀପକ ପଛରୁ ଡାକିଲା ତାକୁ । ଇନ୍ଦ୍ରଜିତ ପୁଣି ବାହାର କରି ଦୀପକ ଦେଲା ତା' ହାତରେ । ଇନ୍ଦ୍ରଜିତ ସେଇଟିକୁ ପାକେଟସ୍ଥ କରି ଚାଲିଗଲା ଖୁବ୍ ଶୀଘ୍ର ।

 

ଇନ୍ଦ୍ରଜିତ ଚାଲିଯିବାର କିଛି ସମୟ ପରେ ଦୀପକ ଗମ୍ଭୀର ହୋଇ ପଚାରିଲା—‘‘ତୁ ଠିକ୍ ଭାବରେ ରେକର୍ଡରଟା ଖଞ୍ଜିଛୁ ତ ରୂପକ ? ନ ହେଲେ ସବୁ ଅକାରଣ ହେଇଯିବ ।’’

 

‘‘ତୁମେ ନିଶ୍ଚିନ୍ତ ରୁହ, ଭାଇ ! ମୁ ସବୁ ଠିକ୍ କରିଦେଇ ଆସିଛି । ସେମାନେ ଯାହା ଯାହା କଥାବାର୍ତ୍ତା ହେଇଥିବେ ସବୁ ଆମେ ଆଜିରାତିରେ ଶୁଣିପାରିବା ।’’

 

‘‘ତା’ ହେଲେ ତ ଭଲ କଥା । କାହିଁକି’’ ନା, ଆଜିର କଥାବାର୍ତ୍ତା ଖୁବ୍ ଗୁରୁତ୍ୱପୂର୍ଣ୍ଣ । ପ୍ରଥମ ଆଲୋଚନାଟା! ସବୁ କଥାର ସୂଚନା ନିଶ୍ଚୟ ମିଳିପାରିବ ଆଜି କଥାରେ ।’’

 

‘‘ସେ ସବୁ ଠିକ୍ ଅଛି, ଭାଇ ! ତୁମେ ସେ ସବୁ ବାବତରେ ସମ୍ପୂର୍ଣ୍ଣ ନିଶ୍ଚିନ୍ତ ରୁହ । ମୁଁ ଯଥାସମୟରେ ସବୁ ଠିକ୍ କରିଦେବି।’’

 

ଟେଲିଫୋନ ରିଂ କରିଉଠିଲା ଏତିକିବେଳେ । ଦୀପକ ରିସିଭର କାନରେ ଲଗାଇଲା । କିଛି ସମୟପରେ ରିସିଭର ଯଥାସ୍ଥାନରେ ଥୋଇଦେଇ କହିଲା, ‘‘ଇନ୍ଦ୍ରଜିତ ଡାକୁଚି—ହୋଟେଲ ନିକଟକୁ ତୁରନ୍ତ ଯିବାକୁ ହେବ ।

 

‘‘ତେବେ ଉଠିବା ।’’

 

‘‘ହଁ, ଖୁବ୍ ଶୀଘ୍ର !’’ କହୁ କହୁ ଦୀପକ ଉଠିଲା ।

 

ପଛେ ପଛେ ରୂପକ ବି ।

 

–ଛଅ–

 

ଦୀପକ ଆଉ ରୂପକ ଦୁହେଁ ଫେରିବାଲାର ଛଦ୍ମବେଶରେ ଯାଇ ସାଲିମାର ହୋଟେଲ ନିକଟରେ ପହଞ୍ଚିଲାବେଳକୁ ଇନ୍ଦ୍ରଜିତ ବଡ଼ ଅସ୍ତବ୍ୟସ୍ତଭାବରେ ଅପେକ୍ଷା କରୁଥିଲା । ଖଣ୍ଡେ ଦୂରରୁ ଦୀପକ ତା'ର ବ୍ୟସ୍ତତା ଭଲଭାବରେ ଲକ୍ଷ୍ୟ କରିପାରିଥିଲା। ରୂପକକୁ ଖୁବ୍ ଚାପାସ୍ୱରରେ କେଇପଦ ଉପଦେଶ ଦେଇ ଜଣେ ଅପରିଚିତ ଲୋକ ପରି ସେ ଇନ୍ଦ୍ରଜିତର ଟ୍ୟାକ୍ସିରେ ବସିପଡ଼ି ହୁକୁମ ଦେବା କଣ୍ଠରେ କହିଲା—‘‘ଚଲାଓ ହାଓଡ଼ା ଷ୍ଟେସନ !’’

 

ଟ୍ୟାକସି ଷ୍ଟାର୍ଟ ଦେଇ ଛୁଟି ଚାଲିଲା ଆଗକୁ । ବାଟରେ ଦୀପକ ଇନ୍ଦ୍ରଜିତ ଆଡ଼କୁ ମୁଣ୍ଡ ସାମାନ୍ୟ ଝୁଙ୍କାଇ ଆଣି ଚାପାଗଳାରେ ପଚାରିଲା—’‘ଖବର କ’ଣ ?’’

 

ଇନ୍ଦ୍ରଜିତ ବ୍ୟସ୍ତ ହେଲା ପରି ହୋଇ କହିଲା—ଆଡଭୋକେଟ ସାହେବ ତ ସାଲିମାରକୁ ଆସିଥିଲା । କିନ୍ତୁ ପ୍ରାୟ ପନ୍ଦର ମିନିଟ୍ ଖଣ୍ଡେ ପରେ ସେ ପୁଣି ତା' ନିଜ କାରରେ କୁଆଡ଼େ ବାହାରିଗଲା । ତା'ସଙ୍ଗରେ ସେ ଶିଖ ଭଦ୍ରଲୋକଙ୍କ ଭିତରୁ ଜଣେ ଥିଲା । ଚୁନି ଆଉ ଆରଜଣକ ତାଙ୍କୁ ବଳାଇଦେବା ପାଇଁ ତଳକୁ ଆସିଥିଲେ ବୋଧହୁଏ । ମୁଁ ଭାବିଲି, ସେମାନେ ମଧ୍ୟ ତାଙ୍କ ପଛେ ପଛେ ଚାଲିଯିବେ କି କ’ଣ । ସେଥିପାଇଁ ତୁରନ୍ତ ଆସିବାକୁ ଫୋନ୍ କରିଥିଲି । କିନ୍ତୁ ସେ ଦୁହେଁ କୁଆଡ଼େ ଯାଇନାହାନ୍ତି । ଅଛନ୍ତି ଏଇଠି ।’’

 

ଦୀପକ ସାମାନ୍ୟ ହସି କହିଲା—‘‘ବୁଝିଲ ଇନ୍ଦ୍ରଜିତ ! ବିଲୁଆ ତା'ର ଗାତ ଭିତରଟାକୁ ସଂସାରର ସବୁଠାରୁ ନିରାପଦ ସ୍ଥାନ ବୋଲି ମନେକରେ । ସେ ତାକୁ ଛାଡ଼ି ଯିବ କୁଆଡ଼େ ? ବଳେ ସେ ଫେରିକି ଏଇଠିକି । ଅଚ୍ଛା, ତୁମେ ଏଇ ଫୋନ୍ ଏକ୍ସଚେଞ୍ଜ ପାଖରେ ଟିକେ ଗାଡ଼ି ଅଟକାଅ । ମୁଁ ବୁଝିନେଉଛି ସେ କୁଆଡ଼େ ଗଲା । ହଁ, ଆଡଭୋକେଟ୍ ସାହେବଙ୍କ ଗାଡ଼ି ତ ! ତା’ର ନମ୍ବରଟା-?’’

 

‘‘ବି, ଏମ୍, —ଛଅ, ଚାରି, ସାତ ।’’ ଇନ୍ଦ୍ରଜିତ କହିଲା ।

 

‘‘ଠିକ୍ ଅଛି । ମୁଁ ଆସୁଛି ଦଶମିନିଟ ଭିତରେ ।’’ ଗାଡ଼ି ଅଟକିବା ମାତ୍ରେ ଦୀପକ ଓହ୍ଲାଇ ଚାଲିଗଲା ଏକ୍ସଚେଞ୍ଜ ଭିତରକୁ।

 

ପ୍ରାୟ ଦଶମିନିଟରୁ କମ୍ ସମୟ ଭିତରେ ଫେରିଆସିଲା ଦୀପକ, ‘‘ଆଉ ଆଗକୁ ଯିବାର କିଛି ପ୍ରୟୋଜନ ନାହିଁ । ଏଥର ଚାଲ ସାଲିମାର ବାଟଦେଇ ନିଜ ଘରକୁ ଫେରିଯିବାକୁ ହେବ । ଆଡଭୋକେଟ ଆଉ ଆର ଜଣକ ବର୍ତ୍ତମାନ ଦମ୍ ଦମ୍ ରେ । ଖୁବ୍ ସମ୍ଭବ କାହାରି ଅପେକ୍ଷାରେ । ତେବେ ଏଠିକୁ ସେ ଫେରିବ ନିଶ୍ଚୟ । ତୁମେ ଖାଲି ନିଜେ ନଜର ରଖିବ ଆଉ ଦରକାର ମନେକଲେ ଖବର ଦେବ ।’’

 

ଇନ୍ଦ୍ରଜିତ ଗାଡ଼ି ବୁଲାଇ ସାରିଥିଲା ।

 

X X X

 

ରାତି ବାରଟା ହେବ । ଦୀପକ ଆଉ ରୂପକ ଦୁହେଁ ନିର୍ଦ୍ଧିଷ୍ଟ ଭାବରେ କାନ ପାତି ବସିଥିଲେ । ଆଗରେ ଥୁଆ ହୋଇଥିଲା ଗୋଟାଏ ଅଦ୍ଭୁତ ଆକାରର ରେକର୍ଡପ୍ଲେୟାର । ତା'ର ଆକାର ଥିଲା ଠିକ୍ ଗୋଟାଏ ସିଗାରେଟ୍ କେଶ୍ ପରି । ଡିଜାଇନ୍ ଟା ବି ଥିଲା ଠିକ୍ ସେଇପରି । ଗୁଣ ବା କାର୍ଯ୍ୟକାରିତା ନ ଜାଣିବା ପର୍ଯ୍ୟନ୍ତ କେହି ଧାରଣା କରିପାରିବ ନାହିଁ ଯେ ସେଟା ଗୋଟାଏ ରେକର୍ଡ ପ୍ଲେୟାର ବୋଲି । ଏଡେ ସୁକ୍ଷ୍ମ ଏବଂ ବୈଜ୍ଞାନିକ କୌଶଳପୂର୍ଣ୍ଣ ଜିନିଷ ବଜାରରେ ଦୁଷ୍ପ୍ରାପ୍ୟ । କିନ୍ତୁ ବୁଦ୍ଧିମାନ ଦୀପକ ତା'ର ସମସ୍ତ ବୁଦ୍ଧି ପ୍ରୟୋଗ କରି ଏପରି ପଦାର୍ଥଟି ତିଆରି କରିପାରିଛି । ଖାଲି ସେତିକି ନୁହେଁ, ଆମେରିକାରେ ଶିକ୍ଷା ଲାଭ କଲାବେଳେ ଏଇଟି ନିର୍ମାଣ କରି ସମସ୍ତଙ୍କୁ ଚମତ୍କୃତ କରିଦେଇପାରିଛି ମଧ୍ୟ ।

 

ଏଥିରେ ଯେଉଁ ରେକଡ଼ିଂ ଟେପ୍ ବ୍ୟବହାର କରାଯାଏ, ତାହା ମଧ୍ୟ ସ୍ୱତନ୍ତ୍ର । ତାହା ଦେଖିବାକୁ ସରୁ ଗୁଲିସୂତା ପରି । ଗୋଟିଏ ବଣ୍ଡିଲରେ ଗୁଡ଼ାଇଦେଲେ ତାହା ଅବିକଳ ଗୋଟିଏ ସିଗାରେଟ୍ ପରି । ରେକର୍ଡପ୍ଲେୟାର ଭିତରେ ସେଗୁଡ଼ିକ ସଜାଇ ରଖିଦେଲେ ଠିକ ଗୋଟିଏ ସିଗାରେଟ୍ କେଶ୍ ଭିତରେ ଗୁଡ଼ିଏ ସିଗାରେଟ୍ ସଜାହୋଇ ରହିଲା ପରି ଦେଖାଯିବ ।

 

ଟେବୁଲ ଉପରେ ରେକର୍ଡ ପ୍ଲେୟାରଟା ଚାପା ଓ ପରିଷ୍କାର ଶବ୍ଦ ସୃଷ୍ଟି କରୁଥିଲା । ଦୀପକ ଆଉ ରୂପକ ମନଧ୍ୟାନ ଦେଇ ତାହା ଶୁଣୁଥିଲେ । ଗତ ସକାଳେ ରୂପକ ଏଇ ରେକଡିଂ କେସ୍ ଟି ଖଞ୍ଜି ଦେଇ ଆସିଥିଲା ଚୁନିରାମ କୋଠରୀର ଗୁପ୍ତ ସ୍ଥାନରେ, ଇଲେକଟ୍ରିକ୍ ମିସ୍ତ୍ରୀର ଛଦ୍ମବେଶରେ । ପୁଣି ରାତିକୁ ସେଗୁଡ଼ିକ ନେଇଆସିଛି ଏବଂ ନୂତନ ଟେପ୍ ଖଞ୍ଜି ଦେଇ ଆସିଛି ।

 

—କେତେଜଣଙ୍କର କଥାବାର୍ତ୍ତା :କେବଳ ଷଡ଼ଯନ୍ତ୍ରମୂଳକ ଅନ୍ତର୍ଘାତୀ କାର୍ଯ୍ୟକଳାପର ସୁଚିନ୍ତିତ ଯୋଜନା । ଦୁହେଁଯାକ ସେ କଥାବାର୍ତ୍ତାର ମର୍ମ ଅନୁଭବ କରିପାରୁଥିଲେ । ହିନ୍ଦୁସ୍ଥାନର ପ୍ରଧାନ ନଗରର ଛାତି ଉପରେ ପ୍ରଧାନ ହୋଟେଲର ଅଭିଜାତ୍ୟପୂର୍ଣ୍ଣ କୋଠରୀରେ ଏଇ ପ୍ରଧାନ ଏବଂ ସାମାଜିକ ପ୍ରାଧାନ୍ୟ ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କ ଉପରେ ତୀବ୍ର ଘୃଣା ଜାତ ହେଉଥିଲା ଦୁହିଁଙ୍କର । ଇଚ୍ଛା ହେଉଥିଲା, ସେଇ ମୁହୂର୍ତ୍ତରେ ଧାଇଁଯାଇ ରିଭଲଭର୍ ରେ ସମସ୍ତଙ୍କ ଖପୁରୀ ଉଡ଼ାଇ ଦିଅନ୍ତେ। ସେମାନଙ୍କୁ ଧରିବାପାଇଁ ଆବଶ୍ୟକୀୟ ପ୍ରମାଣ ସବୁ ରହିଛି । ସାରା ଜୀବନ କାରାବାସ ପାଇଁ ସେତିକି ହିଁ ଯଥେଷ୍ଟ । ପୁଣି ପରକ୍ଷଣରେ ମନକୁ ସଂଯତ କରି ସାନ୍ତ୍ୱନା ଦେଉଥିଲେ ଯେ—ବର୍ତ୍ତମାନ ଟିକିଏ ଭଣ୍ଡୁର କରିଦେଲେ ଭବିଷ୍ୟତରେ ବଡ଼ ବଡ଼ ତଥ୍ୟଗୁଡ଼ାକ ମିଳିବାରେ ଘୋର ଅସୁବିଧାର ସୃଷ୍ଟି ହେଇଯିବ । ବରଂ ବଡ଼ ମାଛକୁ ଖେଳେଇ ଖେଳେଇ ଧରିବା ନିରାପଦ ।

 

ରେକଡିଂଗୁଡ଼ିକର ବୟାନ ଶେଷ ହୋଇଯାଇଥିଲା । ଆଉ ଥରେ ଭଲକରି ଶୁଣିବାପାଇଁ ଦୀପକ ପୁଣି ରେକର୍ଡପ୍ଲେଆରଟି ଖୋଲିଦେଲା । ଚାଲିଲା ପୂର୍ବପରି ବୟାନ ।

 

ଇତିମଧ୍ୟରେ ରୂପକ ଟେବୁଲ ଉପରେ ଗୁଡ଼ାଏ କାଗଜପତ୍ର ଆଉ ନକ୍ସା ଠିକ୍ କରି ରଖିଥିଲା । ଦ୍ଵିତୀୟ ଥର ପାଇଁ ଟେପ୍ ରେକଡ଼ିଂର ବୟାନ ଶେଷ ହେବା ସଙ୍ଗେ ସଙ୍ଗେ ରୂପକ ସେଗୁଡ଼ିକ ଦୀପକ ସାମନାରେ ରଖିଦେଇ କହିଲା—‘‘ଏଇ ସବୁ ହେଲା ନକଲି, ଅର୍ଥାତ୍ ଅସଲ ନକ୍ସା ଏଥିରେ ଅଛି; କିନ୍ତୁ ସ୍ଥାନ ଗୁଡ଼ାକୁ ନାଲି ତୀର ଚିହ୍ନ ଦ୍ୱାରା ଯେପରି ଲକ୍ଷ୍ୟ କରାଇଦିଆଯାଇଥିଲା ଅସଲ ନକ୍ ସାରେ, ଏଥିରେ ସେସବୁକୁ ଲକ୍ଷ୍ୟଭ୍ରଷ୍ଟ କରିଦିଆଯାଇଛି । ଆଜି ରାତିରେ ଆଡ୍ ଭୋକେଟ ସାହେବଙ୍କ ଶୋଇବା ଘର ଆୟରନ୍ ଚେଷ୍ଟ୍ ଭିତରେ ଏଗୁଡ଼ିକ ରଖିଆସିବାକୁ ହେବ ।’‘

 

‘‘କଣ ଏକା ଯିବୁ ?’’

 

‘‘ଗଲେ ବି କ୍ଷତି କଣ ? ଆମ ପାଖରେ ଯେଉଁ ଜିନିଷ ଅଛି ସେଥିରେ ତ ଭୟ କରିବାର କୌଣସି କାରଣ ନାହିଁ ।’’

 

‘‘ବେଶ୍ ! ତେବେ ଯା, କିନ୍ତୁ ଘଣ୍ଟାକ ଭିତରେ ଯେପରି ଫେରିବୁ । ମୁଁ ଅପେକ୍ଷା କରିଛି, ସାବଧାନ ! ଭଗବତ୍ ଦୟାଲ ତା' ଘର ଦରଜାଠାରୁ ଆରମ୍ଭ କରି ପ୍ରତ୍ୟେକ ଜିନିଷରେ ଇଲେକଟ୍ରିକ୍ କରେଣ୍ଟ ଚାର୍ଜ କରି ରଖିଛି । ବିନା ଗ୍ଳୋଭରେ ହାତ ଦେବୁ ନାହଁ ସେଥିରେ ।’’

 

‘‘ଠିକ୍ ଅଛି, ମୁଁ ସାବଧାନ ଅଛି ସେଥିପ୍ରତି ।’’

 

ରୂପକ ଆସନରୁ ଉଠି ପାଖ କୋଠରୀକୁ ଚାଲିଗଲା । ଦୀପକ ପୁଣି ଟେବୁଲ ଉପରେ ଝୁଙ୍କିପଡ଼ି କାଗଜପତ୍ର ଦେଖିବାରେ ମନୋନିବେଶ କଲା ।

 

ପ୍ରାୟ ଦଶମିନିଟ ପରେ ରୂପକ ପୂର୍ବରାତ୍ରର ସେଇ ଧାତବ ପୋଷାକରେ ସୁସଜ୍ଜିତ ହୋଇ ବାହାରିଆସି ଠିଆହେଲା ଟେବୁଲ ପାଖରେ । ଦୀପକ ତାକୁ ଟିକିଏ ଚାହିଁ ହସିଦେଇ କହିଲା–‘‘ଆଜି କିନ୍ତୁ ଗ୍ୟାସ ସିରିଞ୍ଜ ବ୍ୟବହାର କରିବାକୁ ତୋତେ ଦେବି ନାହିଁ । ଗୋଟାଏ ନୂଆ ଜିନିଷର ପ୍ରୟୋଗ ଆଜି ତୋତେ କରିବାକୁ ହେବ ।’’

 

କହିବା ସଙ୍ଗେ ସଙ୍ଗେ ସେ ଆସନରୁ ଉଠିଯାଇ ପାଖଲୁହା ଆଲମିରାରୁ ଛୋଟ ଟର୍ଚ୍ଚ ଲାଇଟ୍ ଟିଏ ବାହାରକରି ଆଣିଲା। ସେଇଟି ରୂପକକୁ ଦେଖାଇ କହିଲା—‘‘ଦେଖ୍, ଏ ହେଉଛି ଗୋଟିଏ ଟର୍ଚ୍ଚ ଲାଇଟ୍, ଯାହାଠାରୁ ତିନିଟି କାମ ଆଦାୟ କରାଯାଇପାରେ । ଏଥିରେ ତିନିଟି ସୁଇଚ୍ ଅଛି । ସେଗୁଡ଼ିକ ଏକ, ଦୁଇ, ତିନି କରି ନମ୍ବର ଦିଆଯାଇଛି ମଧ୍ୟ । ତୁ ଯଦି ଏକ ନମ୍ବର ସୁଇଚ୍ ଟିକୁ ଅନ୍ କରିବୁ, ତେବେ ବେଶ୍ ଉଜ୍ଜ୍ୱଳ ଏବଂ ସ୍ନିଗ୍‍ଧ ଆଲୋକ ପାଇବୁ; ଦୁଇ ନମ୍ବର ସୁଇଚ ଅନ୍ କଲେ ଯେଉଁ ଆଲୋକ ପାଇବୁ, ତାହା କାଠ, ଲୁହା, ଇସ୍ପାତ ଇତ୍ୟାଦି କଠିନ ପଦାର୍ଥକୁ ମାତ୍ର କେତେ ସେକେଣ୍ଡ୍ ମଧ୍ୟରେ ପାଉଁଶଧୂଳି କରିଦେବ; କିନ୍ତୁ ନିଆଁ ଜଳିବ ନାହିଁ । ମାତ୍ର କାଚ ପରି ସ୍ୱଚ୍ଛ ପଦାର୍ଥର ଏହା ଦ୍ୱାରା କୌଣସି କ୍ଷତି ହେବ ନାହିଁ । ତିନି ନମ୍ବର ସୁଇଚ ଅନ୍ କଲେ ଯେଉଁ ଉଗ୍ର ଏବଂ ତୀକ୍ଷଣ ଆଲୋକର ସୃଷ୍ଟି ହେବ ତାହା କୌଣସି ପ୍ରାଣୀର ଦେହ ସ୍ପର୍ଶ କଲାମାତ୍ରେ ବିଜୁଳିପରି ସ୍ନାୟୁଗୁଡ଼ିକୁ ନିଷ୍କ୍ରିୟ କରିଦେବ, ଯାହାଫଳରେ ଅନ୍ତତଃ ତିନିଘଣ୍ଟା ପାଇଁ ସେ ପ୍ରାଣୀ ବା ମନୁଷ୍ୟ ଅଚେତନ ହୋଇପଡ଼ିବ ।

 

‘‘ବାଃ, ଅଦ୍ଭୁତ ଜିନିଷ ତ !’’ —ରୂପକ ବିସ୍ମିତ ହୋଇ କହିଲା ।

 

ଦୀପକ ଅଳ୍ପ ହସି କହିଲା—‘‘ୟାର ନାଁ ହେଉଛି ଆଟମିକ୍ ଟର୍ଚ୍ଚ । ଆଣବିକଶକ୍ତି ବଳରେ ଏହା ଚାଲେ । ଉପଯୋଗିତା ଏବଂ କାର୍ଯ୍ୟକାରିତା ଦିଗରୁ ଦେଖିବାକୁ ଗଲେ ଅଦ୍ଵିତୀୟ । ଆମେରିକାରେ ବଡ଼ ବଡ଼ ବୈଜ୍ଞାନିକମାନଙ୍କ ସହଯୋଗରେ ମୁଁ ଏଖଣ୍ଡି ତିଆରି କରିବାରେ ସମର୍ଥ ହୋଇଥିଲି । ଆଜି ତୁ ତାକୁ ସର୍ବପ୍ରଥମେ ମାତୃଭୂମିର ସେବାରେ ଲଗା; କିନ୍ତୁ ସାବଧାନ ! ଅକାରଣ ବ୍ୟବହାର କରିବୁ ନାହିଁ ।’’

 

ରୂପକ ଆଟମିକ୍ ଟର୍ଚ୍ଚଟି ହାତକୁ ନେଇ ପକେଟରେ ରଖିଲା । ତା' ଉପରେ ଟେବୁଲ ଡ୍ରୟାର ଭିତରୁ ରିଭଲଭର୍ ଖଣ୍ଡିଏ ବାହାର କରିଆଣି ନୀରବରେ ଠିଆ ହେଲା । ଦୀପକ କିଛି ସମୟ ଅପେକ୍ଷା କରି କହିଲା—‘‘ଯା, ସମୟ ହୋଇଯାଇଚି । ଇନ୍ଦ୍ରଜିତ ଗାଡ଼ି ନେଇ ଆସିଗଲାଣି ବୋଧହୁଏ ।’’

 

ରୂପକ ଆଦେଶରେ ଅପେକ୍ଷାରେ ଥିଲା । ଦୀପକ ମୁହଁରୁ କଥା ସାରିବାମାତ୍ରେ ସେ ଆଗେଇ ଚାଲିଗଲା ।

 

ତା'ର ପାଦଶବ୍ଦ ଧୀରେ ଧୀରେ ଅସ୍ପଷ୍ଟରୁ ଅସ୍ପଷ୍ଟତର ହୋଇ ମିଳାଇଗଲା ସେଇ ଅନ୍ଧକାରରେ ।

 

ଠିକ୍ ପରେ ପରେ ଫାଟକ ପାଖରେ ଗୋଟାଏ କାର୍ ଷ୍ଟାର୍ଟ ହେବାର ଶବ୍ଦ ଶୁଣାଗଲା ।

 

ଦୀପକ ସେ ଶବ୍ଦଆଡ଼କୁ କାନ ଦେଇ ଟିକେ ହସିଲା ଖାଲି ।

 

–ସାତ–

 

ସକାଳ ସାତଟା ବାଜିଗଲାଣି ।

 

ଗୋଟିଏ ରାତିର ବିଶ୍ରାମ ପରେ ସହରର ଅଧିବାସୀଗଣ ଲାଗିଗଲେଣି ପୁଣି ନିଜ କାମଧନ୍ଦାରେ । ରାସ୍ତା ପୁଣି ଜନଗହଳ ଏବଂ କୋଳାହଳପୂର୍ଣ୍ଣ ହୋଇଆସୁଛି ।

 

ସାଲିମାରର ବୋର୍ଡରମାନେ ପ୍ରାୟ ଉଠିଲେଣି ସମସ୍ତେ । କେହି କେହି ନିତ୍ୟକର୍ମ ମଧ୍ୟ ଶେଷ କରିସାରିଲେଣି । କେହି କେହି କରୁଛନ୍ତି ବା କରିବାର ଉଦ୍ୟୋଗ କରୁଛନ୍ତି । ଚା'ପିଆଲାର ଟୁଂ ଟାଂ ବବୁର୍ଚ୍ଚି, ବୟ, ଖାନ୍‍ସମାମାନଙ୍କର ଯିବାଆସିବା ଡାକହକାରେ ହୋଟଲର ବାୟୁମଣ୍ଡଳରେ ବିଚିତ୍ର ଶବ୍ଦର ସୃଷ୍ଟି ହୋଇଛି । ଏହି ଅବସରରେ ଝାଡ଼ୁଦାର ଜୋତା ପାଲିସ କଲା ବାଲା କେତେ ଜଣ ବି ପ୍ରତ୍ୟେକ କୋଠରୀ ଦ୍ୱାରରେ ଠିଆହୋଇ ଦି'ପଇସା ରୋଜଗାର କରିବାପାଇଁ ଦାନ୍ତ ନିକୁଟୁଛନ୍ତି । ମୋଟାମୋଟି କହିବାକୁ ଗଲେ ସାରା ହୋଟେଲଟି କର୍ମମୁଖର ହୋଇପଡ଼ିଛି ।

 

ଚୁନି ମଜୁମଦାରଙ୍କ କୋଠରୀ ବାରଣ୍ଡାରେ ଗୋଟାଏ ଗୋଲ ଟେବୁଲକୁ ଘେରି ବସିଛନ୍ତି ଚୁନି ମଜୁମଦାର ସମେତ ଚାରିଜଣ । ପୋଷାକ ପରିଚ୍ଛଦ ଆଭିଜାତ୍ୟପୂର୍ଣ୍ଣ । ପ୍ରତ୍ୟେକେ ଥିଲେ ପରସ୍ପର ମଧ୍ୟରେ ଆଳାପରତ ଅବଶ୍ୟ ଖୁବ୍ ଚାପା ଶବ୍ଦରେ। ଅଳ୍ପ ଖଣ୍ଡେ ଛଡ଼ାରେ ସେମାନଙ୍କର ଜୋତା ଚାରିହଳକୁ ପାଖରେ ଥୋଇ ଖୁବ୍ ଯତ୍ନର ସହିତ ରଙ୍ଗ ମଡ଼ାଉଥିଲା ଜଣେ ଯୁବକ । ପୋଷାକ ଏବଂ ଚେହେରାରୁ ତା'ର ଦୀନ ଦୟନୀୟ ଅବସ୍ଥା ଯେ ଅତି ଶୋଚନୀୟ ଏଥିରେ ସନ୍ଦେହ କରିବାର କିଛି ନ ଥିଲା । ଜୋତାରେ ରଙ୍ଗ ଦେବା ଦିଗରେ ତା'ର ଆଖି ଦୁଇଟା ଥିଲେ ବି ସେ ଅନ୍ୟମନସ୍କ ଥିଲା । କାନ ଥିଲା ତା'ର ଅନ୍ୟ ଦିଗକୁ ।

 

ପାଖ କୋଠାରୀଗୁଡ଼ାକ ପରିଷ୍କାର କରିବାରେ ଲାଗିଥିଲା ଜଣେ ଝାଡ଼ୁଦାର । ଟେବୁଲ, ସୋଫା ଘୁଞ୍ଚାଘୁଞ୍ଚି କରିବାର ଶବ୍ଦ ଶୁଣାଯାଉଥିଲା ବାହାରକୁ । ପ୍ରାୟ ଅଧଘଣ୍ଟା କ ଭିତରେ ସବୁ କାମ ଶେଷ ହୋଇଗଲା । ନିକଟରେ ଅପେକ୍ଷମାଣ ବୟ ବାରଣ୍ଡାର ଟେବୁଲ ଉପରୁ କପ୍ ପ୍ଲେଟ୍ ଗୁଡ଼ିକ ଉଠାଇନେଇ ଚାଲିଗଲା । ଝାଡ଼ୁଦାରର କାମ ମଧ୍ୟ ଶେଷ ହୋଇଯାଇଥିଲା । ସେ ରୁମ୍ ଭିତରୁ ବାହାରିଆସିବାକ୍ଷଣି ତା'ର ଦୃଷ୍ଟି ବିନିମୟ ହେଲା ବାରଣ୍ଡାରେ ବସି ଜୋତା ବ୍ରସ୍ କରୁଥିବା ଯୁବକଟି ସହିତ । ଆଖିରେ ଆଖିରେ ପରସ୍ପର ମଧ୍ୟରେ କ’ଣ ଇଙ୍ଗତର ଆଦାନପ୍ରଦାନ ହୋଇଗଲା ସେଇ ପଲକମାତ୍ରକେ ।

 

ତା'ପରେ ଝାଡ଼ୁଦାର ଚାଲିଗଲା ତା'ବାଟରେ । କିଛି ସମୟ ପରେ ଜୋତା ସଫା କରୁଥିବା ଯୁବକଟି ମଧ୍ୟ ମୋଟା ବକ୍ସିସ ନେଇ ଚାଲିଗଲା ।

 

ଏମାନେ ବାରଣ୍ଡାରେ ଆହୁରି କିଛି ସମୟ ବସିଥାନ୍ତେ କି କ’ଣ ମାତ୍ର ହଠାତ୍ ରୁମ୍ ଭିତରେ ଟେଲିଫୋନ ରିଂ କରିଉଠିଲା । ଚୁନି ମଜୁମଦାର ଉଠିଯାଇ ରିସିଭର ଉଠାଇ କାହାସାଙ୍ଗରେ କଥାବାର୍ତ୍ତା କଲେ କିଛି ସମୟ ପାଇଁ । ତା'ପରେ ହସ ହସ ହୋଇ ଫେରିଆସିଲେ ଟେବୁଲ ପାଖକୁ । ଟେଲିଫୋନ ସମ୍ପର୍କରେ ଅନ୍ୟ ତିନିଜଣଙ୍କର ଉତ୍ସୁକତା ଊଣା ନ ଥିଲା । ସେମାନେ ପ୍ରଶ୍ନବାଚକ ଦୃଷ୍ଟିରେ ଚାହିଁଥିଲେ ଚୁନି ମୁହଁକୁ । ଚୁନି ଏକାନିଃଶ୍ୱାସକେ କହିପକାଇଲା–‘‘ଆଡଭୋକେଟ୍ ଦୟାଲ ଫୋନ କରିଥିଲେ—କାଗଜପତ୍ରଗୁଡ଼ା ମିଳିଯାଇଛି । ତାଙ୍କ ଆୟରନ ଚେଷ୍ଟ ଭିତରେ ଥିଲା ।’’

 

ଖବରଟା ସମସ୍ତଙ୍କ ମନରେ ଆନନ୍ଦ ସୃଷ୍ଟି କରିଥିଲା । ସେମାନଙ୍କ ଭିତରୁ ଜଣେ ପ୍ରଶ୍ନକଲା—‘‘ପୁଣି ହଜିଥିଲା କେମିତି ?’’

 

‘‘ଭୋଳା ଲୋକ କି ନା ? ଜିନିଷ ଗୋଟାଏ ଜାଗାରେ ରଖିଦେଲେ ତେଣିକି ଆଉ ଖିଆଲ ରହୁନି ।’’ ଚୁନିରାମ ହସି ହସି ଉତ୍ତର ଦେଲା ।

 

‘‘ଯାହାହେଉ, ଆପଣ ଆଜି ରାତାରାତି ଚାଲିଯାଆନ୍ତୁ ।’’ ଆଉ ଜଣେ ସେମାନଙ୍କ ଭିତରୁ ପ୍ରସ୍ତାବ କଲା ।

 

‘‘ତା ହବ । ମୋର ଶୀଘ୍ର ଚାଲିଯିବା ଦରକାର; କାରଣ ମୁଁ ଏଠି ରହିଗଲେ ସେଆଡେ଼ କାମ ବନ୍ଦ ହୋଇଯିବ । ଅଚ୍ଛା, ଚୁନି ସାହେବ, ଆପଣ ମୋର ଆଜି ଯିବାର ବ୍ୟବସ୍ଥା କରନ୍ତୁ ।’’

 

ଏହା ପରେ କେତେକ ସମୟ ଧରି ସେମାନେ କ’ଣ ଆଲୋଚନା କଲେ କୋଠରୀ ଭିତରେ । ଜୋତା ବ୍ରସ୍ କରୁଥିବା ଯୁବକଟି ଯେ ସେଠାରୁ ଯାଇ ଖୁବ୍ ପାଖରେ ଥିବା ଆଉ ଗୋଟାଏ ଖୁଣ୍ଟ ଉଢ଼ାଳରେ ବସି ରହି ଏଣୁ ତେଣୁ ଚମଡ଼ା କଟାକଟି କରୁଥିଲା, ସେକଥା ପ୍ରତି ଲକ୍ଷ୍ୟ ନ ଥିଲା କାହାର । ହଠାତ୍ ଜଣେ ବୟ୍ ଆସି ତାକୁ 'ହଟୋ, ହଟୋ, ହାରାମଜାଦା' ବୋଲି ଚିତ୍କାର କରି ଖୁବ୍ ଧମକା ଧମକି କରିବାରୁ ବିଚରା ବଡ଼ ଅନିଚ୍ଛାସତ୍ୱେ ଉଠିଗଲା ସେଠୁ ।

 

X X X

 

ରେକର୍ଡପ୍ଲେୟାର ଘୁରୁଥିଲା ଆଉ ତା'ସଙ୍ଗେ ସଙ୍ଗେ ସୃଷ୍ଟି କରୁଥିଲା ଅସ୍ଫୁଟ ଗୁଞ୍ଜନ । ଦୀପକ ଆଉ ରୂପକ ଦୁହେଁ ମନଧ୍ୟାନ ଦେଇ ସେ ଦିଗକୁ କାନ ଦେଇଥିଲେ । ମୃଦୁ ବାଇଗଣୀ ରଙ୍ଗର ଆଲୋକର ପ୍ଲାବନ ଖେଳୁଥିଲା ଘର ଭିତରେ ।

 

ପ୍ରାୟ ଅଧଘଣ୍ଟାଏ ବିତିଗଲା ପରେ ରେକର୍ଡପ୍ଲେୟାରଟି ବନ୍ଦ ହୋଇଗଲା ଆପେ ଆପେ । ଦୀପକ ହାତଘଡ଼ିକୁ ଚାହିଁ କହିଲା—‘‘ଆହୁରି ଘଣ୍ଟାଏ ବାକି ଅଛି ଦାର୍ଜିଲିଂ ଏକ୍ସପ୍ରେସ୍ ଯିବାକୁ । ତୁ ପ୍ରସ୍ତୁତ ହୋଇପଡ଼ ଏଥର । ଆମର ପ୍ରତ୍ୟେକ ଯୋଜନା ବିଷୟ ତ ତୋତେ କହିଛି । ଆଉ ଥରେ ମନେ ପକାଇନେ—’’

 

‘‘ହାଉଡ଼ାରୁ ଲୋକଟାର ପିଛା ନେବୁ । ବାଟରେ ଯାହା କିଛି ଖବର ସବୁ ଜଣାଇଦେବୁ ୱାଚ୍ ଓୟାରଲେସ୍ ଜରିଆରେ। ସେଲୋକଟା ଦାର୍ଜଲିଂରେ ପହଞ୍ଚି ଯେଉଁଠି ରହିବ, ତୁ ତା'ର ପାଖାପାଖିରେ ରହିବୁ, ଏବଂ ସବୁବେଳେ ଦୃଷ୍ଟି ରଖିବୁ ତା' ଉପରେ । ସେଠିକାର ଘାଟିଟା ବି କେଉଁଠି, ଦେଖିନେବୁ । ସେଇଠୁ ହୁଏତ କୌଣସି ନ କୌଣସି ଉପାୟରେ ଆସାମ ଭିତର ଦେଇ ସେ ନାଗା ହିଲ ବାଟେ ପାକିସ୍ଥାନ ଯିବ କିମ୍ବା ନାଗାମାନଙ୍କର ଗୁପ୍ତଘାଟିରେ ଆଶ୍ରୟ ନେବ । ସେଠାରୁ ଖବର ନେବୁ । ସବୁବେଳେ ସାବଧାନ ଥିବୁ । ତୋ' ପାଖରେ ସବୁ ଜିନିଷ ରହିଲା । ଆଟମିକ୍ ଟର୍ଚ୍ଚ, ଅଟୋମେଟିକ୍ ରେକଡିଂ ମେସିନ୍ ଆଉ ଯନ୍ତ୍ରପାତି ସବୁ। ମୁଁ ଯଥାସମୟରେ ସେଠାରୁ ଖବର ପାଇଲେ ତୋ'ପାଖରେ ହାଜର ହେବି । ଯେକୌଣସି ସ୍ଥାନକୁ ନିର୍ବିଘ୍ନରେ ତ ମୁଁ ଯାଇପାରିବି ଆମର ସାଉଣ୍ଡଲେସ୍ ବେବି ହେଲିକେପଟର ସାହାଯ୍ୟରେ ।

 

ରୂପକ ନୀରବରେ ସମ୍ମତି ଜଣାଇ ସେଠାରୁ ଚାଲିଗଲା ଅନ୍ୟ କୋଠରୀକୁ । ଟେଲିଫୋନ୍ ରିଂ କରିଉଠିଲା ଟେବୁଲ ଉପରେ । ଦୀପକ ଉଠାଇ କାନରେ ଲଗାଇଲା–‘‘ହ୍ୟାଲୋ....ଇନ୍ଦ୍ରଜିତ !’’

 

ଅନ୍ୟଦିଗରୁ ଇନ୍ଦ୍ରଜିତ କଥାବାର୍ତ୍ତା କରୁଥିଲା ।

 

‘‘ସେମାନେ ବାହାରି ଗଲେଣି? ଅଚ୍ଛା, ଅଚ୍ଛା !’’

 

‘‘...............................’’

 

‘‘ଗାଡ଼ି ସମୟ ଘଣ୍ଟାଏ ଅଛି । ତୁ ଅଧଘଣ୍ଟାକ ପରେ ଆ ।’’

 

‘‘...............................’’

 

ଦୀପକ ରିସିଭର ଥୋଇଦେଲା । ପୁଣି କ’ଣ ଭାବି ଡାଏଲ ଘୁରାଇଲା କାନରେ ରିସିଭର ଲଗାଇ ।

 

‘‘ହ୍ୟାଲୋ ! ଷ୍ଟେସନ ଏନକ୍ୱାରୀ, ହ୍ୟାଲୋ !’’

 

‘‘...............................’’

 

‘‘କ’ଣ କହିଲେ ? କମ୍ପାଟମେଣ୍ଟ ନମ୍ବର ଥ୍ରୀ ନାଇନ୍ ଟୁ ?’’

 

‘‘...............................’’

 

‘‘ଆଚ୍ଛା, ଆଚ୍ଛା, ମେନି ମେନି ଥ୍ୟାଙ୍କସ୍ ।’’

 

ରିସଭର ଥୋଇଦେଲା ଯଥାସ୍ଥାନରେ ଦୀପକ ।

 

–ଆଠ–

 

ସମ୍ପୂର୍ଣ୍ଣ ଛଦ୍ମବେଶରେ ଦୀପକ ଏବଂ ରୂପକ ଦୁହେଁ ଯେତେବେଳେ ଷ୍ଟେସନରେ ପହଞ୍ଚିଗଲେ, ସେତେବେଳେକୁ ଦାର୍ଜିଲିଂଗାମୀ ଏକ୍ସପ୍ରେସ ଆସିବାକୁ ଅଧିକ ବିଳମ୍ବ ନ ଥିଲା । ଦ୍ଵିତୀୟ ଘଣ୍ଟି ବାଜିସାରିଥିଲା । ଯାତ୍ରୀମାନେ ନିଜ ନିଜର ଜିନିଷପତ୍ର ଧରି ପ୍ଲାଟ୍‍ଫର୍ମରେ ଅପେକ୍ଷା କରିଥିଲେ ବ୍ୟଗ୍ରଭାବରେ । ସମସ୍ତଙ୍କର ଦୃଷ୍ଟି ଥିଲା ଟ୍ରେନର ଆସିବା ଦିଗକୁ ।

 

ଦୀପକ ଏବଂ ରୂପକ ଦୁହିଁଙ୍କର ଦୃଷ୍ଟି କିନ୍ତୁ ନ ଥିଲା ଟ୍ରେନ ଆଡ଼େ । ସେ ଦୁହେଁ ସେଇ ଲୋକଗହଳି ଭିତରେ ଖୋଜୁଥିଲେ ଆଉ କାହାକୁ । ସେଥିପାଇଁ ଚତୁର୍ଦ୍ଦିଗକୁ ସତର୍କ ଦୃଷ୍ଟି ଦେଇ ସେ ପ୍ଲାଟ୍‍ଫର୍ମ ଉପରେ ଏପଟ ସେପଟ ହୋଇ ଟହଲ ମାରୁଥିଲେ । ଦୁହିଁଙ୍କୁ ଗୁଜୁରାଟୀ ବ୍ୟବସାୟୀ ପୋଷାକ ସୁନ୍ଦର ମାନୁଥିଲା । ଚିହ୍ନିବାର ଉପାୟ ମଧ୍ୟ ଆଦୌ ନ ଥିଲା ।

 

ହଠାତ୍ ରୂପକ ଦୂରକୁ ଆଙ୍ଗୁଳି ଦେଖାଇ ଫିସ୍ ଫିସ୍ କରି କ’ଣ କହିଲା କାନ ପାଖରେ-। ଦୀପକ ଖାଲି ସେଆଡ଼େ ଟିକେ ଚାହିଁଦେଇ ଦୃଷ୍ଟି ଫେରାଇନେଇ କହିଲା,–‘‘ତାହାହେଲେ ଆସିଗଲେଣି ସେମାନେ; ଯାହା ହେଉ, ଭଲ ହୋଇଛି ।’’

 

ଘଣ୍ଟି ବାଜିବା ସଙ୍ଗେ ସଙ୍ଗେ ସାରା ପ୍ଲାଟ୍‍ଫର୍ମକୁ ଦୁଲୁକାଇ ଏକ୍ସପ୍ରେସ ଟ୍ରେନ ଆସି ଅଟକିଗଲା । ଯାତ୍ରୀମାନନଙ୍କ ମଧ୍ୟରେ ଠେଲାପେଲା ହୈ ଚୈ ଲାଗିଗଲା କିଛି ସମୟ ପର୍ଯ୍ୟନ୍ତ । ଦୀପକ ଅବଶ୍ୟ ଚିନ୍ତିତ ନ ଥିଲା ସେଇଥିପାଇଁ; କାରଣ, ସିଟ୍ ତ ରିଜର୍ଭ କରାଯାଇଥିଲା ପୂର୍ବରୁ । ଜନଗହଳି ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା ପରେ କମ୍ପାଟ୍ ମେଣ୍ଟର ନମ୍ବର ଦେଖି ନିଜର ସିଟ୍ ଅଧିକାର କଲା ଛଦ୍ମବେଶୀ ରୂପକ । ଦୀପକ ଆଉ ଅପେକ୍ଷା କରିବା ଉଚିତ ମନେ ନ କରି ସେଠାରୁ ପଳାଇଆସି ଗୋଟାଏ ଅଲକ୍ଷିତ ସ୍ଥାନରେ ରହି ଲକ୍ଷ୍ୟ କଲା ଏମାନଙ୍କୁ ।

 

ଗାଡ଼ି ଛାଡ଼ିବାକୁ ଆଉ ଅଳ୍ପ ସମୟ ଅଛି, ଜଣେ ଶିଖ ଭଦ୍ରବ୍ୟକ୍ତି ପଶିଆସିଲେ କମ୍ପାଟମେଣ୍ଟ ଭିତରକୁ । ପ୍ରଥମ ଶ୍ରେଣୀ କମ୍ପାଟମେଣ୍ଟ । କେତୋଟି ବେଞ୍ଚ୍—ସବୁ ଶୂନ୍ୟ; କେବଳ ଗୋଟିକୁ ଅଧିକାର କରିଛନ୍ତି ଜଣେ ମଧ୍ୟବୟସ୍କ ଗୁଜୁରାଟୀ ଭଦ୍ରଲୋକ। ମୁଣ୍ଡରେ ପ୍ରକାଣ୍ଡ ପଗଡ଼ି, ନାକ ତଳକୁ ଜୁଆଳିଆ ନିଶ ହଳେ । ବୟାସାଧିକ୍ୟ ହେତୁ ସେଥିରୁ ପାଚିଆସିଲାଣି କେତୋଟା । ପରିଧାନ ଧୋତି ଉପରେ ମଠା ପଞ୍ଜାବି, ଜାକେଟ, କାନ୍ଧରେ ଚଦର । ବେଶ୍ ମରହଟି ଢଙ୍ଗ । ପୂରା ଗୋଟାଏ ବେଞ୍ଚର ଗୋଟାଏ କଡ଼କୁ ରଖିଦେଇଛନ୍ତି । ଜିନିଷପତ୍ର ରଖିବାପାଇଁ ଉପରେ ଲଗେଜ୍ କେରିଆର ଅଛି ବୋଲି ତାଙ୍କୁ ଜଣାନାହିଁ ବୋଧହୁଏ ।

 

ଶିଖ୍ ଭଦ୍ରବ୍ୟକ୍ତି ଜଣଙ୍କର ପୋଷାକ ଥିଲା କିନ୍ତୁ ପୂରା ଓଲଟା ବେଶ୍ ମାର୍ଜିତ ଏବଂ ରୁଚିପୂର୍ଣ୍ଣ ଚକ୍ ଚକ୍ ସାହେବୀ ପୋଷାକ । ମୁହଁରେ ଦାମୀ ଚୁରୁଟ୍ । ସେ କମ୍ପାଟମେଣ୍ଟ ଭିତରକୁ ପଶିଆସି ଗୁଜରାଟୀ ସହଯାତ୍ରୀ ଜଣଙ୍କର ଢଙ୍ଗଢାଙ୍ଗ ଦେଖି ଗୋଟାଏ ତାତ୍ସଲ୍ୟପୂର୍ଣ୍ଣ ଦୃଷ୍ଟି ନିକ୍ଷେପ କଲେ ତାଙ୍କ ଉପରେ । ପଛେ ପଛେ ଅନୁସରଣ କରୁଥିବା କୁଲି ଜଣକ ଲଗେଜ୍ କ୍ୟାରିଅରରେ ଜିନିଷପତ୍ର ରଖିଦେଲା । ଶିଖ ଭଦ୍ରବ୍ୟକ୍ତି କୁଲିକୁ ବିଦାୟ କରିଦେଇସାରିଲା ବେଳକୁ ସିଟିଦେଇ ଗାଡ଼ି ଚାଲିବାକୁ ଆରମ୍ଭ କରିଥିଲା ।

 

ପ୍ରଥମ କେତେ ମିନିଟ୍ ପର୍ଯ୍ୟନ୍ତ ଶିଖ ଭଦ୍ରବ୍ୟକ୍ତି ଜଣକ ଚରୁଟ୍ ସେବନରେ ବ୍ୟସ୍ତ ଥିଲେ । ଦୃଷ୍ଟି ତାଙ୍କର ଥିଲା ଝରକାଦେଇ ବାହାରକୁ । ମଝିରେ ମଝିରେ ଗୋଟାଏ ବିରକ୍ତିପୂର୍ଣ୍ଣ କଟାକ୍ଷ କଣେଇ କଣେଇ ପକାଉଥିଲେ ଗୁଜୁରାଟୀ ଭଦ୍ରଲୋକଙ୍କ ଉପରେ । ଗୁଜୁରାଟୀ ଭଦ୍ରବ୍ୟକ୍ତି କିନ୍ତୁ ଏକାଗ୍ରଭାବରେ ବାଁ ହାତ ଚକି ଏବଂ ଡାହାଣ ହାତର ବୁଢ଼ାଆଙ୍ଗୁଳି ସାହାଯ୍ୟରେ ନାସ ଦଳିବାରେ ବ୍ୟସ୍ତ ଥିଲେ । ତାଙ୍କର ଦୃଷ୍ଟିଥିଲା ନାସ ଉପରେ ।

 

ନାସ ଦଳା ଶେଷ ହେଲା ପରେ ଚମଡ଼ା ସୁଟକେଶ୍ ଖୋଲି ପ୍ରତ୍ୟେକ ଜିନିଷ ତା'ଭିତରୁ ବାହାର କଲେ ସେ । ଗୁଜୁରାଟୀ ଭଦ୍ରଲୋକ ବାକ୍ସ ଖୋଲିବାକୁ ଆରମ୍ଭ କଲାମାତ୍ରେ ଶିଖ ଭଦ୍ରବ୍ୟକ୍ତିଙ୍କ ଦୃଷ୍ଟି ଆକର୍ଷିତ ହୋଇଆସିଲା ସେଇଆଡ଼କୁ । ଗୁଜୁରାଟୀ ଭଦ୍ରବ୍ୟକ୍ତିଙ୍କର ଦୃଷ୍ଟି କିନ୍ତୁ ଥିଲା ନିଜର ବାକ୍ସ ଭିତରେ । କିଛି ଯେପରି ଖୋଜୁଥିଲେ ସେ ତା'ଭିତରେ । ଖଣ୍ଡି ଖଣ୍ଡି କରି ଜିନିଷ ସେ ବାହାର କରୁଥିଲେ ତା'ଭିତରୁ । ଜିନିଷ କହିଲେ ବିଶେଷ କିଛି ନ ଥିଲା, ଖାଲି କେତେଖଣ୍ଡି ଲୁଗାପଟା, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଛଡ଼ା । ସବା ତଳକୁ ଛୋଟ ଶିଖିଟିଏ । ସେଇଟି ପାଇ ସେ ତା'ଭିତରେ ନାସଗୁଡ଼ିକ ସାଇତି, ଠିପିଟି ଭଲଭାବରେ ବନ୍ଦ କରି ପକେଟରେ ରଖିଲେ । ତା'ପରେ ବାକ୍ସରେ ଜିନିଷଗୁଡ଼ିକ ସାଇତି ଚାବି ଦେଲେ । ଗୁଜୁରାଟୀ ଭଦ୍ରବ୍ୟକ୍ତିଙ୍କର ଢଙ୍ଗ ଢାଙ୍ଗ ଦେଖି ଶିଖ ଭଦ୍ରବ୍ୟକ୍ତିଙ୍କ ଓଠରେ ତାତ୍ସଲ୍ୟ ଓ ଘୃଣାର ହସ ଫୁଟିଉଠିଲା । ସମ୍ଭବତଃ ଏପରି ଜଣେ ମରହଟିଆ ସହଯାତ୍ରୀ ପାଇବାକୁ ସେ ନିଜର ଦୁର୍ଭାଗ୍ୟ ବୋଲି ଭାବୁଥିଲେ ।

 

‘‘ଯିବେ କେତେଦୂର ?’’ ଶିଖ ଭଦ୍ରଲୋକ ଜଣକ ଚୁରୁଟ୍‍ରୁ ଧୂଆଁ ଛାଡ଼ୁ ଛାଡ଼ୁ ପ୍ରଶ୍ନ କଲେ ନାସ ଶୁଙ୍ଘିବାରେ ବ୍ୟସ୍ତଥିବା ଗୁଜରାଟୀ ଭଦ୍ରବ୍ୟକ୍ତିଙ୍କୁ ।

 

''ଦାର୍ଜିଲିଂ !'' ଖୁବ୍ ଗୋଟାଏ ବଡ଼ ଛିଙ୍କ ଛାଡ଼ୁ ଛାଡ଼ୁ ଉତ୍ତର ଦେଲେ ସେ ।

 

''ସେଠାରେ କ’ଣ ଘର ?'’

 

''ନା, ନା ବ୍ୟବସାୟ । ଘର ମୋର କଲିକତାରେ ।''

 

''କି ବ୍ୟବସାୟ ?''

 

''ଏଇ ସୁନା, ରୁପା ଅଳଙ୍କାର...''

 

ଉତ୍ତରଟା ପାଇ ସହଯାତ୍ରୀଜଣକ ବିଶ୍ୱାସ କରିପାରିଲେନାହିଁ ବୋଧହୁଏ ୟାଙ୍କ ଢଙ୍ଗଢାଙ୍ଗରୁ । ଯାହାହେଉ,ଆଉ ଗୁଡ଼ାଏ ବାଜେ କଥାରେ ସମୟ ନଷ୍ଟ ନ କରି ସେ ଚୁରଟ ଟାଣିବାରେ ମନ ଦେଲେ । ଗୁଜରାଟୀ ଭଦ୍ରବ୍ୟକ୍ତି ଜଣକ ତାଙ୍କ ଟ୍ରଙ୍କଟା ମୁଣ୍ଡତଳେ ଦେଇ ବେଞ୍ଚଟାରେ ଲମ୍ଵହୋଇ ଶୋଇଗଲେ ।

 

ଛୋଟ ଛୋଟ ଷ୍ଟେସନଗୁଡ଼ା ଅତିକ୍ରମ କରି ଧାଉଁଥିଲା ଦାର୍ଜିଲିଂ ଏକ୍‍ସପ୍ରେସ୍ ଘନ ଘନ ସିଟି ଦେଇ । ଶିଖ ଭଦ୍ରବ୍ୟକ୍ତି ଜଣକ ମଧ୍ୟ କମ୍ପାଟମେଣ୍ଟରେ ଜଳୁଥିବା ଉଜ୍ଜ୍ଵଳ ଆଲୋକଟା ଲିଭାଇଦେଇ ନୀଳବର୍ଣ୍ଣର ନିଷ୍ପ୍ରଭ ଆଲୋକଟିକୁ ଜାଳିଦେଲେ । ତା'ପରେ ନିଜ ବେଡିଂଟା ବେଞ୍ଚ୍ ଉପରେ ବିଛାଇଦେଇ ଲମ୍ବ ହୋଇ ଶୋଇଗଲେ ।

 

Unknown

ଗଭୀର ରାତ୍ରିର ଅନ୍ଧକାର ଭିତରେ ଛୁଟିଥିଲା ଏକ୍‍ସପ୍ରେସ୍ ଟ୍ରେନ୍ । ରାସ୍ତା ପାହାଡ଼ିଆ । ଟ୍ରେନ୍ ର ସାମାନ୍ୟ ଆଲୋକରେ ଛାୟାପରି ଦିଶିଯାଇଥିଲା ଉଭୟ ଦିଗର ଜଙ୍ଗଲ । ଜଙ୍ଗଲର ଡାଳପତ୍ର ସନ୍ଧିରେ ଅଗଣିତ ଜୁଳୁଜୁଳିଆ ପୋକ । ଟ୍ରେନ୍ ର ଗତି ପ୍ରାୟ ପଚାଶ ମାଇଲ ଉର୍ଦ୍ଧ୍ଵରେ । ସକାଳ ହେବା ପର୍ଯ୍ୟନ୍ତ ଆଉ କେଉଁଠି ଅଟକିବାର କଥା ନାହିଁ ।

 

ଗୁଜରାଟୀ ଭଦ୍ରବ୍ୟକ୍ତି କଡ଼ ଲେଉଟାଇଲେ । ଶିଖ ଭଦ୍ରବ୍ୟକ୍ତି ଗଭୀର ନିଦ୍ରାରେ ଶୋଇଯାଇଛନ୍ତି । ସେ ଆସ୍ତେ ଆସ୍ତେ ନିଜ ପକେଟରେ କିଛି ଗୋଟାଏ ଖୋଜିବାପାଇଁ ହାତ ପୁରାଇଲେ । ତା'ପରେ ହାତ ବାହାର କରି ଆଣି ଲମ୍ବାଇଦେଲେ ଶିଖ ଭଦ୍ରବ୍ୟକ୍ତିଙ୍କ ଆଡ଼କୁ । ତୀବ୍ର ଆଲୋକର ଶିଖା ଟର୍ଚ୍ଚରୁ ବିଛୁଡ଼ି ହୋଇପଡ଼ିଲା ତାଙ୍କ ମୁହଁସାରା । ମାତ୍ର କେତେ ସେକେଣ୍ଡ ପରେ ଟର୍ଚ୍ଚ ଲିଭାଇଦେଇ ସେ ସିଟରୁ ଉଠି ପଡ଼ିଲେ ।

 

ଏଥର ସେ ଆଉ ପୂର୍ବ ଗୁଜରାଟୀ ଭଦ୍ରବ୍ୟକ୍ତି ନ ଥିଲେ । ରୂପ ବଦଳିଯାଇଥିଲା ପୂରାପୂରି । ସିଟ୍ ରୁ ଉଠିବା ସଙ୍ଗେ ସଙ୍ଗେ ଶିଖ ଭଦ୍ରବ୍ୟକ୍ତିଙ୍କ ଚମଡ଼ାର ବଡ଼ ବାକ୍ସଟା ଟେକିଆଣିଲେ ତଳକୁ । ସେଥିରେ ଶକ୍ତ ଚାବିଟାଏ ପଡ଼ିଥିଲେ ବି ଗୋଟିଏ ଛୋଟିଆ ପେନ୍‍ସିଲ ପରି ଯନ୍ତ୍ର ସାହାଯ୍ୟରେ ଚାବିଟାକୁ ମୁହୂର୍ତ୍ତକ ପରେ ଖୋଲିଦେଲେ ସେ । ତା'ପରେ ବାକ୍‍ସଟାକୁ ଫିଟାଇ ଗୋଟି ଗୋଟି କରି ପ୍ରତ୍ୟେକ ଜିନିଷ ତଲାସ କରିନେଲେ । ଗୋଟାଏ ଛୋଟ ଫାଇଲରେ ବନ୍ଧା ହୋଇଥିଲା କେତେଗୁଡ଼ାଏ କାଗଜପତ୍ର । ସେଗୁଡ଼ା ସବୁ ଗୋଟି ଗୋଟି କରି ଦେଖି ସେଥିରୁ କ’ଣ ସବୁ ଟିପାଟିପି କରିନେଲେ ନିଜ ନୋଟ୍ ଖାତାରେ । ବାକ୍‍ସର ସବା ତଳକୁ ଖଣ୍ଡିଏ ନାଲିରଙ୍ଗର କାର୍ଡ । ସେଥିରେ ଲେଖାଥିଲା ଗୋଟିଏ କିଛି ସାଙ୍କେତିକ ଶବ୍ଦ। ସେଇ କାର୍ଡ ଖଣ୍ଡି ଖୁବ୍ ସାବଧାନତାର ସହ ପକେଟସ୍ଥ କଲେ । ତା'ପରେ ବାକ୍‍ସଟା ବନ୍ଦ କରି ପୂର୍ବପରି ଚାବିଟି ପକାଇଦେଇ ଯଥାସ୍ଥାନରେ ରଖିଦେଲେ ସେଇଟିକୁ । ସଂଗ୍ରହ କରିଥିବା ଜିନିଷଗୁଡ଼ିକୁ ନିଜ ବାକ୍ ସରେ ସାଇତି ରଖି ସେ ଶୋଇପଡ଼ିଲେ ପୁଣି ପୂର୍ବପରି ।

 

ଏକ୍‍ସପ୍ରେସ୍ ଟ୍ରେନଟା ପାଗଳପରି ଛୁଟିଥିଲା । ରାତି ଶେଷ ହୋଇଆସୁଥିଲା ଧୀରେ ଧୀରେ । ଆଉ ଦୁଇଟା ଷ୍ଟେସନ ପରେ ଟ୍ରେନ୍ ବଦଳାଇ ପାତିରେଳରେ ଯିବାକୁ ହେବ । ତେଣିକି ରାସ୍ତା ପାହାଡ଼ିଆ, ଉଠାଣି, ଗଡ଼ାଣି ।

 

ନିଦ୍ରିତ ପାସେଞ୍ଜରମାନଙ୍କୁ ସତର୍କ କରାଇବାପାଇଁ ଘନ ଘନ ସିଟି ଦେଉଥିଲା ଟ୍ରେନ୍‍ଟା-

 

–ନଅ–

 

ଦାର୍ଜିଲିଂରେ ଟ୍ରେନ୍ ପହଞ୍ଚିଲାମାତ୍ରେ ଭଦ୍ରବ୍ୟକ୍ତି ଦୁଇଜଣ ଯାକ ପ୍ରଥମଶ୍ରେଣୀ କମ୍ପାଟମେଣ୍ଟରୁ ଓହ୍ଲାଇପଡ଼ିଲେ । ପାର୍ବତ୍ୟ ଷ୍ଟେସନ । ଯାତାୟାତ ଅସୁବିଧା । ଯାନବାହନ ଖୁବ୍ ସୀମାବଦ୍ଧ । ଶିଖ ଭଦ୍ରବ୍ୟକ୍ତିଙ୍କ ପାଇଁ ଷ୍ଟେସନ ବାହାରେ ଅପେକ୍ଷା କରିଥିଲେ ଦାମୀ କାର୍ । ମାତ୍ର ଗୁଜରାଟୀ ଭଦ୍ରଲୋକ ଭଡ଼ାଗାଡ଼ି ଖଣ୍ଡିକ ଉଦ୍ଦେଶ୍ୟରେ ଆଖି ବୁଲାଉଥିଲେ ଏଣେ ତେଣେ । ପାଇଥିଲେ ମଧ୍ୟ । ଶିଖ ଭଦ୍ରବ୍ୟକ୍ତିଙ୍କର ଦାମୀ କାର୍ ଖଣ୍ଡିକୁ ଖଣ୍ଡେ ଦୂରରୁ ଅନୁସରଣ କରୁଥିଲା ଏଇ କାରଟି ।

 

ଆଗରେ ଧାଉଁଥିବା କାର୍ ଖଣ୍ଡି ପାହାଡ଼ିଆ ଉଠାଣି ରାସ୍ତାରେ ମୋଡ଼ ଘୁରାଇ ଉପରକୁ ଉପରକୁ ଉଠୁଥିଲା । ଦାର୍ଜିଲିଂ ସହରର ଅବସ୍ଥିତି ନେଇ ଯେତେ ଉପରକୁ ଯିବ, ସେତେ ଧନୀ ଅଭିଜାତ ଶ୍ରେଣୀର ଲୋକଙ୍କର ବସତି ଏବଂ ସୌଖୀନ ବାସଗୃହ ଦେଖିବାକୁ ମିଳିବ । ଉପରକୁ ଉପରକୁ ପାହାଡ଼ ପର୍ବତ ମାଳାର ଦୃଶ୍ୟରାଜି ଆହୁରି ମନୋହର, ମନୋରମ । ଜଳବାୟୁ ମଧ୍ୟ ଅନୁରୂପ ଭଲ । ତେଣୁ ଖୁବ୍ ଆଭିଜାତ୍ୟ ପୂର୍ଣ୍ଣ ହୋଟେଲ, ପାନ୍ଥନିବାସ ପ୍ରଭୃତି ଏହି ଅଂଶରେ ଅବସ୍ଥିତ ।

 

ଶୈଳବିଳାସ ।

 

ବିରାଟ ପାନ୍ଥଶାଳା ଏଇଟା । ତିନି ମହଲା ପ୍ରକାଣ୍ଡ କୋଠାଟା । ପ୍ରାକୃତିକ ଏବଂ କୃତ୍ରିମ ଦୃଶ୍ୟରାଜିରେ ଯେତେଦୂର ଶୋଭିତ କରାଯାଇପାରେ, ଏଠାରେ ତାହା କରିବା ଦିଗରେ ଆଦୌ ତ୍ରୁଟି କରାଯାଇ ନାହିଁ । ପାନ୍ଥନିବାସ ହେଲେ ବି ଏଠି ବେଶ୍ ଉଚ୍ଚ ହାରରେ ରହଣିଭଡ଼ା ଦିଆଯାଏ । ହୋଟେଲ ବ୍ୟବସ୍ଥା ଏଠି ନାହିଁ । ତଥାପି ଟଙ୍କା ଏବଂ ଅର୍ଡର ପାଇଲେ ଶୈଳବିଳାସ ପକ୍ଷରୁ ଯେକୌଣସି ପଦାର୍ଥ ପାଖରେ ଆଣି ଯୋଗାଇଦେବା ପାଇଁ ଲୋକ ନିଯୁକ୍ତ ଅଛନ୍ତି । ସାଧାରଣତଃ ବିଦେଶୀ ପରିଭ୍ରମଣକାରୀଙ୍କ ପାଇଁ ଉପଯୁକ୍ତ ରହଣି ସ୍ଥାନ ଏଇଟା ।

 

ଆଗେ ଆଗେ ଧାଉଁଥିବା ଦାମୀ କାରଟା ସେଇଠି ଫାଟକ ଭିତରକୁ ପଶିଗଲା । ପଛରୁ ଗୁଜରାଟୀ ଭଦ୍ରଲୋକ ବେଶଧରୀ ରୂପକର ନିର୍ଦ୍ଦେଶରେ କାର୍ ଖଣ୍ଡେଦୂର ଆଗେଇଯାଇ ଅଟକିଗଲା ମଧ୍ୟମ ଶ୍ରେଣୀର ଗୋଟାଏ ହୋଟେଲ ସାମନାରେ। ଟ୍ୟାକ୍‍ସି ଭଡ଼ା ଛିଣ୍ଡାଇଦେଇ ସେ ନିଜର ଚମଡ଼ା ବାକସ ଖଣ୍ଡିକ ଧରି ସିଧାସିଧା ପଶିଗଲା ମ୍ୟାନେଜରଙ୍କ ରୁମ୍ ଆଡ଼େ । ରୁମଟାଏ କେତେଦିନ ପାଇଁ ପାଇବାରେ କିଛି ଅସୁବିଧା ହେଲା ନାହିଁ । କାରଣ, ପରିଭ୍ରମଣ ଋତୁ ସେଟା ହୋଇ ନ ଥିବାରୁ ହୋଟେଲ ଫାଙ୍କା ଥିଲା ପ୍ରାୟ ।

 

ଭଡ଼ା ଟିକିଏ ବେଶି ହେଲେ ବି ରୂପକ ଉପର ମହଲାର ଗୋଟିଏ କୋଠରୀ ନେଲା । ଉପର ମହଲାଟା ସେତେବେଳକୁ ଥିଲା ସମ୍ପୂର୍ଣ୍ଣ ଶୂନ୍ୟ । ଶୀତ ଋତୁ । ଯେ କେତେଜଣ ବୋର୍ଡର ଥିଲେ, ସେମାନେ ତଳେ । ରୂପକ ଦେଖିଲା—ଉପର ମହଲାଟି ସବୁ ଦିଗରୁ ତା'ପାଇଁ ଅନୁକୂଳ ।

 

ନିଜ ରୁମଟାର ସମସ୍ତ ବ୍ୟବସ୍ଥା ପ୍ରତି ଥରେ ଦୃଷ୍ଟି ପକାଇ ଦେଇ ଟେଲିଫୋନ୍ ରିସିଭର ଉଠାଇ କିଛି ଖାଦ୍ୟ ପଠାଇ ଦେବାପାଇଁ ମ୍ୟାନେଜରଙ୍କୁ ଅର୍ଡର ଦେଇ କୋଠରୀ ସଂଲଗ୍ନ ବାଥ୍‍ରୁମ୍ କୁ ଧୋଇ ଧାଇ ହେବାପାଇଁ ପଶିଗଲା ସେ । ପୁଣି ଅଳ୍ପ ସମୟ ପରେ ସେଠାରୁ ଫେରି ଆହାରାଦି ଶୀଘ୍ର ଶେଷ କରି ବୟକୁ ବିଦାୟ କରିଦେଇ କବାଟଟିକୁ ଭଲକରି ବନ୍ଦ କଲା ଭିତରୁ। ତା'ପରେ ୱାଚ୍ ଓୟାର୍ ଲେସରେ ପ୍ରାୟ ଅଧା ଘଣ୍ଟାଏ ପର୍ଯ୍ୟନ୍ତ ସଂଯୋଗ ସ୍ଥାପନ କରି କଥାବାର୍ତ୍ତା କଲା କାହା ସହିତ ।

 

ବିଗତ ରାତିର ଅନିଦ୍ରା । କ୍ଳାନ୍ତିରେ ଆଖିପତା ମୁଦି ହୋଇ ଆସୁଥିଲା । କମ୍ବଳଟାକୁ ଦେହ ଉପରକୁ ଟାଣି ଆଣି ନିଶ୍ଚିନ୍ତରେ ଶୋଇଗଲା ସେ ।

 

X X X

 

ପ୍ରଚଣ୍ଡ ବର୍ଷା ତୋଫାନ ଲାଗି ରହିଥିଲା ଘଣ୍ଟାଏ ହେବ । ଶୀତଦିନିଆ କାଲୁଆ ଶୀତ ସାଙ୍ଗକୁ ଏ ତୋଫାନ ବର୍ଷା ଲୋକ ଚଳାଚଳ ପକ୍ଷରେ ଘୋର ଅନ୍ତରାୟ ସୃଷ୍ଟି କରିଥିଲା । ରାସ୍ତାଘାଟ ଥିଲା ସମ୍ପୂର୍ଣ୍ଣ ଜନଶୂନ୍ୟ । ଦୋକାନ ବଜାରର ଅଧିକାଂଶ ପ୍ରାୟ ବନ୍ଦ ।

 

ସେହି ଦୁର୍ଯୋଗମୟ ରାତିରେ କଳା ରଙ୍ଗର ବରଷାତିଟାଏ ମୁଣ୍ଡଠାରୁ ଆଣ୍ଠୁ ପର୍ଯ୍ୟନ୍ତ ଢାଙ୍କି ହୋଇ ରୂପକ ଚାଲିଥିଲା କେଉଁ ଏକ ଅଜ୍ଞାତ ସ୍ଥାନ ସନ୍ଧାନରେ । ଅବିଶ୍ରାନ୍ତ ଗତିରେ ବର୍ଷା ଢାଳୁଥିଲା । ପାହାଡ଼ର ଉଠାଣି ରାସ୍ତା ଦେଇ ସେ ଉପରକୁ ଉଠୁଥିଲା କ୍ରମେ କ୍ରମେ ।

 

ଆଗରେ ଗୋଟାଏ ଲାଇଟ୍ ପୋଷ୍ଟ । ବିଜୁଳି ଆଲୋକ ଅଭାବରେ କିରାସିନି ଲ୍ୟାମ୍ପଟାଏ ଜଳୁଛି ଖୁଣ୍ଟିରେ । ଦୀର୍ଘ ସମୟ ଧରି ଅନବରତ ତୋଫାନରେ ଆନ୍ଦୋଳିତ ହୋଇ କାଚଗୁଡ଼ା କାଳିଚିଆ ଧରିଗଲାଣି ବତୀର । ସେଥିପାଇଁ ଆଲୋକରେ ଉଜ୍ଜ୍ଵଳତା ନାହିଁ । ନିଷ୍ପ୍ରଭ ଆଲୋକ ଖାଲି ଗୋଟିଏ ଆଲୁଅ ଖୁଣ୍ଟିର ସତ୍ତା ଜଣାଇଦେଉଛି ।

 

ଖୁବ୍ ଦ୍ରୁତଗତିରେ ଯାଉ ଯାଉ ରୂପକ ଅଟକିଗଲା ସେଇଠି—ଖୁଣ୍ଟି ତଳେ । ଚାରିଆଡ଼କୁ ଥରେ ସତର୍କଭାବରେ ଦୃଷ୍ଟି ପକାଇ ପକେଟ୍ ରୁ ଯତ୍ନର ସହିତ ବାହାର କଲା ଭଙ୍ଗା ହୋଇ ରହିଥିବା ଖଣ୍ଡିଏ କାଗଜ । ସେ ଖଣ୍ଡିକୁ ସେଇ ନିଷ୍ପ୍ରଭ ଆଲୋକ ରେଖାରେ ଖୋଲି ନିରେଖି ଦେଖିବାକୁ ଲାଗିଲା । କାଗଜଟାରେ ଖାଲି ଗୋଟାଏ ନକ୍‍ସା; ନାଲି, କଳାରେ କେତୋଟା ଅଙ୍କାବଙ୍କା ରେଖା ଛଡ଼ା ଆଉ କିଛି ନାହିଁ । କେତେଟା ତୀରଚିହ୍ନ ଆଉ ବିନ୍ଦୁ ବୋଧହୁଏ ଦିଗ ଆଉ ସ୍ଥାନର ନିର୍ଦ୍ଦେଶ ଦେଉଛି ସେଥିରେ । କାଗଜ ଖଣ୍ଡିକ ଯଥାସ୍ଥାନରେ ରଖିଦେଇ ସେ ଚାହିଁଲା ଆଗକୁ । ରାସ୍ତାର ଧାରେ ଧାରେ ଦେବଦାରୁ ଆଉ ଫାର୍ଣ୍ଣଗଛର ଜଙ୍ଗଲ । ଗଛଗୁଡ଼ା ଖୁବ୍ ଜୋରରେ ଦୋହଲୁଛି ପବନରେ । ତା'ଭିତରେ ଅସଂଖ୍ୟ ଜୁଳୁଜୁଳିଆ ପୋକଜୁକୁ ଜୁକୁ କରିଉଠୁଛନ୍ତି ।

 

ସେଇ ଆଲୋକ ଖୁଣ୍ଟି ପାଖରୁ ରୂପକ ରାସ୍ତା ଛାଡ଼ି ପାଦ ପକାଇଲା ରାସ୍ତାଧାରର ସେଇ ଜଙ୍ଗଲଆଡ଼େ । ଆଠ ଦଶ ପାହୁଣ୍ଡ ଗଲା ପରେ ହାତରେ ତା'ର ଗୁପ୍ତ ଟର୍ଚ୍ଚ ଜଳିଉଠିଲା । ସେଇ ଆଲୋକ ଥିଲା ତା' ପକ୍ଷରେ ରାସ୍ତା ଦେଖିବାପାଇଁ ଯଥେଷ୍ଟ।

 

ଘନ ଜଙ୍ଗଲ ଭିତରେ କିଛି ବାଟ ଗଲା ପରେ ଗୋଟାଏ ପାଦଚଲା ରାସ୍ତା । ଦୁଇ ପାଖରେ କଣ୍ଟା ବୁଦା । ମଝିରେ କେବଳ ଜଣେ ଲୋକ ଚାଲିଯାଇପାରିଲା ପରି ରାସ୍ତା । ଆବଡ଼ାଖାବଡ଼ା, ଉଠାଣି ଆଉ ଗଡ଼ାଣି । ସେଇ ରାସ୍ତାରେ କିଛି ବାଟ ଚାଲି ଚାଲି ଗଲାପରେ ବିଜୁଳି ଆଲୋକରେ ସେ ଦେଖିବାକୁ ପାଇଲା ଆଗରେ ଗୋଟାଏ ଖପରଲି ଘର । ଆଖ ପାଖରେ ଆଉ ଘରଦ୍ୱାର କିଛି ନାହିଁ । ଚାରିଆଡ଼େ ଜଙ୍ଗଲ ।

 

ରୂପକ ଘରଟାକୁ ଦେଖିଲା ମାତ୍ରେ ଦ୍ରୁତ ପଦକ୍ଷେପରେ ସେଇଆଡ଼କୁ ଚାଲିଲା । ଘରର ଖୁବ୍ ପାଖାପାଖି ହେଲା ପରେ ଗୋଟାଏ ଝରକାବାଟେ ଆଲୋକର ଅତି କ୍ଷୀଣ ରେଖାଟିଏ ଦେଖିପାରିଲା । ଏଥର ସେ ମନେ ମନେ ନିଃସନ୍ଦେହ ଭାବରେ ଜାଣିପାରିଲା ଯେ, ତା'ର ଖୋଜୁଥିବା ସ୍ଥାନ ହେଉଛି ଏଇଟା । ସେ ଖୁବ୍ ସତର୍କଭାବରେ ନିଜର ରିଭଲ୍‍ଭରଟିକୁ ବାଗେଇ ଧରି ନିଜକୁ ଯଥାସମ୍ଭବ ଲୁଚାଇରଖି ଚାଲିଲା ସେଇ ଦିଗକୁ—ଯେଉଁଆଡୁ ଆଲୋକର ରେଖା ଆସୁଥିଲା ।

 

ମେଘ ତୋଫାନର ସାଇଁ ସାଇଁ ଶବ୍ଦ ଛଡ଼ା ଆଉ କିଛି ଶବ୍ଦ ନ ଥିଲା ତଳେ ପାଦ ବୁଡ଼ିଯିବା ଭଳି ଜଳସ୍ରୋତ ଛଳ ଛଳ ହୋଇ ଗଡ଼ିଯାଉଥାଏ ତଳକୁ । ରୂପକର ଆଣ୍ଠୁ ପର୍ଯ୍ୟନ୍ତ ଆବୃତ କରି ରଖିଥାଏ ରବର ଜୋତା । ନିଃଶବ୍ଦରେ ଝରକା ପାଖରେ ଠିଆ ହେଲା ସେ । ଭିତରୁ କଥାବାର୍ତ୍ତା ଶୁଣାଯାଉଛି ଦୁଇଜଣଙ୍କ ମଧ୍ୟରେ । କିନ୍ତୁ ଝରକା ଫାଙ୍କବାଟେ ଲୋକ କେହି ଦେଖାଯାଉନାହାନ୍ତି । ଝରକାଟା ମଧ୍ୟ ଯଥେଷ୍ଟ ଉଚ୍ଚ । ଆଉ ଛଅ ଇଞ୍ଚ ଖଣ୍ଡେ କମ୍ ଉଚ୍ଚ ହୋଇଥିଲେ ଭିତରଟା ଦେଖିହୁଅନ୍ତା ଭଲ କରି । କାଳେ ତଳେ କିଛି ସୁବିଧା ଥାଇପାରେ ଭାବି ସେ ଆସ୍ତେ ଆସ୍ତେ ପାଦରେ ଅଣ୍ଡାଳି ପକାଇଲା ଝରକା ତଳଟାକୁ । ସୌଭାଗ୍ୟ ! ଝରକାର ଠିକ୍ ତଳେ ପଡ଼ିଥିଲା ପ୍ରକାଣ୍ଡ ମାଙ୍କଡ଼ା ପଥରଟାଏ । ରୂପକ ତା'ରି ଉପରେ ଠିଆହୋଇ ଖୁବ୍ ସତର୍କତାର ସହିତ ଝରକାଟାକୁ ପ୍ରାୟ ଅଧଇଞ୍ଚେ ଖଣ୍ଡେ ମେଲା କରିଦେଲା । ଭିତରର ଲୋକ କେହି ଅବଶ୍ୟ ଜାଣିପାରିଲେ ନାହିଁ ଏ ଘଟଣା।

 

ରୂପକ ସେଇ ଫାଙ୍କବାଟେ ଦେଖିଲା—ତା'ର ସହଯାତ୍ରୀ ସେଇ ଶିଖ ଭଦ୍ରବ୍ୟକ୍ତିଜଣଙ୍କ ବେଶ୍ ଆରାମରେ ବସିଛନ୍ତି ଗୋଟାଏ ଚୌକୀରେ । ଆଉ ଗୋଟାଏ ଚୌକୀରେ ଜଣେ ବେଶ୍ ନାମଜାଦା ଲୋକ । ରୂପକର ଜାଣିବାକୁ ବିଳମ୍ବ ହେଲା ନାହିଁ ଯେ, ଏଇ ଦ୍ୱିତୀୟ ଲୋକଟା ହେଉଛି ଗୁଲାମ ବକ୍‍ସ—ଦାର୍ଜିଲିଂର ପ୍ରସିଦ୍ଧ ଗୁଣ୍ଡା । ଏହାର ଅସାଧ୍ୟ ବୋଲି କିଛି ନାହିଁ ଜଗତରେ । କେବଳ ଦରକାର ଟଙ୍କା ଆଉ ମଦ । ସାମନାର ଟେବୁଲ ଉପରେ କେତେଟା ମଦ ବୋତଲ ବି ଥୁଆଯାଇଥିଲା । ସେଥିରୁ କେତୋଟା ଶୂନ୍ୟ ହୋଇଯାଇଥିଲା ସେତେବେଳକୁ । ଗୋଲାମ ବକ୍‍ସକୁ ବି ନିଶା ଲାଗିଆସୁଥିଲା ଧୀରେ ଧୀରେ ଉତ୍‍ଫୁଲ୍ଲ ହୋଇଆସୁଥିଲା ସେ ।

 

ଆଗରୁ କଥାବାର୍ତ୍ତା ସବୁ ସରିଯାଇଥିଲା ବୋଧହୁଏ ମଦ ବୋତଲ କେତେଟାର ଶୂନ୍ୟ ଗର୍ଭତା'ର ପ୍ରମାଣ ଦେଉଥିଲା। ଶିଖବେଶଧାରୀ ବ୍ୟକ୍ତିଜଣକ ତାଡ଼ା ତାଡ଼ା ନୋଟ୍ ଗଣି ରଖୁଥିଲେ-। ଗୁଲାମ ବକ୍‍ସ ସେଗୁଡ଼ିକୁ ଆଉ ଥରେ ଗଣି ରଖୁଥିଲା ଥଳିରେ ।

 

''ଗୋପନୀୟତା ଯେପରି ପୂରାପୂରି ରହେ, ଗୁଲାମ ବକ୍ସ!’’ କିଛି ସମୟ ନୀରବତା ଭିତରେ ଟଙ୍କା ଗଣୁ ଗଣୁ କହିଲେ ଶିଖ୍‍ ବେଶଧାରୀ ।

 

''ଆପଣ ସେଥିପ୍ରତି ନିଶ୍ଚିନ୍ତ ରୁହନ୍ତୁ, କ୍ୟାପଟେନ୍ କାଦର ଅଲ୍ଲୀ ! ମୋତେ ଖାଲି ତାରିଖଟା ଜଣାଇଦେଲେ ତେଣିକି ଆପଣ ନିଶ୍ଚିନ୍ତ ।''

 

'କ୍ୟାପଟେନ୍ କାଦର ଅଲ୍ଲୀ'—ନାମଟା ଶୁଣିଲାମାତ୍ରେ ରୂପକ ସାପ ଦେଖିଲା ପରି ଚମକିପଡ଼ିଲା । ଏଇ କାଦର ଅଲ୍ଲୀ ତେବେ ପାକିସ୍ଥାନ ପାରାଚୁଟ୍ ବାହିନୀର ମୁଖ୍ୟକର୍ତ୍ତା ଏବଂ ଗୁପ୍ତଚର ବିଭାଗର ଜଣେ ବିଶିଷ୍ଟ ଅଫିସର । ପାକିସ୍ଥାନ ସାମରିକ ବାହିନୀର ଗୋଟିଏ ମୁଖ୍ୟ ଅଙ୍ଗ ହେଉଛି କାଦର ଅଲ୍ଲୀ । ଏଇ କେତେଦିନ ଧରି ତା' ସହିତ ଆଂଶିକ ମିଳାମିଶାର ସୁଯୋଗ ମିଳିଛି; ମାତ୍ର ରୂପକ ଯେ ଚିହ୍ନିପାରିନାହିଁ, ଏଟା ଦୁର୍ଭାଗ୍ୟ । ଯାହାହେଉ; ସେ ସୁଯୋଗକ୍ରମେ ହାତମୁଠାକୁ ଆସିଯାଇଚି ଯେତେବେଳେ ତାକୁ ଛାଡ଼ିଦେବା ନିତାନ୍ତ ନିର୍ବୁଦ୍ଧିତାର କାମ ହେବ ।

 

''ସେମାନଙ୍କର ନିରାପତ୍ତା ଦାୟିତ୍ୱ କିନ୍ତୁ ତୁମର, ଗୁଲାମ ବକ୍‍ସ ! କେତେ ବଡ଼ ଗୁରୁ କାର୍ଯ୍ୟଭାର ତୁମ ଉପରେ ମୁଁ ଦେଉଛି, ସେକଥା ବୁଝୁଛ ତ ?’’ —କାଦର ଅଲ୍ଲୀ ତୀକ୍ଷଣ ଭାବରେ ନିଶାରେ ରଙ୍ଗ ହୋଇ ଆସୁଥିବା ଗୋଲାମ ବକସର ମୁହଁକୁ ଚାହିଁ କହିଲେ । ଗୋଲାମ ବକ୍ ସର ପ୍ରତିଶ୍ରୁତି ପ୍ରତିସମ୍ପୂର୍ଣ୍ଣ ବିଶ୍ୱାସ ରଖି ପାରୁ ନ ଥିଲେ ସେ ବୋଧହୁଏ ।

 

ଗୁଲାମ ବକ୍‍ସ ହେଁ ହେଁ ହୋଇ ହସି ଉଠି କହିଲା—‘‘ମୋତେ ସେକଥା ଆଉ ଶିଖାଇବାକୁ ହେବନି । କେତେ ଛାପ୍‍ମାର ଆସିବେ ଆସନ୍ତୁ । ମୁଁ ଶୈଳ ବିଳାସରେ ସମସ୍ତଙ୍କୁ ଛଦ୍ମରେ ରଖାଇଦେବି । କେହି ପତ୍ତା ପାଇବେ ନାହିଁ ।''

 

''ଆଚ୍ଛା, ଆଚ୍ଛା, ତାରିଖଟା ମୁଁ ଜଣାଇ ଦେଉଛି ବର୍ତ୍ତମାନ’’—କହି ପକେଟରୁ ଗୋଟାଏ ଛୋଟ ଡାଏରୀ ବହି ସେ ବାହାର କଲେ । ତା'ର ପୃଷ୍ଠାଗୁଡ଼ିକ ଓଲଟ ପାଲଟ କରି କିଛିସମୟ ପରେ କହିଲେ—‘‘ଆଜି ହେଲା ଡିସେମ୍ବର ସାତ । ଡିସେମ୍ବର ଅଣତିରିଶ ତାରିଖ ରାତି ଠିକ୍ ବାରଟାରେ ଆମର ବିମାନବାହିନୀ ଦାର୍ଜିଲିଂର ଏଇ ସବୁ ବଣ ପାହାଡ଼ ଅଞ୍ଚଳରେ ଗୋଟିଏ ଦକ୍ଷ ପାରାଚୁଟ୍ ବାହିନୀଙ୍କୁ ପକାଇ ଦେଇଯିବ । ସେମାନଙ୍କୁ ବିଶ୍ୱାସୀ ଲୋକଙ୍କ ଦ୍ୱାରା ଥଇଥାନ କରିବା ଭାର ତୁମର ।''

 

‘‘ଚିହ୍ନିବି କିପରି ?’’

 

‘‘ସଙ୍କେତ ? ଏଇ ନାଲିରଙ୍ଗର ଚକ୍‍ତି ହେଉଚି ସଙ୍କେତ । ଚକ୍‍ତିର ମଝିରେ ତ୍ରିଭୁଜାକାରରେ ତିନୋଟି ବିନ୍ଦୁ । ଏଇ ଚକ୍‍ତି ଯାହାପାଖରେ ଦେଖିବ, ତାକୁ ହିଁ ଜାଣିବ ତୁମର ମିତ୍ର ପାକିସ୍ଥାନ ବାହିନୀର ଲୋକ ବୋଲି ।''

 

ଗୁଲାମ ବକ୍‍ସ ଟିକିଏ ଚିନ୍ତା କରି କହିଲା—‘‘ହଁ, ଆଜି ସାତ ତାରିଖ । ଅଣତିରିଶ ତାରିଖ ବହୁତ ଡେରି ହେଉଛି । ଆହୁରି ଆଗରୁ ହେଲେ ଭଲ ହୁଅନ୍ତା ।''

 

କ୍ୟାପଟେନ୍ କାଦର ଅଲ୍ଲୀ ସ୍ମିତ ହସି କହିଲେ, ‘‘ତା' ଅବଶ୍ୟ ହୁଅନ୍ତା; କିନ୍ତୁ ତୁମେ ଜାଣ, ପାକିସ୍ଥାନରେ ଅସ୍ତ୍ରଶସ୍ତ୍ରର ଘୋର ଅଭାବ । ଆମେ ନାଗାସୀମାନ୍ତରେ ହିନ୍ଦୁସ୍ଥାନ ଭିତରେ ଗୋଟାଏ ଗୁପ୍ତକାରଖାନା ଖୋଲିଚୁଁ । ସେଇଠି ଆମର ଅସ୍ତ୍ରଶସ୍ତ୍ର ତିଆରି ଚାଲିଚି । ଅନ୍ତତଃ ପଚିଶ ତାରିଖ ସୁଦ୍ଧା ସେଠାରେ ଉତ୍ପାଦନ ଆରମ୍ଭ ହୋଇଯିବ । ସେଇ ସବୁ ଅସ୍ତ୍ରଶସ୍ତ୍ର ନେଇ ଆମେ ଛାପମାରଙ୍କୁ ପଠାଇବୁଁ ଏଠିକି ।''

 

ଗୁଲାମ ବକ୍‍ସ ହେଁ ହେଁ ହେଇ ହସିଉଠି କହିଲା—‘‘ତୁମେ ସରକାର ବଡ଼ ବୁଦ୍ଧିଆ ଏକା କ୍ୟାପଟେନ୍ ସାହେବ !''

 

''ତା’ ନ ହେଲେ କି ହିନ୍ଦୁସ୍ଥାନ ପରି ବିଶାଳ ଦେଶ ବିରୁଦ୍ଧରେ ଅସ୍ତ୍ର ଉତ୍ତୋଳନ କରିବାର ସାହସ କରନ୍ତା ! ତୁମମାନଙ୍କ ପରି ବୀର ସହଯୋଗୀ ତା'ର ବୁଦ୍ଧିର ସଦ୍‍ବ୍ୟବହାର କରାଉଛି । ଆମେ ଚାହୁଁଛୁ ଏ ସବୁ ପାକିସ୍ଥାନର ହେଇଯାଉ ।''

 

''ତା’ ଅବଶ୍ୟ ହେବ—‘‘ଗୁଲାମ ବକ୍‍ସ ଗୋଟାଏ ବୋତଲ ଫିଟାଇ ମୁହଁରେ ଲଗାଇଲା ।

 

''ଛାପମାରଙ୍କ ପଛେ ପଛେ ମୁଁ ବି ଆସିଯିବି ତୁମ ପାଖକୁ । ଜାନୁଆରୀ ଏକ ତାରିଖ, ନୂଆବର୍ଷର ପ୍ରଥମ ଦିନରେ ପାକିସ୍ଥାନ ପକ୍ଷରୁ ସୀମାନ୍ତ ଆକ୍ରମଣ ହେବ । ଆଉ ସେଇଦିନ ଦାର୍ଜିଲିଂରେ ପ୍ରଚଣ୍ଡ ଗଣ୍ଡଗୋଳର ସୂତ୍ରପାତ ହେବ । ଏଇଠାରୁ ଯେପରି ସମଗ୍ର ସୀମାନ୍ତକୁ ଗଣ୍ଡଗୋଳ ବ୍ୟାପିବ, ସେ ଦାୟିତ୍ୱ ତୁମର—‘‘କ୍ୟାପଟେନ୍ କାଦର ଖୁବ୍ ଧୀର ଅଥଚ ଗମ୍ଭୀର ଭାବରେ କହିଲେ ଗୁଲାମ ବକ୍‍ସର ମୁଖମଣ୍ଡଳ ଉପରେ ଦୃଷ୍ଟି ରଖି ।

 

''ସେ ସବୁ ଠିକ୍ ଭାବରେ ଅଲବତ୍ ହେବ—‘‘ଟେବୁଲ ଉପରେ ହାତ ବାଡ଼େଇ ଗୁଲାମ ବକ୍‍ସ ଚିତ୍କାର କରିଉଠିଲା ।

 

କ୍ୟାପଟେନ୍ କାଦର ଦେଖିଲେ, ଗୁଲାମ ବକ୍ ସର ନିଶା ପୁରା ଚଢ଼ିଗଲାଣି ମୁଣ୍ଡକୁ । ଏ ଅବସ୍ଥାରେ ତା' ସହିତ କୌଣସି ଗୁରୁତର ବିଷୟରେ କଥାବାର୍ତ୍ତା କରିବା ଉଚିତ ହେବ ନାହିଁ । ସେ ଉଠିବାର ଉପକ୍ରମ କରି କହିଲେ—‘‘ଆଚ୍ଛା ଗୁଲାମ ଭାଇ ! ମୁଁ ଆସିପାରେ ଏଥର ?''

 

ରୂପକ ଦେଖିଲା, ଆଉ ଅଧିକ ସମୟ ରହିବା ବିପଦ । କଥାବାର୍ତ୍ତା ଶେଷ ହୋଇଯାଇଛି । ଆମୂଳଚୂଳ କଥାବାର୍ତ୍ତା ଶୁଣି ନ ଥିଲେ ବି ଯେତେକ ଶୁଣିହୋଇଛି ଯଥେଷ୍ଟ । ତେବେ କାଦର ଅଲ୍ଲୀ ବର୍ତ୍ତମାନ ବାହାରକୁ ଆସିବା ନିଶ୍ଚିତ । ସେ ବାହାରକୁ ଆସିଲାମାତ୍ରେ ରୂପକ ଧରା ପଡ଼ିଯିବାର ସମ୍ଭାବନା । ବରଂ ତା' ଆଗରୁ ସେଠାରୁ ଖସିଯିବା ଭଲ ଭାବି ସେ ବାହାରି ଆସିବାକୁ ପ୍ରସ୍ତୁତ ହେଲା । ମାତ୍ର ଦୁର୍ଯୋଗ ! ନିଜର ଅବସ୍ଥିତି ସାମାନ୍ୟ ପରିବର୍ତ୍ତନ କଲାକ୍ଷଣି ପଥର ଉପରୁ ପାଦ ଦୁଇଟା ତା'ର ଖସିଗଲା। ଓଜନଦାର୍ ରବର ଜୋତା ତଳେ ପିଟିହେବା ଦ୍ୱାରା ଯେଉଁ ଶବ୍ଦ ହେଲା ତାହା ଝଡ଼ ତୋଫାନର ଶବ୍ଦକୁ ଭେଦ କରି ଗୁଲାମ ବକ୍‍ସର ଶିକାରୀ ସତର୍କ କାନରେ ବାଜିଗଲା । ସେହି ଶବ୍ଦ ଶୁଣିଲାମାତ୍ରେ ବିଷଧର ନାଗ ପରି ସେ ଚମକିପଡ଼ି ଏକା ଠେଲାରେ ଚେୟାରଟାକୁ ପଛକୁ ହଟାଇଦେଲା ଦରଜା ଖୋଲି ବାହାରି ଆସିଲା ବାହାରକୁ । ସେଇ ଅନ୍ଧକାରରେ ବି ହାତରେ ରିଭଲଭର୍ ତ ତା'ର ଚକ୍ ଚକ୍ କରି ଉଠୁଥିଲା ।

 

ପାଦଶବ୍ଦଟା ଶୁଣାଯିବା ସଙ୍ଗେ ସଙ୍ଗେ ଗୁଲାମ ବକ୍‍ସର ହାବଭାବରେ ଆକସ୍ମିକ ପରିବର୍ତ୍ତନ ରୂପକ ଭଲଭାବରେ ଲକ୍ଷ୍ୟ କରିପାରିଥିଲା ଏବଂ ତା'ର ପରିଣାମ ଯେ କ’ଣ ହୋଇପାରେ ସେ ବିଷୟ ମଧ୍ୟ କିଛି କିଛି ଅନୁମାନ କରିପାରିଥିଲା। ସେଥିପାଇଁ ମୁହୂର୍ତ୍ତକ ମଧ୍ୟରେ ସେ ନିଜକୁ ପ୍ରସ୍ତୁତ କରି ନେଇଥିଲା ।

 

ଗୁଲାମ ବକ୍‍ସ ଶବ୍ଦଟା ଝରକା ନିକଟରୁ ଆସିଛି ବୋଲି ନିଶ୍ଚୟ ଅନୁମାନ କରିଥିବ । ସେୟାକୁ ଲକ୍ଷ୍ୟ କରି ସେ ଧାଇଁ ଆସିବ ନିଶ୍ଚୟ । ତେଣୁ ରୂପକ ଆଖିର ପଲକମାତ୍ର ସମୟ ଭିତରେ ଝରକା ନିକଟରୁ ଅପସରିଯାଇ ଦ୍ୱାର ନିକଟରେ ସେଇ ଅନ୍ଧକାରରେ ଆତ୍ମଗୋପନ କରିନେଲା । ଏତେ ଗାଢ଼ ଅନ୍ଧକାର ରାତି । ସେଥିରେ ଦେହରେ ଥିଲା ତା'ର କଳାରଙ୍ଗର ରବର ଓଭରକୋଟ୍ । ନିଜକୁ ଲୁଚାଇବା ଦିଗରେ କିଛି ଅସୁବିଧା ହେଲା ନାହିଁ ।

 

ଗୁଲାମ ବକ୍‍ସ ଦରଜାଟାକୁ ଧଡ଼ାସ୍ କରି ଖୋଲିଦେଇ ରିଭଲଭର୍‍ର ମୁହଁଟା ସାମନା ଆଡ଼କୁ ଦେଖାଇ ଦ୍ୱାର ଟପିଲାକ୍ଷଣି ରୂପକ ବାଘପରି କୁଦିପଡ଼ିଲା ତା' ଉପରକୁ । ତା' ସଙ୍ଗେ ସଙ୍ଗେ ଗୋଟାଏ ପ୍ରଚଣ୍ଡ ଘୁଷି ଲଗାଇଦେଲା ତା' କାନମୁଣ୍ଡାରେ । ଆଘାତଟା ଖୁବ୍ ପ୍ରବଳ ଥିଲା ଏବଂ ସେପରି ଆଘାତ ପାଇଁ ଗୁଲାମ ବକ୍‍ସ ପ୍ରସ୍ତୁତ ନ ଥିଲା । ନିଶା ପ୍ରକୋପରେ ପାଦ ଦୁଇଟା ତା'ର ଟଳମଳ ହେଉଥିଲା । ସେଇ ଗୋଟିଏ ଘୁଷିରେ ସେ କବାଟରେ ପିଟି ହୋଇପଡ଼ିଲା ଘର ଭିତରେ । ତା' ସଙ୍ଗେ ସଙ୍ଗେ ଭୀଷଣ ଗର୍ଜନଟାଏ କରି ଉଠିପଡ଼ିଲା ବେଳକୁ ରୂପକ ବିଜୁଳି ପରି କବାଟଟାକୁ ଟାଣି ଆଣି ଲଗାଇଦେଲା ବାହାର ପଟରୁ । ଗୁଲାମ ବକ୍‍ସ ଏପରି ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇ ନ ଥିଲା କେବେହେଲେ । ଏ ଘଟଣାରେ ସେ ଲଜ୍ଜିତ ଏବଂ କ୍ରୋଧରେ ଉନ୍ମତ୍ତ ପରି ହୋଇ ରିଭଲଭର୍ ରଟି ଗାର ଉପରେ ଘନ ଘନ ଆଙ୍ଗୁଳିର ଚାପ ଦେବାକୁ ଲାଗିଲା । ‘‘ଗୁଡ଼ମ୍, ଗୁଡ଼ମ୍, ଗୁଡ଼ମ୍ ଶବ୍ଦ କରି ଗୁଳିଗୁଡ଼ା କବାଟରେ ବାଜି ରହିବା ଛଡ଼ା ବାହାରକୁ ଯିବାର ଉପାୟ ନ ଥିଲା ।

 

କ୍ୟାପଟେନ କାଦର ଏସବୁ ଘଟଣାର ଅଗମୂଳ କିଛି ବୁଝି ନ ପାରି ସ୍ଥାଣୁ ପରି ବସି ରହିଥିଲେ ।

 

ରୂପକ ଦେଖିଲା, ବିଳମ୍ବର ଅର୍ଥ ସାଂଘାତିକ ବିପଦକୁ ଆମନ୍ତ୍ରଣ କରିବା । ସେଇ ଘୋର ଅନ୍ଧକାର ଭିତରେ ଜୀବନମୂର୍ଚ୍ଛା ଧାଇଁବାକୁ ଲାଗିଲା ସେ ମେନ୍ ରୋଡ୍ ଅଭିମୁଖରେ ।

 

ଝଡ଼ବର୍ଷାର ବିରାମ ନ ଥିଲା ।

 

ଅନ୍ଧାର ଆହୁରି ଘନେଇ ଉଠିଥିଲା ।

 

ରାତି ବି ଗଭୀର, ନିଃଶବ୍ଦ, ନିର୍ଜନ ହୋଇଯାଇଥିଲା ।

 

–ଦଶ–

 

ରମଣୀକାନ୍ତ ଚାଟାର୍ଜି, ଆଇ. ପି. ଏସ୍, ସୁପରିଣ୍ଟେଣ୍ଡେଣ୍ଟ୍ ଅଫ ପୋଲିସ୍ । ଫାଟକରେ ପ୍ରକାଣ୍ଡ ପିତ୍ତଳ ନେମପ୍ଲେଟରେ ଖୋଦାଇ ଏହି ନାମ ଓ ପଦବୀକୁ ଖଣ୍ଡେ ଦୂରରୁ ବି ଯେ କେହି ସହଜରେ ପଢ଼ି ନେଇପାରିବ । ଫାଟକରେ ସଦାସର୍ବଦା ସଶସ୍ତ୍ର ପୋଲିସ୍ ପହରା । ଅନୁମତି ବିନା ଭିତରେ ପ୍ରବେଶ ଅସାଧ୍ୟ । ଚତୁର୍ଦ୍ଦିଗରେ ସୁଦୃଢ଼ ପାଚେରୀ ଘେରା । ମଝିରେ ବଂଗଲୋ ପ୍ୟାଟର୍ଣ୍ଣର ଏକମହଲା କୋଠାଟିଏ । ଆଗରେ ଦେଶୀ ବିଦେଶୀ ଫୁଲର ବଗିଚା । ଆଖପାଖରେ ଖଣ୍ଡେ ଦୂର ପର୍ଯ୍ୟନ୍ତ ଘରଦ୍ୱାର କିଛି ନାହିଁ । ତେଣୁ ସ୍ଥାନଟି କୋଳାହଳଠାରୁ ଦୂରରେ । ପରିବେଶ ବେଶ୍ ମନୋରମ ।

 

ସକାଳ ସାଢ଼େ ଆଠଟା ହେବ ।

 

ବାଦାମୀ ରଙ୍ଗର ଲ୍ୟାଣ୍ଡ୍ ମାଷ୍ଟର ଗାଡ଼ିଖଣ୍ଡି ଫାଟକ ନିକଟରେ ବ୍ରେକ୍ କଲା । ଆରୋହୀ ସ୍ଵୟଂ ଚାଳକ । ପକେଟରୁ କାର୍ଡ ଖଣ୍ଡି ବାହାରକରି ଦେଖାଇଲା ମାତ୍ରେ ଜଗୁଆଳି ପୋଲିସ ଜଣକ ସେଲ୍ୟୁଟ୍ ଦେଇ ଫାଟକ ଖୋଲିଦେଲା । ଗାଡ଼ି ଚାଲିଗଲା ଭିତରକୁ । ତା' ପଛେ ପଛେ ଫାଟକ ପୁଣି ବନ୍ଦ ।

 

ସାମନା ପଟ ବଖରାଟା ପ୍ରାଇଭେଟ୍ ରୁମ୍ । ଦୁଆରେ ଅର୍ଦ୍ଦଳି ବସିଥିଲା ଗୋଟାଏ ଟୁଲ୍ ଉପରେ । ଆରୋହୀ ବାରଣ୍ଡା ଉପରକୁ ଉଠିଯାଇ ପକେଟରୁ ଭିଜିଟିଂ କାର୍ଡ ଖଣ୍ଡି ବାହାର କରି ହାତରେ ଦେଲେ ତା'ର । ଅର୍ଦ୍ଦଳୀ ପରଦା ଆଡ଼େଇ ଭିତରକୁ ଚାଲିଗଲା ଏବଂ ପ୍ରାୟ ଅଧମିନିଟ୍ ଭିତରେ ଫେରିଆସି ସାହେବ ଅପେକ୍ଷା କରିଥିବା ବିଷୟ ଜଣାଇଲା । ଆଗନ୍ତୁକ ଦରଜା ଆଡ଼େଇ ଭିତରକୁ ପଶିଗଲେ ।

ଅଫିସ୍ ରୁମର ଗୋଟିଏ ସୋଫାରେ ଉପବେଶନ କରିଥିଲେ ଏସ୍.ପି. ଚାଟାର୍ଜି ସାହେବ । ଆଗନ୍ତୁକଙ୍କୁ ଦେଖିଲାମାତ୍ରେ ଆସନରୁ ଉଠି କରମର୍ଦ୍ଧନ କଲେ ତାଙ୍କ ସହିତ । ତା'ପରେ ଆସନ ଗ୍ରହଣ କରିବାକୁ ଅନୁରୋଧ କଲେ ।

ଆଗନ୍ତୁକଙ୍କ ପୋଷାକପତ୍ରରେ ଚାକଚକ୍ୟ ନ ଥିଲା । ମୁଖର ଭାବ ଥିଲା ଠିକ୍ ଜଣେ ଚିନ୍ତାଶୀଳ, ଗମ୍ଭୀର ପ୍ରକୃତିର ଲୋକର ଯେପରି ହେବାର କଥା, ସେହିପରି ।

''ଆପଣ ଯେ ଯଥାସମୟରେ ଆସିବେ, ସେ କଥା ମୁଁ ଆଶା ଯେପରି ଡକ୍‍ଟର ସାହାବ-! ପ୍ରଥମେ ଆଳାପ ଆରମ୍ଭ କଲେ ଏସ୍.ପି. ସାହେବ ।

''କାର୍ଯ୍ୟର ଗୁରୁତ୍ୱ ଦୃଷ୍ଟିରୁ ସମୟାନୁସାରେ ତତ୍ପର ହେବାକୁ ତ ପଡ଼ିବ ନିଶ୍ଚୟ । ବର୍ତ୍ତମାନ ପରିସ୍ଥିତି ଯେପରି ନା, ହେଳା କଲେ କଣ ଚଳେ ?''

—‘‘ବାସ୍ତବିକ ଡକ୍ଟର ସାହା, ଆପଣ ଜଣେ ବୈଜ୍ଞାନିକ ହୋଇ ଯେ ଏତେ ଖବର କିପରି ରଖିପାରିଲେ ସେଇଟାହିଁ ମୋତେ ବିସ୍ମିତ କରୁଛି । ଆପଣ କାଲି ବହୁ ତଥ୍ୟ ଏବଂ ଅଭିଯୋଗ ସମ୍ବଳିତ ଯେଉଁ କାଗଜପତ୍ର ଦେଇଯାଇଥିଲେ ସେ ସବୁକୁ ମୁଁ ତନ୍ନ ତନ୍ନ କରି ପଢ଼ି ଦେଖିଛି । ସେକଥା ଯଦି ସତ୍ୟ ହୋଇଥାଏ, ତେବେ ଆମର ସୀମାନ୍ତ ପରିସ୍ଥିତି ଯେ ବର୍ତ୍ତମାନ ବିପନ୍ନ ଏଥିରେ ଆଦୌ ସନ୍ଦେହ ନାହିଁ । ଖୁବ୍ ଶୀଘ୍ର ଯେ କିଛି ଗୋଟାଏ ଗୁରୁତର କାଣ୍ଡ ଘଟି ନ ଯିବ, ତାହା କିଏ କହିବ ?''

 

‘‘ଘଟିବ ମଧ୍ୟ ନିଶ୍ଚୟ । ସର୍ବଶେଷ ସମ୍ବାଦ ମୁଁ ଯାହାପାଇଛି ସେଥିରୁ ଜଣାଯାଉଛି ଯେ, ଡିସେମ୍ବର ଅଣତିରିଶ ତାରିଖ ରାତି ଠିକ୍ ବାରଟାରେ ଭାରତ ଉପରେ ପାକିସ୍ଥାନ ବିମାନ ବାହିନୀର ଜେଟ୍ ବିମାନରୁ ଏକ ପାରାଚ୍ୟୁଟ୍ ଗୁପ୍ତଚରଦଳଙ୍କୁ ଓହ୍ଲାଇ ଦିଆଯିବ । ପ୍ରଥମ ଥର ପାଇଁ ଏମାନଙ୍କୁ ଦାର୍ଜିଲିଂର ପାର୍ବତ୍ୟ ଅଞ୍ଚଳରେ ଛାଡ଼ି ଦିଆଯିବ । ସେଠାରୁ ସେମାନଙ୍କୁ ବିଭିନ୍ନ ସ୍ଥାନକୁ ପଠାଯିବ । ଅନ୍ତର୍ଘାତୀ, ଭଙ୍ଗାରୁଜା କାମରେ ଏମାନଙ୍କୁ ବିଶେଷ ତାଲିମ୍ ଦିଆଯାଇଛି । ତା' ପରେ ଦେଶରେ ଘୋର ଅନ୍ତର୍ବିପ୍ଳବ ସୃଷ୍ଟି ହେଲେ ପୋଲିସ ଓ ସାମରିକ ବିଭାଗ ତା'ର ଶାନ୍ତିଶୃଙ୍ଖଳା ରକ୍ଷା ଦିଗରେ ବ୍ୟସ୍ତ ରହିବେ । ଏତିକିବେଳେ ଅର୍ଥାତ୍ ଜାନୁୟାରୀ ଏକ ତାରିଖ ଦିନ ସୀମାନ୍ତ ଉପରେ ଆକ୍ରମଣ ଆରମ୍ଭ ହେବ ।''

 

ଏସ୍. ପି. ସାହେବ ଏ ଚାଞ୍ଚଲ୍ୟକର ବିବରଣୀ ଶୁଣିବା ସଙ୍ଗେ ସଙ୍ଗେ ମନେ କରୁଥିଲେ ଯେପରି କେଉଁ ଏକ ଯାଦୁକରର ଯାଦୁକରୀ କାହାଣୀ ଶୁଣୁଛନ୍ତି । ତା' ସଙ୍ଗେ ସଙ୍ଗେ ଏଇ ବୈଜ୍ଞାନିକ ଡକ୍ଟର ଶିବଶେଖର ସାହା ଯେ କିପରି ଏତେ ଖବର ସଂଗ୍ରହ କରିପାରିଲେ ତାହା ତାଙ୍କୁ ବିସ୍ମିତ କରିଥିଲା । ସେ ମଧ୍ୟ ଏତେ ଖବର ରଖିବାଦିଗରେ କାହିଁକି ଏତେ ଆଗ୍ରହୀ ସେ କଥା ତାଙ୍କ ମନରେ ଏକ ପ୍ରଶ୍ନବାଚକର ସୃଷ୍ଟି କରିଥିଲା । ମାତ୍ର ଭଦ୍ରତା ଦୃଷ୍ଟିରେ ସେ ସିଧାସଳଖ କିଛି ପଚାରି ପାରୁ ନ ଥିଲେ । ବରଂ ତାଙ୍କର ଅନ୍ତରର କଥା ଜାଣିବାକୁ ଚେଷ୍ଟା କରୁଥିଲେ ।

 

''ଆପଣ ଏସବୁ ଖବର କେଉଁସୂତ୍ରରୁ ପାଇପାରୁଛନ୍ତି, ତାହା ଯଦି ଆମକୁ ଜଣାନ୍ତେ ତେବେ ଆମେ ଅବଶ୍ୟ ଆହୁରି କିଛି ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟିତ ହୁଅନ୍ତୁ—'' ଏସ୍.ପି. ସାହେବ କହିଲେ ।

 

ତାଙ୍କ କଥା ଶୁଣି ଡକ୍ଟର ସାହା କେତୋଟି ମୁହୂର୍ତ୍ତ କ’ଣ ଚିନ୍ତାକରି କହିଲେ, ''ହଁ, ମିଷ୍ଟର ଚାଟାର୍ଜି ! ମୁଁ ସେସବୁ ନିଶ୍ଚୟ ଆପଣଙ୍କୁ ଜଣାଇ ଦେଇଯିବି । କାରଣ ଆଜି ମୁଁ ଏଠାରୁ ଚାଲିଯିବି ସୀମାନ୍ତକୁ । ମୁଁ ଜଣେ ବୈଜ୍ଞାନିକ । ସ୍ୱୀୟ ବୁଦ୍ଧିବଳରେ ମୁଁ ଦେଶସେବାରେ ମୋର ସକଳ ଶକ୍ତି ବ୍ୟୟ କରିବି ବୋଲି ପ୍ରତିଜ୍ଞା କରିଛି । ମୋର ସହକାରୀ ସେଠାକୁ ଚାଲିଗଲାଣି ବହୁପୂର୍ବରୁ ।’’

 

''ସେଠାରେ ଆପଣଙ୍କର ଉପସ୍ଥିତି କ’ଣ ଏକାନ୍ତ ଆବଶ୍ୟକ?'' ବିସ୍ମୟ ପ୍ରକାଶ କରି କହିଲେ ମିଷ୍ଟର ଚାଟାର୍ଜି ।

 

‘‘ହଁ, ହିନ୍ଦୁସ୍ଥାନର ନାଗାହିଲ୍ ଭିତରେ ପାକିସ୍ଥାନ ବୈଜ୍ଞାନିକ ଜନାବ ଅସଗର ଅଲ୍ଲୀ ଗୋଟାଏ ଅତି ଆଧୁନିକ ଓ ମାରାତ୍ମକ ଅସ୍ତ୍ରଶସ୍ତ୍ର ତିଆରି କାରଖାନା ଖୋଲିଦେଇଛି । ସେଇଠାରୁ ସେ ବିଦ୍ରୋହୀ ନାଗା, ମିଜୋ ଏବଂ ପାକିସ୍ଥାନୀ ଗୁପ୍ତଚରଙ୍କୁ ସାହାଯ୍ୟ ଯୋଗାଇଦେଉଚି । ମୋର ସର୍ବପ୍ରଥମ କାର୍ଯ୍ୟ ହେବ, ସେ କାରାଖାନାଟିକୁ ପୂରାପୂରି ଧ୍ଵଂସ କରିଦେବା ।''

 

''ଓଃ ! ସେ ତ ବଡ଼ ବିପଦ୍ ଜନକ କାମ !'' ଏସ୍. ପି. ମିଷ୍ଟର ଚାଟାର୍ଜି ଚମକି ପଡ଼ିଲେ ।

 

—‘‘ହଁ, ବିପଦ୍ ଜନକ ନିଶ୍ଚୟ । ସେଠି ବୈଜ୍ଞାନିକ ସହିତ ବୈଜ୍ଞାନିକର ବିଦ୍ୟାବୁଦ୍ଧିର ଖେଳ । ତେବେ ମୋର ଚିନ୍ତା ନାହିଁ ସେଥିପ୍ରତି । ହୁଏତ ଦେଶ ପାଇଁ ପ୍ରାଣ ଦେବି ବା ଦେଶକୁ ରକ୍ଷା କରିବି ।''

 

‘‘ଯାହାହେଉ ଆପଣଙ୍କ ଉଦ୍ଦେଶ୍ୟ ଅତି ମହତ୍ । ଆଚ୍ଛା, ମୁଁ ଗୋଟାଏ କଥା ପଚାରିପାରେ ?''

 

—‘‘ହଁ, ନିଶ୍ଚୟ । ପଚାରନ୍ତୁ ।''

 

—‘‘ମୁଁ ଭାବୁଛି, ଆପଣ ଆପଣଙ୍କର ପ୍ରକୃତ ପରିଚୟ ଗୋପନ ରଖୁଛନ୍ତି । ଜଣେ ବୈଜ୍ଞାନିକ ଖୁବ୍ ଦେଶପ୍ରେମୀ ହୋଇପାରେ, ସେଥିରେ ମୋର ସନ୍ଦେହ ନାହିଁ; ମାତ୍ର ସେ କେବେ ଏତେଦୂର ସାହସୀ, କଷ୍ଟସହିଷ୍ଣୁ ହୋଇପାରେ ନା । ଯଦି ଆପତ୍ତି ନ ଥାଏ—’’

 

ଡକଟର ସାହା ହସିଉଠି କହିଲେ—‘‘ନା,ନା, ମୋର ଆପତ୍ତି କୌଣସିଥିରେ ନାହିଁ । ମୋର ପରିଚୟହିଁ କେବଳ ଡକ୍‍ଟର ଶିବଶେଖର ସାହା, ସାଇଣ୍ଟିଷ୍ଟ୍ । ୟା' ପଛରେ ଆଉ କିଛି ପରିଚୟ ଲୁକ୍‍କାୟିତ ଅଛି କି ନା, ତା ବର୍ତ୍ତମାନ ଜାଣିବା ପାଇଁ ଆଦୌ ଆଗ୍ରହ ପ୍ରକାଶ କରନ୍ତୁ ନାହିଁ-। ଯଥାସମୟରେ ସତ୍ୟ ଅବଶ୍ୟ ଆତ୍ମପ୍ରକାଶ କରିବ । ବରଂ ଆପଣ ମୋତେ ଏଥିରେ ସାହାଯ୍ୟ କରନ୍ତୁ ।''

 

''ନିଶ୍ଚୟ ! ସବୁପ୍ରକାର ସାହାଯ୍ୟ କରିବାକୁ ମୁଁ ପ୍ରସ୍ତୁତ । କହନ୍ତୁ, ଆପଣଙ୍କ ପାଇଁ ମୋର କ’ଣ କରିବା ଦରକାର ?’’ ନିଜ କଥାଉପରେ ଖୁବ୍ ଚାପ ଦେଇ କହିଲେ ମିଷ୍ଟର ଚାଟାର୍ଜି ।

 

—‘‘ବେଶି କିଛି ନୁହେଁ; ଆପଣ ମୋ ପାଇଁ ଖଣ୍ଡିଏ ପରିଚୟ ପତ୍ର ଯୋଗାଡ଼ କରିବେ, ଯାହା ବଳରେ ମୁଁ ସବୁ ସ୍ଥାନକୁ ଯାଇପାରିବି । ଦ୍ୱିତୀୟ କଥା, ଯଥା ସମୟରେ, ଯଥାସ୍ଥାନରେ ଯେପରି ସାମରିକ ସାହାଯ୍ୟ ପହଞ୍ଚେ ।''

 

''ତା' ନିଶ୍ଚୟ ହେବ । ମୁଁ ବର୍ତ୍ତମାନ ଆର୍ମି ହେଡ୍‍କ୍ୱାଟର ସହିତ କଥାବାର୍ତ୍ତା କରି ତା'ର ବ୍ୟବସ୍ଥା କରୁଛି । ସନ୍ଧ୍ୟାକୁ ସମସ୍ତ ବ୍ୟବସ୍ଥା ସହ ମୁଁ ଆପଣଙ୍କ ବାସଭବନରେ ପହଞ୍ଚିବି । ହଁ, ଆପଣଙ୍କ ଯିବାର ବ୍ୟବସ୍ଥା ?''

 

—‘‘ତା' ମୋର ଅଛି । ଆପଣ ଭୁଲିଯାଉଛନ୍ତି ଯେ ମୁଁ ଜଣେ ବୈଜ୍ଞାନିକ । ମୋର ନିଜ ବୁଦ୍ଧିରେ ତିଆରି ଦୁଇଜଣିଆ ବେବୀ ହେଲିକପ୍‍ଟରଟିଏ ଅଛି, ଯାହାର ଗତି କୌଣସି ଜେଟ୍ ବିମାନର ଗତି ସହିତ ସମାନ । ତା'ର ବିଶେଷତ୍ୱ ଏହି ଯେ, ତା'ର ଶବ୍ଦ ନାହିଁ; କୌଣସି ପ୍ରକାର ଗୁଲିଗୁଳା ଆଘାତରେ ତାର କିଛି କ୍ଷତି ହେବ ନାହିଁ ।''

 

—''ଆଶ୍ଚର୍ଯ୍ୟ ! ଏ ତ ବିଚିତ୍ର ଆବିଷ୍କାର ! ଏ ଦେଶର ଦୁର୍ଭାଗ୍ୟ, ଆପଣଙ୍କ ପରି ଯୋଗ୍ୟ ସନ୍ତାନର ପରିଚୟ ଏପର୍ଯ୍ୟନ୍ତ ପାଇନାହିଁ ।''

 

ଡକ୍ଟର ସାହା ହାତଘଡ଼ିକୁ ଚାହିଁ ଟିକେ ବିଚଳିତ ହୋଇପଡ଼ିଲେ । ହୁଏତ ତାଙ୍କର ଅନ୍ୟ କାର୍ଯ୍ୟକ୍ରମ ପାଇଁ ସମୟ ହୋଇଯାଇଥିଲା । ସେ ମିଷ୍ଟର ଚାଟାର୍ଜିଙ୍କୁ ସହିତ କରମର୍ଦ୍ଦନ କରି ବିଦାୟ ନେଇ ଆସିଲେ ।

 

ଲ୍ୟାଣ୍ଡମାଷ୍ଟର ପୁଣି ବିଜୁଳି ପରି ଚାଲିଲା ତା'ର ଗନ୍ତବ୍ୟ ପଥରେ ।

 

–ଏଗାର–

 

ରାସ୍ତାର ନିର୍ଜନତା ଏବଂ ରାତ୍ରିର ଗଭୀରତା ରୂପକକୁ ସେଦିନ ଲୁକା୍‍ୟିତଭାବରେ ପଳାଇଆସିବାରେ ବିଶେଷ ସାହାଯ୍ୟ କରିଥିଲା । ଦେହରେ କଳା ବରଷାତି ପୋଷାକ ଦେଖି କେହି ହୁଏତ ସନ୍ଦେହ କରିଥାନ୍ତା କି କଣ, କିନ୍ତୁ ରାତି ଡିଉଟିର ଜଗୁଆଳି ପୋଲିସ ମନେକରି କେହି ତାକୁ କୌଣସି ପ୍ରଶ୍ନ କରିନାହାନ୍ତି । ସେ ନିର୍ବିଘ୍ନରେ ନିଜ ହୋଟେଲରେ ପହଞ୍ଚିପାରିଥିଲା । ପହଞ୍ଚିବା ସଙ୍ଗେ ସଙ୍ଗେ ୱାଚ୍ ଓୟାରଲେସ୍‍ର ଦୀର୍ଘ ସମୟ ଧରି କିଛି କଥାବାର୍ତ୍ତା କଲାପରେ ନିଜର ଜିନିଷପତ୍ର କେତେଖଣ୍ଡି ବନ୍ଧାବନ୍ଧି କରି ରଖିନେଲା ।

 

X X X

 

ସୁଦୂର ଦାର୍ଜିଲିଂର ସେହି ଅନାମଧେୟ ହୋଟେଲର ନିଭୃତ କକ୍ଷରେ ରୂପକ ଅନିର୍ଦ୍ଦିଷ୍ଟ ଯାତ୍ରାର ଆୟୋଜନ କରୁଥିବା ସମୟରେ ଡକ୍ଟର ଶିବଶେଖର ସାହା ବୈଜ୍ଞାନିକଙ୍କ ବାସଭବନରେ ଏକ ଗୁପ୍ତମନ୍ତ୍ରଣା ସଭା ଅନୁଷ୍ଠିତ ହେଉଥିଲା ।

 

ସେଠାରେ ଉପସ୍ଥିତ ଥିଲେ ଏସ୍: ପି: ମିଷ୍ଟର ଚାଟାର୍ଜି, ପୋଲିସ୍ ଇନ୍‍ସପେକ୍ଟର ଜେନେରାଲ ମିଷ୍ଟର ଗୁପ୍ତା, ମେଜର ରାୟ ଚୌଧୁରୀ ପ୍ରଭୃତି । ମନ୍ତ୍ରଣା କକ୍ଷା ନିଷ୍ପ୍ରଭ ଆଲୋକରେ ଅଳ୍ପ ଆଲୋକିତ ହୋଇଥିଲା । ଗୋଟିଏ ବୃହଦାକାର ଟେବୁଲକୁ ଘେରି କେତୋଟି ଚେୟାର ଅଧିକାର କରି ଉପବେଶନ କରିଥିଲେ ସମସ୍ତେ । ଟେବୁଲ ଉପରେ ମାନଚିତ୍ରଟାଏ ଖୋଲାହୋଇ ପଡ଼ିଥିଲା । ବୈଜ୍ଞାନିକ ଡକ୍‍ଟର ସାହା ମାନଚିତ୍ରର ବିଭିନ୍ନ ସ୍ଥାନରେ ଆଙ୍ଗୁଳି ନିର୍ଦ୍ଦେଶ କରି ଖୁବ୍ ଚାପାଗଳାରେ କ’ଣ ବୁଝାଉଥିଲେ। ମଝିରେ ମଝିରେ ନାଲି ନୀଳ ମୁଣ୍ଡ ଥିବା ଆଲପିନ ଲଗାଇ ସ୍ଥାନ ଚିହ୍ନିତ କରୁଥିଲେ । ଅନ୍ୟମାନେ ମୁଣ୍ଡ ଝୁଙ୍କାଇ ସେ ନିର୍ଦ୍ଦେଶିତ ସ୍ଥାନକୁ ଖୁବ୍ ମନଯୋଗ ସହ ଲକ୍ଷ୍ୟ କରୁଥିଲେ ।

 

''ଆଚ୍ଛା, ଏଇ ଯେଉଁ ରାସ୍ତା—ଯାହାକୁ କି ଶତ୍ରୁମାନେ ନିବିଡ଼ ପାର୍ବତ୍ୟ ଅଞ୍ଚଳରେ ନିର୍ମାଣ କରିଛନ୍ତି ବୋଲି କହୁଛନ୍ତି, ସେଟା ମିଳିତ ହେଲା କେଉଁଠି ?'' —ନୀରବତା ଭାଙ୍ଗି କହିଲେ ମେଜର ରାୟ ଚୌଧୁରୀ ।

 

''ସେଟା ଏପର୍ଯ୍ୟନ୍ତ ବି ଜଣାଯାଇନାହିଁ, କାରଣ ରାସ୍ତା ଗୋଟାଏ ନୁହେଁ, ତିନିଟା । ସେ ତିନିଟା ପାକିସ୍ଥାନର ତିନୋଟି ସାମରିକ ସୀମାନ୍ତ କେନ୍ଦ୍ରରୁ ଗୋପନରେ ନାଗାହିଲ ଭିତରକୁ କରାଯାଉଛି । ମୋର ଯେତେଦୂର ଅନୁମାନ, ଲକ୍ଷ୍ମୀପୁର ଏବଂ ଗୋରାପୁର ଭିତରେ ଯେଉଁ ଦୀର୍ଘ ଆଠ ମାଇଲ ଘୋର ଦୁର୍ଗମ ପାର୍ବତ୍ୟ ଅଞ୍ଚଳ ରହିଗଲା, ରାସ୍ତା ତିନୋଟିର ମିଳନ ସ୍ଥାନ ସେଇଠି । ଏଇ ତିନି ରାସ୍ତାର ମିଳନ ସ୍ଥାନରେ ଗୁପ୍ତ କାରଖାନା । ବର୍ତ୍ତମାନ ସୁଦ୍ଧା ସେହି ସ୍ଥାନଟି ଆମର ଅଜ୍ଞାତ ହୋଇରହିଛି।''

 

''ତେବେ ଉପାୟ ?'' ହତାଶ ହୋଇ ପଚାରିଲେ ପୋଲିସ୍ ଆଇ.ଜି. ।

 

''ମୁଁ ତ କେବଳ ସେଇଥିପାଇଁ ଯାଉଛି । ଯେକୌଣସି ପ୍ରକାରେ ହେଉ, କାରାଖାନାଟାକୁ ବାହାର କରିବି । ତା' ସଙ୍ଗେ ସଙ୍ଗେ ତାକୁ ଧ୍ଵଂସ କରିବାର ବ୍ୟବସ୍ଥା ମଧ୍ୟ କରିବି । ଏସବୁ କାମ ଅଣତ୍ରିଶ ତାରିଖ ସୁଦ୍ଧା ଶେଷ କରିବାକୁ ହେବ । ତା' ନ ହେଲେ ଆମ ଦେଶର କ୍ଷତି ସୁନିଶ୍ଚିତ ।''

 

''ନା, ନା, ଆମକୁ ତା'ର ପ୍ରତିରୋଧ କରିବାକୁ ହେବ । କଷ୍ଟଲବ୍‍ଧ ସ୍ୱାଧୀନତାକୁ କ୍ଷତବିକ୍ଷତ କରିବାକୁ କଦାପି ସୁଯୋଗ ଦେବା ଠିକ୍ ନୁହେଁ । ଆପଣ ଯେପରି ସାହାଯ୍ୟ ଆବଶ୍ୟକ କରିବେ, ମୁଁ ଦେବାକୁ ପ୍ରସ୍ତୁତ ଅଛି । କିନ୍ତୁ ପ୍ରତିରୋଧ ଆବଶ୍ୟକ''—ମେଜର ରାୟ ଚୌଧୁରୀ ବ୍ୟସ୍ତହୋଇ କହିଲେ ।

 

''ମୋର କେବଳ ସେତିକି ଦରକାର । ଆବଶ୍ୟକୀୟ ସାହାଯ୍ୟ ପାଇଲେ ମୁଁ ସବୁ ଠିକ୍ କରିଦେବି । ଆପଣ କେବଳ ସାମରିକ ସାହାଯ୍ୟ ଦେବାପାଇଁ ସଦାସର୍ବଦା ଜାଗ୍ରତ ହୋଇଥାଆନ୍ତୁ-। ମୋର ନିର୍ଦ୍ଦେଶ ପାଇଲାମାତ୍ରେ ଯେପରି ତିଳେମାତ୍ର ହେଲା ନ ହୁଏ । ଏତକ କରିପାରିଲେ ପ୍ରତିରୋଧ ନିଶ୍ଚୟ ହୋଇପାରିବ, ଏହା ନିଃସନ୍ଦେହ ।''

 

''ମୁଁ ସେ ବିଷୟରେ ସମସ୍ତ ଦାୟିତ୍ୱ ନେଲି ବୋଲି ନିର୍ଭର ପ୍ରତିଶ୍ରୁତି ଦେଉଛି''—ଦୃଢ଼ସ୍ଵରରେ କହିଲେ ରାୟ ଚୌଧୁରୀ ।

 

''ବେଶ୍ ! ଆପଣମାନଙ୍କର ସହଯୋଗ ପାଇଁ ମୁଁ ଖୁବ୍ ଖୁସି । ଏଥର ଆପଣଙ୍କର କାମ ହେଲା—ଚୁନି ମଜୁମଦାର ଆଉ ଆଡଭୋକେଟ୍ ଭଗବତ୍ ଦୟାଲଙ୍କ ଉପରେ କଡ଼ା ନଜର ରଖିବା-। ସେ ଦୁହେଁ କେହି କାହାକୁ ଉଣା ନୁହନ୍ତି । ବର୍ତ୍ତମାନ ସୁଦ୍ଧା ଚୁନି ମଜୁମଦାରର ଯେଉଁ ପଞ୍ଜାବୀ ଅତିଥି ଦୁଇ ଜଣ ଅଛନ୍ତି, ସେ ଦୁହେଁ ପାକିସ୍ଥାନ ବାହିନୀର ଲିଆସନ୍ ଅଫିସର ବ୍ୟତୀତ ଆଉ କିଛି ନୁହନ୍ତି । ସେ ଦୁହେଁ ଯେପରି ଏଠାରୁ ଖସି ଯାଇ ନପାରନ୍ତି । କାରଣ ସେ ଦୁହେଁ ଏଠାରୁ ଚାଲିଯିବା ଅର୍ଥ, ବହୁ ଗୋପନୀୟ ତଥ୍ୟ ଭାରତରୁ ଚାଲିଯିବ । ସେମାନଙ୍କର ପ୍ରଧାନ ଯୋଗାଯୋଗ ବ୍ୟକ୍ତି ହେଉଛି ଆଡଭୋକେଟ୍ ଭଗବତ୍ ଦୟାଲ । ଅଣତିରିଶ ରାତିରେ ଏମାନଙ୍କୁ ଯେପରି ଗିରଫ କରାଯାଏ, ତା'ର ବ୍ୟବସ୍ଥା କରିବେ ।''

 

ପୋଲିସ୍ ଆଇ.ଜି..ମିଷ୍ଟର ଗୁପ୍ତା କହିଲେ—‘‘ତା'ର ସମସ୍ତ ସୁବ୍ୟବସ୍ଥା ମୁଁ କରିବି । ମୁଁ ଆଶା କରୁଛି, ଆମର ବ୍ୟବସ୍ଥାକୁ ଫାଙ୍କିଦେଇ ସେମାନେ କଦାପି ଚାଲିଯାଇପାରିବେ ନାହିଁ ।’’

 

‘‘ଆଚ୍ଛା, ମିଷ୍ଟର ସାହା ! ବର୍ତ୍ତମାନ ଆପଣଙ୍କର ଲକ୍ଷ୍ୟ ସ୍ଥଳ କେଉଁ ସ୍ଥାନ ?’’ ମେଜର ରାୟ ଚୌଧୁରୀ ପ୍ରଶ୍ନ କଲେ ।

 

''ଲକ୍ଷ୍ମୀପୁର ଘାଟି ।''

 

''ଲକ୍ଷ୍ମୀପୁର ? ସେ ତ ଦେଢ଼ ଶହ ମାଇଲ ରାସ୍ତା । ଏଇ ରାତାରାତି ଯିବାର ଉପାୟ-?''

 

ଡକ୍‍ଟର ସାହା ସାମାନ୍ୟ ଟିକିଏ ହସି ଉତ୍ତର ଦେଲେ—‘‘ମାତ୍ର ଘଣ୍ଟାଏ ଲାଗିବ । ମୋର ନିଜ ତିଆରି ସ୍ଵତନ୍ତ୍ର ଯାନ ଅଛି। ଆପଣମାନେ ବେଳେ ଦେଖିବେ ତା'ର କରାମତି । ତା'ରି ସାହାଯ୍ୟରେ ଯେ କୌଣସି ସ୍ଥାନକୁ ଅବାଧ ଏବଂ ନିରାପଦରେ ମୁଁ ଯାଇପାରେଁ ।''

 

''ଆଶ୍ଚର୍ଯ୍ୟ ! ମୁଁ ଦେଖୁଛି, ଆପଣ ଜଣେ ଅତିମାନବ; ଅଥଚ ଆପଣଙ୍କର ପରିଚୟ ହେଉଛି ବିଦେଶୀ ବିଶ୍ଵବିଦ୍ୟାଳୟର ବୈଜ୍ଞାନିକ ଡିଗ୍ରୀ । ଏଥିରେ ରହସ୍ୟ କିଛି ନାହିଁ ତ ?''

 

ଡକ୍ଟର ସାହା ପୂର୍ବପରି ହସି ହସି କହିଲେ—‘‘ଆଗରୁ ତ କହିଛି, ମୋତେ ପରିଚୟ ବିଷୟରେ କିଛି ପଚାରିବେ ନାହିଁ । ଯଦି କିଛି ରହସ୍ୟ ସେଥିରେ ଥିବ, ତେବେ ତାହା ଅବଶ୍ୟ ଯଥାସମୟରେ ଉଦ୍‍ଘାଟିତ ହେବ । ସେଥିପାଇଁ ଏତେ ତରତର କାହିଁକି ?''

 

''ଧନ୍ୟବାଦ!’’ ମେଜର ରାୟ ଚୌଧୁରୀ ନିଜର ଅନିଚ୍ଛା-ସତ୍ୱେ ଧନ୍ୟବାଦ ଜଣାଇଲେ ସୁଦ୍ଧା ଡକ୍ଟର ସାହାଙ୍କ ଉତ୍ତର ତାଙ୍କ ପକ୍ଷରେ ସନ୍ତୋଷଜନକ ହେଲା ନାହିଁ ବୋଲି ଜଣାଗଲା ।

 

କାନ୍ଥଘଡ଼ିରେ ଟଂ ଟଂ ହୋଇ ଦୁଇଟା ବାଜିବାର ସୂଚନା ମିଳିଲା । ଡକ୍ଟର ସାହା ଆସନରୁ ଉଠି ହାତଯୋଡ଼ି ନମ୍ରତାର ସହିତ କହିଲେ, ‘‘ସମୟ ହୋଇଗଲା ଏଥର । ଆସନ୍ତୁ ଆପଣମାନେ ମୋର ଯାନଟାକୁ ଥରେ ଦେଖିନେବେ । ତା' ପୂର୍ବରୁ ମୋତେ ପ୍ରସ୍ତୁତ ହେବାପାଇଁ ଅଧଘଣ୍ଟାଏ ସମୟ ଦିଅନ୍ତୁ । ଅବଶ୍ୟ ମୋର ଏଇ ସମୟତକ ଅନୁପସ୍ଥିତି ପାଇଁ ମୁଁ କ୍ଷମା ମାଗୁଛି-।''

 

''ନା, ନା ! ସେଥିରେ ମନେ କରିବାର କିଛି ନାହିଁ । ଆପଣ ଯେପରି ସେପରି କରନ୍ତୁ-।'' ସମସ୍ତେ ସମସ୍ଵରରେ କହି ଉଠିଲେ ।

 

ଡକ୍‍ଟର ସାହା ସେଇ କୋଠରୀ ସଂଲଗ୍ନ ଦ୍ୱାର ଖୋଲି ଅନ୍ୟ କୋଠରୀରେ ପ୍ରବେଶ କଲେ ଏବଂ ସେପଟରୁ ଦୁଆର ବନ୍ଦ କରିଦେଲେ । ନୀରବତା ସମ୍ପୂର୍ଣ୍ଣରୂପେ ରାଜୁତି କଲା କକ୍ଷଟିରେ । କାହାରି ମୁହଁରେ ଭାଷା ନାହିଁ । ଅଥଚ ମୁଖମଣ୍ଡଳ ପ୍ରତ୍ୟେକଙ୍କର ଚିନ୍ତାରେ ଭାରାକ୍ରାନ୍ତ-। ପ୍ରତ୍ୟେକ ଚିନ୍ତା କରୁଥିଲେ ଏଇ ବିଚିତ୍ର ପ୍ରକୃତିର ଲୋକଟି କଥା । ଜଣେ ବୈଜ୍ଞାନିକ, ଅଥଚ ତା'ର ଦେଶପ୍ରେମ ଅତୁଳନୀୟ । ପୁଣି ସାମରିକ ଦୃଷ୍ଟିକୋଣ, କେତେ ଅଭିଜ୍ଞତା ଏବଂ ତୀକ୍ଷଣ ବୁଦ୍ଧିସମ୍ପନ୍ନ । ତାହାହିଁ ପ୍ରତ୍ୟେକଙ୍କୁ ବିସ୍ମିତ କରିଥିଲା ।

 

ଠିକ୍ ଅଧଘଣ୍ଟାକ ପରେ କୋଠରୀର ଦ୍ୱାର ଖୋଲି ବାହାରିଆସିଲେ ବୈମାନିକ ବେଶରେ ଡକ୍ଟର ସାହା । ପିଠି ଉପରେ କଷିକରି ଭିଡ଼ାଯାଇଥିଲା ଆବଶ୍ୟକୀୟ ଜିନିଷପତ୍ର ଥିବା ବ୍ୟାଗ୍ । ଡକ୍ଟର ସାହା ହସ ହସ ମୁହଁରେ ସମସ୍ତଙ୍କୁ ସ୍ୱାଗତ ଜଣାଇଲେ ତାଙ୍କ ସଙ୍ଗରେ ଯିବାକୁ । ସମସ୍ତେ ଆସନ ତ୍ୟାଗ କରି ଉଠିଲେ । ଆଗେ ଆଗେ ଡକ୍ଟର ସାହା, ପଛେ ପଛେ ଅନ୍ୟମାନେ ।

 

ଡକ୍ଟର ସାହା ସିଧା ବାରଣ୍ଡାରେ ଯାଇ ଉଠିଲେ ତିନିମହଲା ଉପରକୁ; ତାଙ୍କୁ ଅନୁସରଣ କରି ଅନ୍ୟମାନେ ବି ତିନି ମହଲାର ଛାତ ଉପରଟାକୁ ଯିବାର ଦ୍ୱାର ଚାବି ଦିଆଯାଇଥିଲା । ଡକ୍ଟର ସାହା ଚାବି ଖୋଲି ଦ୍ୱାରଟା ମେଲା କରିଦେଲେ । ତାଙ୍କ ପଛେ ପଛେ ସମସ୍ତେ ଛାତ ଉପରେ ହାଜର ହୋଇଗଲେ । ଛାତର ମଝାମଝିରେ ଥୁଆଯାଇଥିଲା ବିଚିତ୍ର ପ୍ରକାରର ହେଲିକପ୍‍ଟରଟାଏ-। ଡକ୍ଟର ସାହା ସୁଇଚ୍ ମାରିଲାକ୍ଷଣି ଆଲୋକିତ ହୋଇଉଠିଲା ହେଲିକପ୍‍ଟରଟା । ଆକାର ତା'ର ଗୋଟାଏ ଟ୍ୟାକ୍‍ସିଠାରୁ ବି କ୍ଷୁଦ୍ର । କିନ୍ତୁ ସମସ୍ତ ପ୍ରକାର ଆଧୁନିକ ଯାନ୍ତ୍ରିକ ବ୍ୟବସ୍ଥା ଏବଂ ମାରଣାସ୍ତ୍ର ଖଞ୍ଜିବା ବ୍ୟବସ୍ଥା ସେଥିରେ ଅଛି । ପଙ୍ଖାଗୁଡ଼ିକ ଖୁବ୍ ଛୋଟ ଛୋଟ ହୋଇଥିବାରୁ ତା'ର ଓହ୍ଲାଇବା କିମ୍ବା ଉଡ଼ିବା ପାଇଁ ବହୁତ ସ୍ଥାନର ଆବଶ୍ୟକତା ନାହିଁ । ମାତ୍ର ଦୁଇଜଣଙ୍କ ପାଇଁ ବସିବାର ବ୍ୟବସ୍ଥା ଅଛି ସେଥିରେ । ତା' ଛଡ଼ା ଗୁଳିଗୋଳା ଆଦି ରଖିବାପାଇଁ ମଧ୍ୟ ବେଶ୍ ନିରାପଦ ବ୍ୟବସ୍ଥା ରହିଛି-

 

ଡକ୍ଟର ସାହା ସହାସ୍ୟ ବଦନରେ ସମସ୍ତଙ୍କ ସାଙ୍ଗରେ କରମର୍ଦ୍ଦନ କରି 'ଶୁଭରାତ୍ରି' ଜ୍ଞାପନ କଲେ । ତା'ପରେ ହେଲିକପ୍‍ଟରର ଦ୍ୱାର ଖୋଲି ଚାଲକ ଆସନରେ ଉପବେଶନ କଲେ-। ବୋତାମ ଟିପିବା ମାତ୍ରେ ହେଲିକପ୍‍ଟରର ପଙ୍ଖାଗୁଡ଼ିକ ସକ୍ରିୟ ହୋଇଉଠିଲା । ପଙ୍ଖା ଗୁଡ଼ିକର ତୀବ୍ର ଘୂର୍ଣ୍ଣନ ସମସ୍ତେ ଦେଖିପାରୁଥିଲେ, କିନ୍ତୁ ଶବ୍ଦ କିଛି ନ ଥିଲା । ତାହାହିଁ ସମସ୍ତଙ୍କୁ ବିସ୍ମିତ କରିଥିଲା ।

 

ବୈଜ୍ଞାନିକ ଡକ୍ଟର ସାହା ହସ ହସ ମୁହଁରେ ସମସ୍ତଙ୍କୁ ବିଦାୟ ଜଣାଇ ହାତ ହଲାଇଲେ-। ତା'ପରେ ହେଲିକପ୍‍ଟରଟି ଉଠିଲା ଉପରକୁ ଧୀରେ ଧୀରେ । ଅଳ୍ପସମୟ ମଧ୍ୟରେ ହେଲିକପ୍‍ଟରର କ୍ଷୁଦ୍ର ଆଲୋକମାଳା ନକ୍ଷତ୍ରମାଳିନୀ ଆକାଶରେ ଅଦୃଶ୍ୟ ହୋଇଗଲା-

 

ଖୋଲା ଛାତ ଉପରେ କୁହୁକ ଦେଖିବା ପରି ଉଠି ପଦସ୍ଥ ଅଫିସରମାନେ ଠିଆ ହୋଇଥିଲେ । ସମସ୍ତେ ଭାବୁଥିଲେ—ଅଦ୍ଭୁତ ଏ ବୈଜ୍ଞାନିକ । କ’ଣ ୟାର ପରିଚୟ ?

 

–ବାର–

 

ଦାର୍ଜିଲିଂର ସୁମଧୁର ଶୀତଳ ଜଳବାୟୁ ସେବନ ଏବଂ ପ୍ରାକୃତିକ ଦୃଶ୍ୟ ଉପଭୋଗ କରିବା ଛଡ଼ା ସାରା ଦିନଟି ଆଉ କିଛି କାମ ନ ଥିଲା ରୂପକର । ତା'ର ସତର୍କ ଦୃଷ୍ଟି ସଦାସର୍ବଦା ଥିଲା କ୍ୟାପଟେନ୍ କାଦର ଅଲ୍ଲୀ ଉପରେ । ମାତ୍ର ସେଦିନ ରାତିର ଘଟଣା ପରଠାରୁ କାଦର ଅଲ୍ଲୀ ଏତେ ଭୀତ ହୋଇଯାଇଥିଲା ଯେ, ପରଦିନ 'ଶୈଳ ବିଳାସ'ର ବାହାରକୁ ସୁଦ୍ଧା ବାହାରି ନାହିଁ। କିନ୍ତୁ ସେ ଆଶଙ୍କା କରିଥିଲା ଯେ, କୌଣସି ସି:ଆଇ:ଡ଼ି:ର କାଣ୍ଡ ଏ । କିନ୍ତୁ କିଛି ନ ଘଟିବାରୁ ମନରେ ତା'ର ସାହସ ହେଲା ଟିକେ । ମାମୁଲି ଗୋଟାଏ ଚୋର କି ଠାଉରିଆ କିଛି ହାତ ଉଠେଇବା ଆଶାରେ ସେ ରାତିରେ ଗୁଲାମ ବକ୍‍ସ ଘରକୁ ଯାଇଥିଲା ବୋଲି ସେ ଆପାତତଃ ଧରି ନେଇଥିଲା । ତଥାପି ଆଶଙ୍କା ମନରେ ପୁରୀ ରହିଥିଲା ସବୁବେଳେ । କୌଣସି ପ୍ରକାରେ ହେଉ, ପାକିସ୍ଥାନକୁ ଖସି ପଳାଇବାକୁ ସେ ଚେଷ୍ଟା କରୁଥିଲା । ଶୈଳ ବିଳାସ ଭିତରକୁ ଯାଇ କାଦର ଅଲ୍ଲୀ ବିଷୟରେ ଅନୁସନ୍ଧାନ କରିବାର ପ୍ରବଳ ଇଚ୍ଛା ଥିଲେ ବି ଯିବାର ସୁବିଧା କିଛି ଦେଖୁ ନ ଥିଲା ରୂପକ । ଖାଲି ବାହାରେ ରହି ବଡ଼ ବ୍ୟଗ୍ର ସେ ହୋଇ ଉଠୁଥିଲା କ୍ରମେ ।

 

ସେଦିନ ଖୁବ୍ ସକାଳୁ ରୂପକ ନିତ୍ୟକର୍ମ ଶେଷ କରି ଉପର ମହଲାର ନିଜ କୋଠରୀରୁ ଚାହିଁଛି ରାଜପଥ ଆଡ଼କୁ । କାଠୁଆ ଶୀତ ସାଙ୍ଗକୁ ପ୍ରଚଣ୍ଡ ରଣ କୁହୁଡ଼ିଆ ପାଗ ସେଦିନ । ଅନ୍ୟ ଦିନ ହୋଇଥିଲେ ଲୋକ ଚଳାଚଳ ଆରମ୍ଭ ହୋଇ ଯାଆନ୍ତାଣି ରାସ୍ତାରେ । କିନ୍ତୁ ସେଦିନ ଏଇ ପାଗ ଯୋଗୁ ରାସ୍ତା ପୂରାପୂରି ନିର୍ଜନ । କୁହୁଡ଼ି ବର୍ଷା ହେଉଥାଏ ଠିକ୍ ମଧ୍ୟମ ଧରଣର ବର୍ଷା ହେଲାପରି । ରାସ୍ତାଘାଟ ସବୁ ଓଦା ଜରଜର ।

 

ଠିକ୍ ଏତିକିବେଳେ ଖୁବ୍ ବେଗରେ ପିକ୍ଅପ୍‍ଟାଏ ଆସି ବ୍ରେକ୍ କଲା ଶୈଳ ବିଳାସ ସାମନାରେ । ରୂପକ ପିକ୍ଅପ୍‍ଟାକୁ ଦେଖିପକାଇ ମନରେ କିପରି ଟିକିଏ ଖଟକା ଅନୁଭବ କଲା । କାରଣ ସେଇ ଧରଣର ପିକ୍ଅପ୍ ସାଧାରଣତଃ ପାର୍ବତ୍ୟ ରାସ୍ତା ଅତିକ୍ରମ କରିବାପାଇଁ ବ୍ୟବହୃତ ହୋଇଥାଏ । ସାମରିକ ବିଭାଗ ବ୍ୟତୀତ ଅନ୍ୟ କେହି ବ୍ୟକ୍ତିଗତଭାବରେ ତା'ର ଆବଶ୍ୟକତା ଅନୁଭବ କରନ୍ତି ନାହିଁ । ପୁଣି ସେ ମନେ ମନେ ଚିନ୍ତା କଲା—'ଶୈଳ ବିଳାସ'ରେ ଏପରି କେଉଁ ଲୋକର ଏ ପିକ୍ଅପ୍ ଗାଡ଼ି ଆବଶ୍ୟକ ହେଲା ଏ ସକାଳୁ ?

 

ମନର କୌତୁହଳ ଦମନ କରି ନ ପାରି ସେ ବାହାରିପଡ଼ିଲା ରାସ୍ତା ଉପରକୁ । ଖାଲି ଟହଲିବା ବାହାନାରେ ଗତି ଟିକିଏ ଶିଥିଳ କରିଦେଇ ଗାଡ଼ିଟା ପାଖରେ ଦୁଇ ଚାରିଥର ଏପଟ ସେପଟ ହେଲା । ଚାଲାକ ଉପସ୍ଥିତ ନ ଥିଲା ଗାଡ଼ି ଭିତରେ ସେତେବେଳକୁ । ହଠାତ୍ ରୂପକର ଦୃଷ୍ଟି ପଡ଼ିଲା ସାମନାର କାଚ ଉପରେ । ଦୃଷ୍ଟି ପଡ଼ିଲା ମାତ୍ରେ ସର୍ପାହତ ପରି ଚମକିପଡ଼ିଲା ସେ । ଠିକ୍ ସେହି ସଙ୍କେତ । ନାଲି ରଙ୍ଗର ଗୋଟାଏ ବୃତ୍ତ ମଧ୍ୟରେ ତ୍ରିଭୁଜ ଆକାରର ତିନିଟି ବିନ୍ଦୁର ଅବସ୍ଥିତି । ସେଇ ତ ସଙ୍କେତ ! ସେଇ ସଙ୍କେତ କଥା ସେଦିନ କ୍ୟାପଟେନ କାଦର ଅଲ୍ଲୀ କହୁଥିଲେ ଗୁଲମ ବକ୍‍ସକୁ । ଗାଡ଼ିଟା ତାହାହେଲେ ପାକିସ୍ଥାନୀ ଗୁପ୍ତଚର ଦଳର । ଏଟା ଏଠିକୁ ଆସିଛି ଯେତେବେଳେ, ଜଣାଯାଉଛି, କ୍ୟାପଟେନ ସାହେବ ଆଜି ଖସିଯିବାର ଆୟୋଜନ କରୁଛନ୍ତି ନିଶ୍ଚୟ ।

 

ଏପରି ଏକ ଅସମ୍ଭାବିତ ସମୟରେ ଯେ କର୍ତ୍ତବ୍ୟର ସମ୍ମୁଖୀନ ହେବାକୁ ପଡ଼ିବ, ସେକଥା ରୂପକ ଆଦୌ ମନରେ ଭାବି ନ ଥିଲା । ଯାହାହେଉ, ଖସିଯିବା ପାଇଁ ଯଥାର୍ଥ ପାଗ ବି ପାଇଛନ୍ତି କ୍ୟାପଟେନ କାଦର ଅଲ୍ଲୀ । ଏ ପାଗରେ ସତେ କିଏ ବାହାରକୁ ବାହାରିବ ନା ତାଙ୍କୁ ଲକ୍ଷ୍ୟ କରିବ ? ସେ ଚାହିଁଲା ଶୈଳ ବିଳାସର ତୁଙ୍ଗ ମହଲାକୁ । ବଡ଼ କାଚ ଦିଆ ଝରକାଟା ଖୋଲା ଅଛି । ସେଇବାଟେ ପରିଷ୍କାର ଦେଖାଯାଉଥିଲା—କ୍ୟାପଟେନ ସାହେବ ଝରକା ପାଖରେ ଠିଆହୋଇ ପୋଷାକପତ୍ର ପିନ୍ଧୁଛନ୍ତି । ରୂପକ ବୁଝିଲା—ତା'ର ଅନୁମାନ ପ୍ରମାଦପୂର୍ଣ୍ଣ ନୁହେଁ । ତାହା ହେଲେ, ଯାହାହେଉ, ଏ ସୁଯୋଗ ଛାଡ଼ିବା ଅର୍ଥ ସବୁ କିଛି ହରାଇବା । ଆଉ କୌଣସି ବିଷୟ ପ୍ରତି ଦୃଷ୍ଟି ନ ଦେଇ ସେ ଫେରିଆସିଲା ନିଜ ହୋଟେଲକୁ ଦ୍ରୁତ ବେଗରେ ।

 

ଯେତେ ଶୀଘ୍ର ହୋଇପାରେ ନିଜର ଆବଶ୍ୟକୀୟ ଜିନିଷ ପତ୍ର କେତେଖଣ୍ଡି ନେଇ ପୋଷାକ ପରିବର୍ତ୍ତନ କରିବାରେ ଲାଗିପଡ଼ିଲା ସେ । ପ୍ରତି ମୁହୂର୍ତ୍ତରେ ଆଶଙ୍କା—କ୍ୟାପଟେନ ଚାଲିଗଲେ କି ଆଉ ? ଦୈବାତ୍ ଯଦି ସେ ଖସିଯାଆନ୍ତି ତେବେ ସତ୍ୟାନାଶ !

 

ରୂପକ ହୋଟେଲରୁ ବାହାରକୁ ଆସି ଦେଖିଲାଗାଡ଼ିଟା ପୂର୍ବପରି ଠିଆ ହୋଇଛି ରାସ୍ତା ଉପରେ । ଯାହାହେଉ, ଆଶ୍ୱସ୍ତିର ନିଶ୍ୱାସ ମାରିଲା ଟିକେ । ଶୈଳ ବିଳାସର ଉପରେ ଦୃଷ୍ଟି ପକାଇ ସେ ଦେଖିଲା—ସେ ପର୍ଯ୍ୟନ୍ତ ଝରକାଟା ଖୋଲା ଅଛି। ପିକ୍ଅପ୍‍ଟା ଭିତରକୁ ଚାଳକ ଆସିନାହିଁ ସେ ପର୍ଯ୍ୟନ୍ତ । ଯାହାହେଉ, ମଣିଷ ବଞ୍ଚିଗଲା ଏଥର । ମନେ ମନେ ଭଗବାନଙ୍କୁ ଶତ ଧନ୍ୟବାଦ ଦେଇ ରୂପକ ଗାଡ଼ି ଉହାଡ଼ରେ ଆତ୍ମଗୋପନ କଲା । ତା' ପରେ ଚାରିଆଡ଼କୁ ସତର୍କ ଦୃଷ୍ଟି ପକାଇ ଦେଖିଲା ତା'ର କାର୍ଯ୍ୟକଳାପକୁ କେହି ଲକ୍ଷ୍ୟ କରୁଛି କି ନାହିଁ । ମାତ୍ର ସେ ଦିଗରୁ ଭୟ କରିବାର କିଛି ନ ଥିଲା । କାରଣ ପାଗଟା ସାଧାରଣ ଲୋକଙ୍କର ବାହାରକୁ ବାହାରିବା ପ୍ରତି ଅନୁକୂଳ ନ ଥିଲା ।

 

ଭଲମନ୍ଦ, ବିପଦଆପଦ, କିଏ ଲକ୍ଷ୍ୟ କରୁଛି କି ନାହିଁ, ସେଥିପ୍ରତି ଦୃଷ୍ଟି ବା ବିଚାର କରିବା ଭଳି ସମୟ ବା ଧୈର୍ଯ୍ୟ ନ ଥିଲା ରୂପକ ମନରେ । ଖୁବ୍ ଆସ୍ତେ ପଛପଟ ଦରଜାଟି ଖୋଲି ସେ ପିକ୍ଅପ୍ ଭିତରେ ପଶି ପୁଣି ସେହିପରି ଧୀରେ ବନ୍ଦ କରିଦେଲା । ତା'ପରେ ଗୋଟାଏ ଲମ୍ବା ସିଟ୍‍ର ତଳେ ନିଜକୁ ଯଥାସମ୍ଭବ ଲୁଚାଇ ରଖି ରୁଦ୍ଧଶ୍ୱାସରେ ଅପେକ୍ଷା କରିବାକୁ ଲାଗିଲା ପରବର୍ତ୍ତୀ ଘଟଣାକୁ ।

 

ଅଳ୍ପ ସମୟ ପରେ ବାହାରେ କାହାର ଆସିବାର ଶବ୍ଦ ଶୁଣାଗଲା । ରୂପକ ପୂର୍ବାପେକ୍ଷା ଆହୁରି ସତର୍କ ହୋଇଉଠିଲା । ତା' ପରେ ପରେ ପିକ୍ଅପ୍ ର ଖୋଲିବାର ଶବ୍ଦ ଏବଂ ଗାଡ଼ିର ଦୋଳନରୁ ରୂପକ ବୁଝିପାରିଲା ଯେ କିଏ ଦୁଇଜଣ ଆସି ବସିଲେ ଗାଡ଼ିରେ । ପରେ ପରେ ଗାଡ଼ି ଷ୍ଟାର୍ଟ ଦେଇ ଚାଲିବାକୁ ଆରମ୍ଭ କଲା । ସବୁଠାରୁ ଭାଗ୍ୟର କଥା ଥିଲା ଏଇ ଯେ, ଆରୋହୀ ଏବଂ ଚାଳକ ଦୁହେଁ ଥିଲେ ଆଜି ସିଟରେ । ପଛରେ ଥିଲା କେବଳ ରୂପକ ବେଞ୍ଚ ତଳେ । ତାକୁ ଉହାଡ଼ କରି ଗୁଡ଼ାଏ ପାଲ, ଗୋଟାଏ ଦୁଇଟା ପେଟ୍ରୋଲ ଟିଣ ଥିଲା । ସେବି ସେଗୁଡ଼ାକୁ ଭଲ କରି ଟାଣିଟୁଣି ଦେଇ ଉହାଡ଼ କରି ଦେଇଥିଲା ଗାଡ଼ି ଚାଲିବା ପରେ ।

 

ପ୍ରଥମେ ପ୍ରଥମେ କେତେଗୁଡ଼ାଏ ବାଟ ବେଶ୍ ନୀରବରେ କଟିଗଲା । ସେତେବେଳେ ପାର୍ବତ୍ୟ ରାସ୍ତାର ଗଡ଼ାଣି ଦେଇ ପିକ୍ଅପ୍ ଗଡ଼ୁଥିଲା ତୀବ୍ର ବେଗରେ । ରୂପକ ଅନୁମାନ କରୁଥିଲା–ସ୍ପିଡ୍ ଅତି କମରେ ଅଶୀ ମାଇଲରୁ କମ୍ ହେବ ନାହିଁ କେବେ। ପ୍ରତି ମୁହୂର୍ତ୍ତରେ ମନରେ ତା'ର ଆଶଙ୍କା ଜାତ ହେଉଥିଲା । ପାର୍ବତ୍ୟ ଗଡ଼ାଣି ଉପରୁ ଗାଡ଼ି ଟିକିଏ ଯଦି ଖସିଯାଏ କଡ଼କୁ ତେବେ ଗାଡ଼ି, ମନୁଷ୍ୟ ସବୁ ଏକାକାର ହେଇଯିବେ ହଜାର ହଜାର ଫୁଟ ତଳେ । ବିପଦ୍ ଜନକ ରାସ୍ତା-

 

ପ୍ରାୟ ଘଣ୍ଟାଏ ଖଣ୍ଡେ ପରେ ଗାଡ଼ିଟା ଖୁବ୍ ଗୋଟାଏ ବଡ଼ ବୁଲାଣି ଦେଇ ଅନ୍ୟ ରାସ୍ତା ଧରିଲା । ଏ ରାସ୍ତାଟା ଅପେକ୍ଷାକୃତ ସମତଳ ଭୂମି ଉପରେ ଥିବାର ଜଣାଯାଉଥିଲେ ସୁଦ୍ଧା କଦର୍ଯ୍ୟ, ଆବୁଡ଼ା ଖାବୁଡ଼ା ରାସ୍ତାରେ ଗାଡ଼ିଟା ନାଚି ନାଚି ଚାଲିଲାବେଳେ ଛେଚି ହୋଇ ଯନ୍ତ୍ରଣାରେ ଅସ୍ଥିର ହୋଇପଡ଼ୁଥାଏ ରୂପକ ।

 

''ଆମେ ଏଥର ନିରାପଦ ଇଲାକାରେ ପହଞ୍ଚିଗଲେ ରହେମାନ ! ଓଃ ! ଆଲ୍ଲା ଯେ ଏତେ ସୁବିଧାରେ ଆମକୁ ପହଞ୍ଚାଇବେ ସେଟା ମୋର ବିଶ୍ୱାସର ବାହାରେ ଥିଲା''—ଆଶ୍ୱସ୍ତିର ନିଶ୍ୱାସ ପକାଇ କହୁଥିଲେ କ୍ୟାପଟେନ କାଦର ଅଲ୍ଲୀ । କାରଣ ତାଙ୍କର ସ୍ଵରଟାକୁ ରୂପକ ଜାଣିପାରୁଥିଲା ।

 

''ସବୁ ଖୁଦାଙ୍କର ମେହରବାନୀ, ହଜୁର !'' ଡ୍ରାଇଭର ରହେମାନ ଉତ୍ତର ଦେଲା ।

 

''ବେଶ୍ ! ଏଥର ଧୀରେ ସୁସ୍ଥେ ଚଲା, ଭୟ ଆଉ ସେମିତି କିଛି ନାହିଁ । ଦିନ ଶେଷ ନ ହେଉଣୁ ଆମେ ପହଞ୍ଚିଯିବା ଯେ ।''

 

''ଜୀ ! କିନ୍ତୁ ବିପଦ ଅଛି । ଆଜିକାଲି ହିନ୍ଦୁସ୍ଥାନ ସିପାହୀଗୁଡ଼ା ଖୁବ୍ ହୁସିଆରରେ ପଇଁନ୍ତରା ମାରୁଛନ୍ତି ଏଇ ଜଙ୍ଗଲ ଭିତରେ ବିଦ୍ରୋହୀ ମିଜୋ ଆଉ ନାଗାଙ୍କ ତଲାସରେ ।'' ରହେମାନ କିଞ୍ଚିତ ଭୀତ କଣ୍ଠରେ କହିଲା ।

 

''କୁଛ୍ ପରବାୟ ନାହିଁ । ସେଥିକୁ ଭୟ ନାହିଁ । ମୁଁ ଜଣେ ସି: ଆଇ: ଡି: ଅଫିସର ବୋଲି ପକ୍କା ପରିଚୟପତ୍ର ଯୋଗାଡ଼ କରି ଆଣିଚି । ବାଟରେ କେହି ଅଟକି କଲେ ପୁଣି ସେଲ୍ୟୁଟ୍ ବଜାଇ ରାସ୍ତା ଛାଡ଼ିଦେବ । ତୁ ବେଧଡ଼କ ଗାଡ଼ି ଚଲା,''—ବେପରୁଆ ଭାବରେ କ୍ୟାପଟେନ ଏତକ କହି ବିକୃତ ସ୍ଵରରେ ହସି ଉଠିଲେ ।

 

ଏ କଥାବାର୍ତ୍ତାରୁ ରୂପକ ଜାଣିପାରିଲା ଯେ, ଲକ୍ଷ୍ୟସ୍ଥଳ ଅଛି ବହୁଦୂରରେ । କାରଣ ସନ୍ଧ୍ୟା ସୁଦ୍ଧା ପହଞ୍ଚିବାର ଆଶା କରାଯାଉଛି ଯେଉଁଠି, ତାହା ତିନି ଶହ ମାଇଲରୁ କମ୍ ଦୂର ହେବ ନାହିଁ କେବେ । ଏ ତିନି ଶହ ମାଇଲ ନିରାପଦରେ କିପରି କଟିଯିବ ତାହାହିଁ ଚିନ୍ତା କରୁଥିଲା ସେ । ସକାଳୁ ଅନାହାର ସାରାଦିନଟା । ଏପରି କି ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିସାରିଲେ ମଧ୍ୟ ଖାଦ୍ୟ ମିଳିବ କି ନାହିଁ ସନ୍ଦେହ ।

 

ସୁଦୀର୍ଘ ପଥ । ସରଳ, ବକ୍ର ରାସ୍ତା, ଜଙ୍ଗଲ ପାହାଡ଼ ଭିତର ଦେଇ ଗାଡ଼ିଟା ଚାଲିଗଲାବେଳେ ରୂପକ ସ୍ପଷ୍ଟ ଅନୁମାନ କରିପାରୁଥିଲା । ଗୋଟାଏ ସିଟ୍ ତଳେ ସଂକୀର୍ଣ୍ଣ, ଅପରିଚ୍ଛନ୍ନ ସ୍ଥାନରେ ଶୋଇରହି କରିହେବା ଯେ କେଡ଼େ କଷ୍ଟଦାୟକ ତାହା ରୂପକ ମର୍ମେ ମର୍ମେ ଅନୁଭବ କରୁଥିଲା । ଏଇ ସୁଦୀର୍ଘ ପଥ ଶେଷ ହେଲାବେଳକୁ ସେ ଜୀବନରେ ଥିବ କି ନାହିଁ, ସେ କଥା ମଧ୍ୟ ଭାବୁଥିଲା । ତଥାପି ସବୁ ଚିନ୍ତା କ୍ଳେଶ ଭିତରେ କ୍ୟାପଟେନ କାଦର ଆଉ ଡ୍ରାଇଭରର ରହେମାନଙ୍କ କଥା ପ୍ରତି କାନ ଦୁଇଟା ତା'ର ସଜାଗ ହୋଇ ରହିଥିଲା । ସେମାନେ ମଧ୍ୟ ସେପରି ବିଶେଷ ଗୁରୁତ୍ୱପୂର୍ଣ୍ଣ କଥାବାର୍ତ୍ତା କିଛି ହୋଇନାହାନ୍ତି । ଖାଲି ରାସ୍ତା ଏବଂ ସମୟ କଟାଇବାପାଇଁ ଏଣୁ ତେଣୁ ମାମୁଲି କଥା । ସେଥିରେ ରୂପକର ସ୍ୱାର୍ଥ କିଛି ଜଡ଼ିତ ନ ଥିଲା ।

 

ଅତି କଷ୍ଟରେ, ଦୀର୍ଘ ପ୍ରତୀକ୍ଷା ପରେ ସୂର୍ଯ୍ୟାସ୍ତ ହେଲା ବୋଲି ରୂପକ ସେମାନଙ୍କ କଥାବାର୍ତ୍ତାରୁ ଜାଣିପାରିଲା । ମାତ୍ର ଲକ୍ଷ୍ୟସ୍ଥଳ ସମ୍ବନ୍ଧରେ କିଛି ଆଭାସ ପାଇପାରିଲା ନାହିଁ । ତେଣୁ ଅପେକ୍ଷା କରିବା ବ୍ୟତୀତ ଅନ୍ୟ ଉପାୟ ନ ଥିଲା ତା'ର । ଦିନ ଅପେକ୍ଷା ବରଂ ରାତିରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ନିରାପଦ ବୋଲି ସେ ମନେ କରୁଥିଲା । କିଛି ସମୟ ପରେ ସନ୍ଧ୍ୟାର ଅନ୍ଧକାର ଘନେଇ ଆସୁଥିବାର ସେ ଅନୁଭବ କଲା । ଅଳ୍ପ ସମୟ ପରେ ଯଥାର୍ଥରେ ସନ୍ଧ୍ୟା ହୋଇଗଲା । ନିରାପଦତା ପାଇଁ ଡ୍ରାଇଭର ରହେମାନ ମଧ୍ୟ ଗାଡ଼ିରେ ହେଡ୍‍ଲାଇଟ୍ ଜଳାଇଦେଲା-। ତଥାପି ଗାଡ଼ି ଚାଲିଥିଲା ପୁରା ସ୍ପିଡ୍ ରେ ଜଙ୍ଗଲ ଭିତର ଦେଇ ।

 

ରାତି ସାଢ଼େ ସାତଟା ହେବ । ଗୋଟାଏ ଖୁବ୍ ଉଚ୍ଚ ଗଡ଼ାଣିରୁ ଗଡ଼ିଲାପରେ ଗାଡ଼ିଟା ବ୍ରେକ୍ କଲା ଖୁବ୍ ଜୋରରେ । ଆଶ୍ୱସ୍ତିସୂଚକ ଗୋଟାଏ ଶବ୍ଦ କରି କ୍ୟାପଟେନ କାଦର ଆଉ ରହେମାନ ଓହ୍ଲାଇଲେ ଗାଡ଼ିରୁ—ଜିନିଷପତ୍ର ସହ । ହଠାତ୍ ଓହ୍ଳାଇପଡ଼ିବାକୁ ରୂପକର ଇଚ୍ଛା ହେଉଥିଲେ ମଧ୍ୟ ଅପେକ୍ଷା କରିବାଟା ବୁଦ୍ଧିମାନ କାମ ହେବ ବୋଲି ସେ ମନେକଲା । କିଛି ସମୟ ବିତିଗଲା ଇତିମଧ୍ୟରେ ।

 

ପ୍ରାୟ ଅଧଘଣ୍ଟାଏ ପରେ ରୂପକ ନିର୍ଭରଭାବରେ ଜାଣିଲା ଯେ ଆଖପାଖରେ କେହି ନାହାନ୍ତି । ଖୁବ୍ ସତର୍କତା ଅବଲମ୍ବନ କରି ଏଥର ସେ ଲୁଚିଥିବା ସ୍ଥାନରୁ ବାହାରିଆସି ଠିଆହେଲା ବାହାରେ । ଚଉଦ ପନ୍ଦର ଘଣ୍ଟା ବନ୍ଦୀ ହୋଇ ନିବୁଜ କୋଠରୀରେ ରହିଲା ପରେ ମୁକ୍ତ ବାୟୁର ସ୍ପର୍ଶ ଯେ କେତେ ଆନନ୍ଦଦାୟକ ତାହା ରୂପକ ଅନୁଭବ କଲା ଏଥର । ଆକାଶରେ ଚନ୍ଦ୍ର ଥିଲେ; କିନ୍ତୁ କୁହୁଡ଼ିର ପ୍ରାବଲ୍ୟ ଯୋଗୁ ସେ ମଧ୍ୟ ଖୁବ୍ ମଳିନ ଆଲୋକ ଦେଉଥିଲେ । ସେଇ ନିଷ୍ପ୍ରଭ ଆଲୋକରେ ରୂପକ ଦେଖିଲା—ସେ ଯେଉଁଠି ଠିଆହୋଇଛି ସେଟା ଗୋଟାଏ ପାହାଡ଼ର ପାଦଦେଶ । ତା'ର ଆଗରେ ପ୍ରକାଣ୍ଡ ପାହାଡ଼ିଆଟାଏ । ପାହାଡ଼ର ମଝାମଝିରେ ଜୁଳୁ ଜୁଳୁ ହୋଇ ଦୁଇ ତିନିଟା ଆଲୋକ ଦିଶୁଛି । ସେ ସ୍ଥାନଟା ଯେ ତା'ର ଲକ୍ଷ୍ୟସ୍ଥଳ ତାହା ସେ ବୁଝିପାରିଲା ।

 

ସାରା ଦିନଟି ଅନାହାର, ପୁଣି ଯନ୍ତ୍ରଣାଦାୟକ ବନ୍ଦୀ ଅବସ୍ଥା । ଏହି କାରଣରୁ ସେ ଏତେ ଦୁର୍ବଳତା ଅନୁଭବ କରୁଥିଲା ଯେ ତା'ର ପାଦେ ସୁଦ୍ଧା ଚାଲିବାକୁ ସାମର୍ଥ୍ୟ ବା ସାହସ ନ ଥିଲା । କିଛି ସମୟ ବିଶ୍ରାମ କରି ଟିକିଏ ଶକ୍ତି ସଞ୍ଚୟ କରିବାକୁ ମନସ୍ଥ କରି ସେ ଗୋଟିଏ ନିରାପଦ ସ୍ଥାନ ପ୍ରତି ଦୃଷ୍ଟି ଫେରାଇଲା । ଟିକିଏ ଛଡ଼ାରେ ବଡ଼ ଗଛଟାଏ । ତା'ରି ମୂଳରେ କିଛି ସମୟ ଆପାତତଃ ନିରାପଦ ଏବଂ ଲୁକ୍‍କାୟିତ ଭାବରେ ରହିଯାଇହେବ ଭାବି ସେ ଗାଡ଼ି ଉହାଡ଼ରୁ ବାହାରି ସେଠାକୁ ଚାଲିଲା ।

 

ଖଣ୍ଡେ ଦୂର ପର୍ଯ୍ୟନ୍ତ ସେ ଚାଲିଯାଇଛି, ଆଉ ହୁଏତ ଦଶ ପାହୁଣ୍ଡ ଯାଇଥିଲେ ଗଛମୂଳରେ ସେ ପହଞ୍ଚି ପାରିଥାନ୍ତା, ହଠାତ୍ ପଛରୁ କାହାର ଗମ୍ଭୀର ସ୍ଵର ସେ ଶୁଣିଲା—‘‘କିଏ ସେ ? କିଏ ଯାଉଛ ?''

 

ନିର୍ଜନ, ନିଃଶବ୍ଦ ରାତିରେ ଅସମ୍ଭାବିତ ଭାବରେ ଶବ୍ଦଟା ରୂପକକୁ ଚମକାଇଦେଲା । ସ୍ଵରଟା ଯେମିତି କଠୋର ଥିଲା, ତାକୁ ତା’ଠାରୁ ଆହୁରି କଠୋର ଏବଂ କର୍କଶ ଜଣାଗଲା । ହଠାତ୍ କ’ଣ କରାଯାଇପାରେ ତାହା ସେ ସ୍ଥିର କରି ପାରିଲା ନାହିଁ। ପ୍ରଥମେ ସେ ଭାବିଲା—ଏ ହୁଏତ ରହେମାନ, ଗାଡ଼ିଟାକୁ ନିରାପଦ ସ୍ଥାନରେ ରଖିବାପାଇଁ ଆସିଛି । କିନ୍ତୁ ପର ମୁହୂର୍ତ୍ତରେ ମନେପକାଇ ବୁଝିଲା ଯେ, ଏ ରହେମାନର କଣ୍ଠସ୍ଵର ନୁହେଁ । କାରଣ ରହେମାନ ସହିତ ଦୀର୍ଘ ସମୟ ଧରି ସେ ଆସିଛି । ତା' କଣ୍ଠସ୍ଵର ଅଲଗା । ଯାହା ହେଉ, ଧରାପଡ଼ିବା ଆଗରୁ ପ୍ରାଣ ପ୍ରତି ଆଉ ତିଳେ ହେଲେ ମମତା ରହିଲା ନାହିଁ ତା'ର । ରିଭଲ୍‍ଭରଟାକୁ ବାଗେଇ ଧରି ଚଟ୍ କରି ବୁଲିପଡ଼ି ସେ ଉତ୍ତର ଦେଲା—‘‘ମୁଁ ରହେମାନ, ଡ୍ରାଇଭର୍ ।’’

 

‘‘ ଆଚ୍ଛା, ଯା ଭାଇ !’’ ସେଇ ଅନ୍ଧକାର ଭିତରୁ ଉତ୍ତର ଆସିଲା ।

 

ରୂପକ ଦେହରେ ରକ୍ତ ଟିକିଏ ହେଲା ଯେମିତି । ସେ ସ୍ଥାନଟା ଯେ ତା' ପକ୍ଷରେ ନିରାପଦ ନୁହେଁ ତାହା ସେ ବେଶ୍ ବୁଝିପାରିଥିଲା । ବରଂ ନିଜ କାମକୁ ପାଇବ ଏବଂ ବିଶ୍ରାମ କରି ହେବ, ଏପରି ଗୋଟିଏ ସ୍ଥାନକୁ ଯାଇ ଟିକିଏ ବସିବା ଭଲ । ଏୟା ଭାବି ପାହାଡ଼ର ସବା ଉପରକୁ ଯିବା ଆଶାରେ ପାଦ ପକାଇଲା ସେ ।

 

ନିତାନ୍ତ ଦୁର୍ଗମ ବାଟ । ପଥର, କଣ୍ଟାଝଟା । ଭାଗ୍ୟକୁ ସେମିତି ଘୋର ଜଙ୍ଗଲ ନୁହେଁ । ନ ହେଲେ ଉପରକୁ ଉଠିବା କଥା ସେତିକିରେ ରହିଥାନ୍ତା । ପ୍ରାୟ ଦୁଇଘଣ୍ଟା ପ୍ରାଣପଣେ ଲାଗି ଲାଗି ରୂପକ ପାହାଡ଼ର ଶିଖା ଉପରେ ପହଞ୍ଚିଗଲା । ଶିଖ ଉପରଟି ବେଶ୍ ପ୍ରଶସ୍ତ ଏବଂ ସମତଳ । ସେ ଉପରକୁ ଚାହିଁଲା—ଆକାଶ ମୁକ୍ତ । ତାରାଗଣ ବିଛୁଡ଼ି ହୋଇପଡ଼ିଛନ୍ତି । ଏଣେ ପ୍ରଚଣ୍ଡ ଶୀତ । ରୂପକ ଇଚ୍ଛା କରି ବି ବହୁତ ଗରମ ପୋଷାକ ଆଣିନାହିଁ । ତା'ର ବର୍ତ୍ତମାନ ଏପରି ଗୋଟାଏ ନିରାପଦ ସ୍ଥାନ ଆବଶ୍ୟକ, ଯେଉଁଠି କି ସେ ଆପାତତଃ ଶୀତ ପ୍ରାଦୁର୍ଭାବରୁ ଟିକିଏ ରିହାତି ପାଇବା-। ସେହିପରି ଗୋଟିଏ ଉହାଡ଼ିଆ ସ୍ଥାନର ସନ୍ଧାନରେ ସେ ଶିଖ ଉପରେ ବୁଲିବାକୁ ଲାଗିଲା-

 

ସୁଯୋଗ କି ଦୁର୍ଯୋଗ କେଜାଣି, ସେ ଏପରି ଗୋଟାଏ ସ୍ଥାନରେ ଆସି ପହଞ୍ଚିଗଲା, ଯେଉଁଥିରେ କି ତା'ର ଭୟ, ଆନନ୍ଦ, ବିସ୍ମୟ, କୌତୁହଳ ସବୁ ପ୍ରକାର ଭାବ ମନର ଭାବନା ସଙ୍ଗେ ସଙ୍ଗେ ଜାତ ହୋଇ ତାକୁ କିଂକର୍ତ୍ତବ୍ୟବିମୁଢ଼ କରି ପକାଇଲା। ପ୍ରଥମେ ସେ ବିଶ୍ୱାସ କରିପାରିଲା ନାହିଁ ଯେ ସେ ସାମନାରେ କ’ଣ ଦେଖୁଛି ।

 

ଛୋଟକାଟର ତମ୍ବୁଟିଏ । ତା'ର ଦୁଆର ପରଦା ଭିଡ଼ାଯାଇଛି ମଜଭୁତଭାବରେ । ଫାଙ୍କାଦେଇ ଅଳ୍ପ ଅଳ୍ପ ଦିଶୁଛି ଯେ, ଭିତରେ ଗୋଟାଏ ନିଆଁ ପାତ୍ରରେ କୋଇଲା ନିଆଁ ଦାଉ ଦାଉ ହୋଇ ଜଳୁଛି । ତାକୁ ଦେଖି ରୂପକ ମନେକଲା—ଯେପରି ତା'ରି କଷ୍ଟର ଲାଘବ ପାଇଁ ଏହା ଈଶ୍ଵରଙ୍କ ଅଭିପ୍ରେତ । ଅବଶ୍ୟ ଶିଖ ଦେଶରେ ତମ୍ବୁଟାରେ ତାକୁ ଖୁବ୍ ବେଶି ଆଶ୍ଚର୍ଯ୍ୟ କଲା ନାହିଁ । କାରଣ ଗୁପ୍ତଚରଙ୍କ ଆଡ଼୍‍ଡ଼ା ଯେତେବେଳେ, ସେତେବେଳେ ଏଠି ସବୁ କିଛି ସମ୍ଭବ ।

 

ସାମନାରେ ତମ୍ବୁ ଏବଂ ନିଆଁ; ଦୁଇଟାଯାକ ଅତ୍ୟାବଶ୍ୟକୀୟ ଜିନିଷ ଦେଖି ରୂପକ ଆନନ୍ଦରେ ଏତେ ଅଧୀର ହୋଇଉଠିଥିଲା ଯେ, ହଠାତ୍ କ’ଣ କରିବ ସ୍ଥିର କରି ନପାରି ଚୁପ୍ କରି ଠିଆ ହେଲା ତମ୍ବୁ ଦ୍ୱାରରେ । ତା'ପରେ ତମ୍ବୁଦ୍ୱାରର ଫାଙ୍କକୁ ଆଙ୍ଗୁଳିରେ ଅଳ୍ପ ମେଲା କରି ଭିତରକୁ ଦୃଷ୍ଟି ପକାଇଲା । ତମ୍ବୁ ଭିତରେ ଯାହାସବୁ ସେ ଦେଖୁଥିଲା—ସବୁ ତାକୁ କୁହୁକପରି ଲାଗୁଥିଲା । ଭିତରେ ଖୁବ୍ ଶକ୍ତିଶାଳୀ ବେତାର ଯନ୍ତ୍ରଟାଏ ଥୁଆଯାଇଥିଲା । ଆଉ ଗୋଟାଏ କଡ଼କୁ ଖଟିଆ ଉପରେ ଶୋଇଥିଲା କମ୍ବଳ ଘୋଡ଼େଇ ହୋଇ ଜଣେ ଲୋକ । ତା'ରି ପାଖରେ ଗୋଟାଏ ଲୁହା ଚୁଲି ଭିତରେ କୋଇଲା ନିଆଁ ଦାଉ ଦାଉ ହେଉଥିଲା।

 

ରୂପକ ଏତେବେଳେକେ ବୁଝିପାରିଲା ଯେ, ଏ ବେତାର ଟ୍ରାନ୍‍ସମିଟରର ଉଦ୍ଦେଶ୍ୟ, ଏବଂ ଗୁପ୍ତଚରମାନଙ୍କ ସହ ସୁନ୍ଦର ଯୋଗାଯୋଗ ରହିଛି ତେବେ । ବାଃ ! ହିନ୍ଦୁସ୍ଥାନ ଭିତରେ ରହି ତା'ରି ତଣ୍ଟି କାଟିବାର ଅପୂର୍ବ କୌଶଳ ! ମନେ ମନେ ଶତ୍ରୁ ପକ୍ଷର ବୁଦ୍ଧିକୁ ତାରିଫ୍ କଲା ରୂପକ ।

 

ଦୀର୍ଘ ସମୟ ଧରି ବାହାରେ ଅପେକ୍ଷା କରିବାର ଧୈଯ୍ୟ ନ ଥିଲା ରୂପକର । ସେ ନିଃଶବ୍ଦରେ ତମ୍ବୁର ଦ୍ୱାର ଖୋଲି ଗୋଡ଼ ଭିତରକୁ ବଢ଼ାଇଲା । ଖଟିଆ ପାଖରେ ଠିଆହୋଇ ସେ ଶୋଇବା ଲୋକର ମୁହଁକୁ ଚାହିଁଲା କିଛି ସମୟ । କେବଳ ମୁହଁଟି ଛଡ଼ା ଆଉ ସବୁ ଅଂଶ ଢଙ୍କା ହୋଇଛି କେତୋଟି କମ୍ବଳ ଦ୍ୱାରା । ସେ ପକେଟରୁ ବାହାର କଲା ଆଟମିକ୍ ଟର୍ଚ୍ଚ ଟା । ସେଟାକୁ ଲୋକଟାର ମୁଣ୍ଡକୁ ଲକ୍ଷ୍ୟ କରି ଜଳାଇଦେଲା । ଲୋକଟାର ମାନସିକ ଶକ୍ତିକୁ ଅଚଳ କରିଦେଲେ କିଛି ସମୟପାଇଁ ଯଥେଷ୍ଟ । ଦୀପକର ଆବିଷ୍କାର ଏଇ ଅଦ୍ଭୁତ ଟର୍ଚ୍ଚ । ଏତେବେଳେ କେଡ଼େ ଦରକାରରେ ସେ ଆସି ନଗଲା ! ଏଥର ଆଉ ରୂପକର ଭୟ ନ ଥିଲା । ବାହାର ପ୍ରତି ସାମାନ୍ୟ ଆଖି ଦେଇ ସେ ଆଜି ନିଆଁ ଚୁଲି ପାଖରେ ବସି ଟିକିଏ ସେକିସାକି ହେଇପଡ଼ିଲା । କିଛି ସମୟ ଉତ୍ତାପ ଉପଭୋଗ କଲାପରେ କିଞ୍ଚିତ୍ ଆଶ୍ଵସ୍ତ ହେଲା ସେ । ତା'ର ଦୃଷ୍ଟି ପଡ଼ିଲା ଖଟିଆ ତଳେ । ଥୁଆ ହୋଇଛି ଟିଫିନ୍ କ୍ୟାରିଅର୍ ଧାଏ । ଚଟ୍ କରି ଯାଇ ଉଠାଇ ଆଣିଲା ସେଟା । ଖୁବ୍ ଓଜନ ବି ଲାଗୁଚି ହାତକୁ । ଖାଦ୍ୟ ଅଛି ନିଶ୍ଚୟ । ଖୋଲିକରି ଦେଖିଲା–ଯାହା ସେ ଅନୁମାନ କରୁଥିଲା, ସତ-। ପରଟା, ସିଝାଅଣ୍ଡା, ପାଣି, ସବୁ ସଜା ହୋଇ ରହିଛି। କାଳକ୍ଷେପଣର ଧୈର୍ଯ୍ୟ ନ ଥିଲା ତା'ର-। ସବୁତକ ଖାଦ୍ୟ ଶେଷ କରି ସେ ଅନୁଭବ କଲା ଯେପରି ତା'ର ଦେହରେ ନୂତନ ଜୀବନର ସଞ୍ଚାର ହୋଇଆସୁଛି । କାଳେ ଆଉ କିଏ ସେଥିକୁ ଆସିଯିବ, ଏଇ ଆଶଙ୍କାରେ ସେ ବାହାରକୁ ଆସି ଥରେ ଚାହିଁଦେଇ ଦେଖିଲା କେହି କୁଆଡ଼େ ନାହିଁ । ଏ ବିପଦରେ ସୁଦ୍ଧା ତା'ର ହସିବାକୁ ଇଚ୍ଛା ହେଲା ଟିକିଏ । କିଏ ବା ଆସୁଛି ଏ ଶୀତ ଜାଡ଼ରେ ଜୀବନର ମମତା ଛାଡ଼ି ? ନିର୍ଭୀକଭାବରେ ବସି ୱାଚ୍ ଓୟାରଲେସଟା ଖୋଲି ଦୀପକ ସହିତ କିଛି ସମୟ ସାଙ୍କେତିକ ଭାଷାରେ କ’ଣ କଥାବାର୍ତ୍ତା କଲା । ତା' ପରେ ଶୋଇଥିବା ଲୋକ ଏବଂ ବାହାରକୁ ଥରେ ଭଲଭାବରେ ଦେଖି ୟା'ପରେ କ’ଣ କରିବ ଭାବୁଛି, ଏତିକିବେଳେ ଟ୍ରାନ୍ ସମିଟରଟା ସକ୍ରିୟ ହୋଇଉଠିଲା । କଣ କରିବ, କଣ କରିବ ଭାବୁ ଭାବୁ କି ବୁଦ୍ଧି ଦିଶିଲା କେଜାଣି, ଚଟ୍ କରି ଉଠିଯାଇ ରିସିଭର୍ ଟା ଉଠାଇ ଧରି ବାର୍ତ୍ତାଟା ରିସିଭ୍ କଲା ।

 

ଖବରଟା ଆସିଥିଲା ଢାକାରୁ । ଆର୍ମି ହେଡ୍‍କ୍ୱାଟର, ପାକିସ୍ଥାନରୁ କେହି ଜଣେ ପଦସ୍ଥ ଅଫିସର ଜାଣିବାକୁ ଚାହୁଁଥିଲେ ଯେ—କ୍ୟାପଟେନ କାଦର ଅଲ୍ଲୀ ଫେରିଲେଣି କି ନା ? କେଉଁ ତାରିଖକୁ ସ୍ଥିର କଲେ ?

 

ରୂପକ କି ଉତ୍ତର ଦେବ ଭାବୁ ଭାବୁ ତା'ର ଖିଆଲ ପଡ଼ିଗଲା ସବୁ । ସେ ଚଟାପଟ୍ ଉତ୍ତର ଦେଇଦେଲା–''କ୍ୟାପଟେନ କାଦର ସାଢ଼େ ସାତଟାରେ ଫେରିଛନ୍ତି ନିରାପଦରେ । ଅଣତିରିଶ ତାରିଖ ରାତି ବାରଟାକୁ ତାରିଖ ଏବଂ ସମୟ ସ୍ଥିର ।''

 

''ଧନ୍ୟବାଦ !'' ବାର୍ତ୍ତାଟା ବନ୍ଦ ହୋଇଗଲା ।

 

ରୂପକ ଦେହରୁ ଗୋଟାଏ ଶ୍ରମଝାଳ ବୋହିଗଲା । ଯାହାହେଉ, ଅନ୍ଧାରରେ ବାଡ଼ି ବୁଲାଉ ବୁଲାଉ ଉତ୍ତରଟା ଠିକ୍ ଲାଗିଗଲା ।

 

ଖବରଟା ଆହୁରି ଜରୁରୀ ମନେକରି ପୁଣି କିଛି ସମୟ ୱାଚ୍ ଓୟାରଲେସରେ କଥାବାର୍ତ୍ତା କଲା ଦୀପକ ସହିତ । ତା'ଠାରୁ କ’ଣ ନିର୍ଦ୍ଦେଶ ପାଇଲା କେଜାଣି, ଶୋଇଥିବା ଲୋକଟା ଉପରୁ ଗୋଟାଏ କମ୍ବଳ ବାହାର କରିନେଇ ତମ୍ବୁରୁ ବାହାରିପଡ଼ିଲା ଏବଂ ଅଳ୍ପ ସମୟ ମଧ୍ୟରେ ଅନ୍ଧକାରରେ ଅଦୃଶ୍ୟ ହୋଇଗଲା ।

 

–ତେର–

 

ରାତି ଗୋଟାଏ ହେବ ।

 

ପାର୍ବତ୍ୟ ଉପତ୍ୟକାରେ ବେଳେବେଳେ ବଣୁଆ ଚଢ଼େଇଟାଏ ଗଭୀର ରାତିର ନିର୍ଜନତା ଭାଙ୍ଗି ରାବି ଉଠୁଚି । ଚନ୍ଦ୍ର ଅସ୍ତ ହୋଇଗଲେଣି ଅନେକବେଳୁ । ତା'ରି ଉପରେ ରୂପକ ସମଗ୍ର ଶରୀରକୁ ଗୋଟାଏ କମ୍ବଳରେ ଆବୃତ କରି ବୁଲୁଚି ଠିକ୍ ଗୋଟିଏ ପ୍ରେତ ପରି । ବେଳେବେଳେ ହାତଘଡ଼ିକୁ ପୁଣି ଆକାଶକୁ ଚାହୁଁଛି ସେ ବ୍ୟଗ୍ର ଭାବରେ । ବେଳେବେଳେ ଚତୁର୍ଦ୍ଦିଗକୁ ମଧ୍ୟ ସତର୍କ ଦୃଷ୍ଟି ପକାଇ ଲକ୍ଷ୍ୟ କରୁଚି—ତାକୁ କେହି ଅନୁସରଣ ବା ଲକ୍ଷ୍ୟ କରୁଚି କି ନାହିଁ ଦେଖିବାପାଇଁ ।

 

ୱାଚ୍ ଓୟାର୍ ଲେସ୍ ଟା କାଢ଼ି କାନରେ ଲଗାଇଲା ସେ । କିଛି ସମୟ ପରେ ପୁଣି ମୁହଁ ପାଖରେ ଲଗାଇ କ’ଣ କଥାବାର୍ତ୍ତା କଲା ଖୁବ୍‍ ଚାପାଗଳାରେ । ତା'ପରେ ବ୍ୟଗ୍ରଭାବରେ ଅପେକ୍ଷା କଲା ଆକାଶକୁ ଲକ୍ଷ୍ୟ କରି । ଏତିକିବେଳେ ବହୁ ଦୂରରେ ଗୋଟାଏ ଉଜ୍ଜ୍ଵଳ ଆଲୋକରେ ଆଖି ଝଲସିଉଠିଲା ତା'ର । ଆଲୋକଟା ଆକାଶମାର୍ଗରୁ କୌଣସି ଗୋଟାଏ ଚଳନ୍ତା ବସ୍ତୁରୁ ଆସୁଥିଲା-। ତଳେ ରୂପକ ସେ ଆଲୋକ ଦେଖିଲାମାତ୍ରେ ଆନନ୍ଦରେ କୁରୁଳି ଉଠିଲା । ହାତରେ ଟର୍ଚ୍ଚ ଧରି ସେଇ ଆଲୋକକୁ ଲକ୍ଷ୍ୟ କରି ସେ ସେହିପରି ସଙ୍କେତ କରିବାକୁ ଲାଗିଲା ।

 

କେତେ ମିନିଟ୍ ପରେ ସେଇ ଉପତ୍ୟକାରେ ଆକାଶରୁ କ’ଣ ଗୋଟାଏ ଓହ୍ଳାଇପଡ଼ିଲା ପରି ଜଣାଗଲା । ସେ'ଟା ତଳେ ଲାଗିଲାକ୍ଷଣି ରୂପକ ଧାଇଁଗଲା ତା’ ପାଖକୁ । ସେ'ଟା ଥିଲା ଦୀପକର ବିଚିତ୍ର ହେଲିକପ୍‍ଟର । ଦୀପକ ତା'ଭିତରୁ ଓହ୍ଳାଇଆସି କୁଣ୍ଡାଇ–ପକାଇଲା ରୂପକକୁ । ତା'ପରେ ଆଣିଥିବା ଖାଦ୍ୟ ଦେଲା ରୂପକକୁ । ସେଇ ପାର୍ବତ୍ୟ ଉପତ୍ୟକା ଉପରେ ବସି ଦୀପକ ଏବଂ ରୂପକ ଦୁହେଁ ପରସ୍ପର ଦୁଃସାହସିକ କାହାଣୀ ଶୁଣାଉଥିଲେ ଦୁହିଁଙ୍କୁ ।

 

ରୂପକ କହିଲା—‘‘ଭାଇ ! ଆଉ ମାତ୍ର କେଇଘଣ୍ଟା ପରେ ହୁଏତ ରାତି ପାହିଯିବା । ଆମକୁ ଆଜି ରାତିରେ ଏଠିକା କାମ ଶେଷକରି ଯିବାକୁ ହେବ । କାଲି ଅଣତ୍ରିଶ ତାରିଖ । କାଲି ଦିନରେ ପୁଣି ଦାର୍ଜିଲିଂ ଫେରିଯାଇ ବ୍ୟବସ୍ଥା ନ କଲେ ଅତିଥିମାନଙ୍କୁ ସ୍ୱାଗତ ଜଣାଇବ କିଏ ?''

 

''ଠିକ୍ କହିଛୁ । ଉଠ୍ ଏଥର ।'' ଦୀପକ ଉଠିଲା । ଆଗେ ଆଗେ ଚାଲିଲା ରୂପକ, ପଛରେ ତାକୁ ଅନୁସରଣ କଲା ଦୀପକ ।''

 

ତୀଖ ପରି ଉଠିଯାଇଥିଲା ପାହାଡ଼ଟା । ପ୍ରକାଣ୍ଡ ପ୍ରକାଣ୍ଡ ପଥର ଢିମାଗୁଡ଼ା ଆବୁ ଆବୁ ହୋଇ ଉଠିଥିଲା ଉପରକୁ । ତା'ରି ଭିତରେ ଅସୁମାର କଣ୍ଟାଝଟା ଗଛ । ଦୀପକ ଆଉ ରୂପକ ଦୁହେଁ ଚାଲିଥିଲେ ତା'ରି ଉପରେ । ପ୍ରତି ମୁହୂର୍ତ୍ତରେ ପଡ଼ିଯିବାର ଭୟ ଥିଲା ପୁରାମାତ୍ରାରେ । କେତେବେଳେ ସିଧା ହୋଇ, କେତେବେଳେ ହାମୁଡ଼େଇ, କେତେବେଳେ ପେଟେଇ, କେତେବେଳେ ବା ପ୍ରକାଣ୍ଡ ପ୍ରକାଣ୍ଡ ପଥରଖଣ୍ଡକୁ କୁଣ୍ଡାଇ ଧରି ଅତିକ୍ରମା ହେଉଥିଲା ପାହାଡ଼ିଆ ରାସ୍ତା । କିଛି ଦୂର ଅଗ୍ରସର ହୋଇସାରିଲାବେଳକୁ ଘୋର ଶୀତରାତିରେ ବି ଦୁହେଁ ଗଳଦ୍‍ଘର୍ମ ହୋଇଯାଇଥିଲେ । କଣ୍ଟାଝଟାରେ ଛାଲି ହୋଇ ଦୁଇଜଣଙ୍କର ହାତଗୋଡ଼ ରକ୍ତ ଜରଜର ହୋଇଯାଇଥିଲା ।

 

''କେତେ ବାଟରେ, ଆଉ ?'' ଅସହିଷ୍ଣୁ ହୋଇ କହିଲା ଦୀପକ ।

 

''ଆଉ ଅଳ୍ପ । ଏଇ ଦିଶୁଚି ତ !'' ଆଗରେ ଜୁଳୁ ଜୁଳୁ ହୋଇ ଦିଶୁଥିବା ଆଲୋକ ଆଡ଼କୁ ଆଙ୍ଗୁଳି ଦେଖାଇ ରୂପକ କହିଲା ।

 

ଏଣିକି ବିପଦର ସମ୍ଭାବନା ଥିଲା ପୂରାମାତ୍ରାରେ । ରୂପକ ବାଟ କଢ଼ାଇ ନେଉଥାଏ ଦୀପକକୁ । କ୍ରମେ କ୍ରମେ ନିକଟବର୍ତ୍ତୀ ହେଉଥାଏ ଆଲୋକଟା । ଅତି ଉଜ୍ଜ୍ଵଳ ଆଲୋକ ବି ନୁହେଁ । କିରାସିନି ତେଲର ବତୀଟାଏ, କାଚ ଦିଆଯାଇଛି ଚତୁର୍ଦ୍ଦିଗରେ ଆଗରେ ଖାଲି ପଥରର ଗୁମ୍ଫାପରି ଘରଗୁଡ଼ା । ତା'ରି ଭିତରେ ଖଟ୍ ଖାଟ୍, ଘଡ଼୍‍ ଘାଡ଼୍‍ ଶବ୍ଦ ଶୁଣାଯାଉଛି । ଦୀପକ ଅନୁମାନ କଲା–''ଏ କାରଖାନା ଚାଲିଚି ତା'ହେଲେ !'' ତାହାହେଲେ ଜନାବ ସାହେବ ଗଲେ କୁଆଡ଼େ-? ତାଙ୍କ ସାଙ୍ଗରେ ଟିକେ ଦେଖାହେବା ନିତାନ୍ତ ଦରକାର ।

 

ଦୁହେଁ ଯେତେ ଦୂରକୁ ଦୂରକୁ ଦେଖିଲେ, ସେତିକି ଆଶ୍ଚର୍ଯ୍ୟ ଲାଗିଲା ସେମାନଙ୍କୁ । ଏତେ ବ୍ୟବସ୍ଥା ଅଛି, ଅଥଚ ଜଣେ ହେଲେ ସେଣ୍ଟ୍ରି ନାହିଁ ! ନ ଥିବାର କଥା ମଧ୍ୟ; କାରଣ ଏପରି ଦୁର୍ଗମ ସ୍ଥାନକୁ ମନୁଷ୍ୟ ତ ଛାର, ଜଙ୍ଗଲର ପଶୁ ସୁଦ୍ଧା ଆସିବାକୁ ମନ କରିବ ନାହିଁ ଯାହାହେଉନା କାହିଁକି, ଭିତରେ ପଶି ଆୟୋଜନଟା ଥରେ ଦେଖିନେବାକୁ ମନଟା ବ୍ୟାକୁଳ ହେଲା ଦୀପକ ର। ସେ ରୂପକକୁ ଖୁବ୍ ଚାପାଗଳାରେ କହିଲା—''ଦେଖ୍ ରୂପକ୍ ! ମୁଁ ପ୍ରତ୍ୟେକ କୋଠରୀ ତନ୍ନ ତନ୍ନ କରି ଥରେ ଦେଖି ଆସେଁ । ତୁ ଏଇଠି ବାହାରେ ଅପେକ୍ଷା କରି ଜଗିଥା । ଦୈବାତ୍ ଯଦି ମୋର ଘଣ୍ଟାକରୁ ଅଧିକ ବିଳମ୍ବ ହୁଏ, ତେବେ ତୁ ମୋତେ ଖୋଜିବୁ।'' ଏହା କହି ଦୀପକ ଗୋଟାଏ ଗୁହାର ଅନ୍ଧକାର ଭିତରେ ଅଦୃଶ୍ୟ ହୋଇଗଲା ଝଡ଼ବେଗରେ । ରୂପକ ହାତରେ ଆଟମିକ୍ ଟର୍ଚ୍ଚଟା ଧରି ସତର୍କ ଭାବରେ ଜଗିରହିଲା । ଏ କ୍ଷେତ୍ରରେ ରିଭଲଭର ଅପେକ୍ଷା ସଜ୍ଞା ଲୋପକାରୀ ଆଟମିକ୍ ଟର୍ଚ୍ଚଟା ଯେ ବେଶି ଦରକାରୀ ତାହା ସେ ଅନୁଭବ କରିଥିଲା ।

 

ଦୀପକ ସେଇ ଅନ୍ଧକାରମୟ ରାଜ୍ୟରେ ପ୍ରଥମେ ବଣା ହୋଇଗଲା କିଛି ସମୟ ପର୍ଯ୍ୟନ୍ତ । କେତେଆଡ଼େ କେତେ ସୁଡ଼ଙ୍ଗ ଯେ ଯାଇଛି ତା'ର ସୀମା ନାହିଁ । ମାତ୍ର ସବୁଠି ଘୋର ଅନ୍ଧକାର । ସ୍ଥାନେ ସ୍ଥାନେ ଛୋଟ ଛୋଟ ନାଲି ଆଲୋକ ସାହାଯ୍ୟରେ 'ବିପଦ' ବୋଲି ସଙ୍କେତ ଦିଆଯାଇଛି । ସୁଡ଼ଙ୍ଗଗୁଡ଼ା ଏତେ ସଂକୀର୍ଣ୍ଣ ଏବଂ ଜାଲପରି ଛନ୍ଦି ହୋଇଛି ଯେ, ତା'ଭିତରେ ପଶିବାକୁ ଦୀପକର ସାହସ ହେଲା ନାହିଁ । ଥରେ ତା'ଭିତରେ ପଶିଗଲେ କାଳେ ଫେରିବାବେଳକୁ ବାଟ ନ ପାଇବ, ଏ ଆଶଙ୍କା ଜାତ ହେଲା ମନରେ ତା'ର । ଅଗତ୍ୟା ଫେରିପଡ଼ିଲା ସେ ରୂପକକୁ ଜଗାଇଥିବା ସ୍ଥାନକୁ ।

 

ରୂପକ ନିକଟରେ ପହଞ୍ଚିଲାବେଳକୁ ରୂପକ ଖବର ଦେଲା—''ପ୍ରାୟ ପନ୍ଦର ମିନିଟ ହେବ ଯୋଡ଼ାଏ ବଡ଼ ବଡ଼ ଟ୍ରକରେ ବମ୍ ଗୁଡ଼ା ବୋଝାଇ ହୋଇ ଚାଲିଗଲା ଏଠୁ ।''

 

ଦୀପକ କହିଲା—''ଯାଉ ! କାଲି ଅଣତିରିଶ ତାରିଖ କି ନା ! ପାରାଚ୍ୟୁଟ୍ ବାହିନୀଙ୍କର ଦରକାର । ସେ ଯେ ହେଉ ପଛେ, ଆମ ହାତରୁ ଉଦ୍ଧାର ପାଇବା ନାହିଁ କେବେ । ତୁ ଆ ଶୀଘ୍ର, ଆମକୁ ବର୍ତ୍ତମାନ ଏ ପାହାଡ଼ର ଶିଖ ଉପରକୁ ଯିବାକୁ ହେବ।'' କହିସାରିବା ସଙ୍ଗେ ସଙ୍ଗେ ସେ ଆଗେଇଲା ।

 

ପୁଣି ଶିଖ ଉପରକୁ ଉଠିବାର ଆବଶ୍ୟକତା କ’ଣ ତାହା ପଚାରିବାକୁ ସାହସ ହେଉ ନ ଥିଲା ରୂପକର ।'' ଅଗତ୍ୟା ନୀରବରେ ସେ ଅନୁସରଣ କଲା ତାକୁ ।

 

ଗୋଟିଏ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ ପରେ ଦୁହେଁ ପୁଣି ପହଞ୍ଚିଲେ ପାହାଡ଼ର ଶିଖ ଉପରେ । ଦୀପକ ସେଠାରେ ବସିପଡ଼ି ପଥୁରିଆ ମାଟିରୁ ଛଅ ଇଞ୍ଚ ଗଭୀରର ଗୋଟାଏ ସଂକୀର୍ଣ୍ଣ ଗାତ ଖୋଳି ପକାଇଲା ଅଣ୍ଟାରୁ ଛୁରୀ ବାହାର କରି ।

 

ରୂପକକୁ ସବୁ କୌତୂହଳପୂର୍ଣ୍ଣ ମନେ ହେଉଥିଲା । ମାତ୍ର ସାହସ କରି ପଚାରି ପାରୁ ନଥାଏ କିଛି । ଗାତଟି ଖୋଳା ଶେଷ ହେଲା । ଦୀପକ ପକେଟରୁ ଅଣ୍ଡାକାରର ଗୋଟିଏ କଳାରଙ୍ଗର ଧାତବ ପଦାର୍ଥ ବାହାର କଲା । ସେଇଟିକୁ ଧରି ହାତଘଡ଼ିକୁ ଚାହିଁ ସମୟ ଦେଖିଲା । ତା'ପରେ ସେହି ଧାତବ ପଦାର୍ଥରେ ଲାଗିଥିବା ଗୋଟିଏ ଛୋଟ ମିଟରର କଣ୍ଟା ବୁଲାଇଦେଲା । ସେଇଟିକୁ ସେଇ ଗାତରେ ପୁରାଇଦେଇ ପୁଣି ମାଟି ଚଳାଇ ସମାନ କରିଦେଲା ।

 

ରୂପକ ଏସବୁ କାଣ୍ଡର ବିନ୍ଦୁ ବିସର୍ଗ ସୁଦ୍ଧା ବୁଝିପାରୁ ନଥାଏ । ତା'ର କୌତୁହଳ ଲକ୍ଷ୍ୟ କରି ଦୀପକ ଈଷତ୍ ହସି କହିଲା—‘‘ଏଟା ହେଲା ଗୋଟାଏ ମାରାତ୍ମକ ବିଷ୍ଫୋରକ । ଏହାର ବିଷ୍ଫୋରଣ ଶକ୍ତି ଡିନାମାଇଟର ଶହେ ଗୁଣ । ବର୍ତ୍ତମାନ ରାତି ଚାରିଟା ବାଜିଛି । ଠିକ୍ କୋଡ଼ିଏ ଘଣ୍ଟା ପରେ, ଅର୍ଥାତ୍ କାଲି ଅଣତିରିଶ ତାରିଖ ରାତି ବାରଟା ବେଳକୁ ଏହାର ବିଷ୍ଫୋରଣ ହେବ। ଏହାର ବିଷ୍ଫୋରଣ ହେବ ତଳକୁ । ମାତ୍ର ପଲକ ମଧ୍ୟରେ ଏ ପାହାଡ଼କୁ ଗୋଟାଏ ପାଉଁଶ ଗଦାରେ ପରିଣତ କରିବାର କ୍ଷମତା ଅଛି ୟା'ର । ଏଠିକା କାମ ଶେଷ ହୋଇଛି । ଆ, ତେଣେ ଅତିଥିମାନଙ୍କ ପାଇଁ ବ୍ୟବସ୍ଥା କରିବା ଦାର୍ଜିଲିଂରେ । ବିଳମ୍ବର ପ୍ରୟୋଜନ ନାହିଁ ।''

 

ଦୁହେଁ ଓହ୍ଲାଇଲେ ତଳକୁ ।

 

ବେବି ହେଲିକପ୍‍ଟର ରଖାଯାଇଥିଲା ପୂର୍ବପରି ।

 

ପୂର୍ବ ଆକାଶରେ ସିନ୍ଦୁରା ଫାଟିଆସୁଥିଲା ।

 

ଦୀପକ ଆଉ ରୂପକ ଦୁହେଁ ଆସନ ଗ୍ରହଣ କଲା ମାତ୍ରେ ନିଃଶବ୍ଦରେ ହେଲିକପ୍‍ଟର ଉଠିଲା ଉପରକୁ ।

 

–ଚଉଦ–

 

ଦାର୍ଜିଲିଂ ବିମାନଘାଟି ।

 

କିଛି କାରଣ ନ ଜଣାଇ ଆଜି ସକାଳୁ ହଠାତ୍ ଏହାକୁ ଜରୁରୀ ଆଦେଶ ଦ୍ୱାରା ଅଟକ ଅଞ୍ଚଳ ବୋଲି ଘୋଷଣା କରାଯାଇଛି ।

 

ଆଜି ଡିସେମ୍ବର ଅଣତିରିଶ ତାରିଖ ।

 

କଡ଼ା ନିରାପତ୍ତା ବ୍ୟବସ୍ଥାକୁ ଭାଙ୍ଗି ସାଧାରଣ ଯାନବାହାନ ଆଖପାଖରେ ରାସ୍ତାରେ ବଡ଼ କଡ଼ା କଟକଣା ଦ୍ୱାରା ଅଟକାଇ ଦିଆ ଯାଇଥିଲା । ପଚାରିବାର ଉପାୟ ନାହିଁ କାରଣଟା । କାହାରିକୁ ପଚାରିଲେ ବି ସଠିକ ଉତ୍ତର ଦେଇପାରୁଛି କିଏ? କେବଳ ବିଶେଷ ପରିଚୟ ପତ୍ର ଦେଇପାରୁଥିବା ସାମରିକ ଗାଡ଼ି ଗୁଡ଼ିକ ଯାଇପାରୁଥିଲା ସେ ଅଞ୍ଚଳକୁ ।

 

ବିମାନଘାଟିରେ ଉପସ୍ଥିତ ଥିଲେ ସ୍ଵୟଂ ମେଜର ରାୟ ଚୌଧୁରୀ । ତାଙ୍କ ପାଖେ ପାଖେ ଆଉ କେତେଜଣ ଅଫିସର ରହି ଆଦେଶର ଅପେକ୍ଷାରେ ଥିଲେ ।

 

ଏତିକିବେଳେ ଜଣେ ଅଫିସର ଆସି ସାଲ୍ୟୁଟ୍ ଦେଇ ସେହି ସଙ୍ଗେ ସଙ୍ଗେ ଓୟାରଲେସ୍ ରେ ଆସିଥିବା ଗୋଟିଏ ବାର୍ତ୍ତାଆଣି ଦେଇଗଲେ ତାଙ୍କୁ । ଖବରଟା ସେ ପଢ଼ିଦେଇ କହିଲେ—''ଠିକ୍ ଅଛି । ଓୟାରଲେସ୍ କନେକ୍ ଟ କରି ଜଣାଇଦିଅ ମୁଁ ଏଇଠି ଅଛି ବୋଲି ।''

 

ଅଫିସର ଜଣକ ସାଲ୍ୟୁଟ୍ ଦେଇ ଫେରିଗଲେ ପୁଣି ଅଫିସକୁ । ଅଳ୍ପ ସମୟ ପରେ ଆକାଶରେ ଦେଖାଗଲା ଗୋଟାଏ ହେଲିକପ୍‍ଟର । ମେଜର ରାୟ ଚୌଧୁରୀ ଆନନ୍ଦିତ ହୋଇ ନିଜେ ସିଗ୍‍ନାଲ ଦେବାକୁ ଲାଗିଲେ । ତୀବ୍ରଗତିରେ ହେଲିକପ୍‍ଟରଟା ଖସି ଆସି ଲାଣ୍ଡିଂ କଲା ରନ୍ ୱେ ଉପରେ । ମେଜର ରାୟ ଚୌଧୁରୀ ଧାଇଁଗଲେ ହେଲିକପ୍‍ଟର ନିକଟକୁ । ସେତେବେଳକୁ ଦୀପକ ଏବଂ ରୂପକ ଦୁହେଁ ତଳକୁ ଓହ୍ଲାଇ ସାରିଥିଲେ ।

 

ବିମାନଘାଟିରେ ଉପସ୍ଥିତ ଥିବା ଅଫିସର ଏବଂ ବିମାନବାହିନୀର କର୍ମଚାରୀମାନେ ଏ ବିଚିତ୍ର ହେଲିକପ୍ ଟର ଦେଖି ଯେତିକି ଆଶ୍ଚର୍ଯ୍ୟ ହେଉଥିଲେ, ତା'ଠାରୁ ବେଶି ଆଶ୍ଚର୍ଯ୍ୟ ହେଉଥିଲେ ଏହାର ତୀବ୍ରଗତି ଏବଂ ଓହ୍ଲାଇବାର ସହଜ ପ୍ରଣାଳୀ ଦେଖି।

 

ମେଜର ରାୟ ଚୌଧୁରୀ ସଫଳତା କାମନା କରି ଦୃଢ଼ଭାବରେ କରମର୍ଦ୍ଧନ କଲେ ଦୀପକ ସହିତ ।

 

''ୟେ ମୋର ଭାଇ ଏବଂ ସହକାରୀ, ଯେ କି ବର୍ଡ଼ରରୁ ମୋତେ ସମ୍ବାଦ ଦେଉଥିଲା ।'' ଦୀପକ ଚିହ୍ନାଇ ଦେଲା ରୂପକକୁ ।

 

ମେଜର କରମର୍ଦ୍ଦନ କଲେ ତାହା ସହିତ ।

 

—''ଏଠିକା ବ୍ୟବସ୍ଥା ସବୁ ରେଡ଼ି, ମିଷ୍ଟର ସାହା !'' ମେଜର ସାହେବ ହସ ହସ ହୋଇ ଉତ୍ତର ଦେଲେ ।

 

''ମୁଁ ମଧ୍ୟ ସବୁ ଠିକ୍ କରି ଦେଇ ଆସିଛି ।'' ଦୀପକ ଉତ୍ତର ଦେଲା ।

 

ଉତ୍ତରଟା ବୋଧହୁଏ ବିଶ୍ୱାସ ହେଲାନାହିଁ ତାଙ୍କର । ସେ ପୁଣି ଥରେ ବିଷୟଟା ବିସ୍ତୃତଭାବରେ ଜାଣିବା ପାଇଁ ଚେଷ୍ଟାକରି ପଚାରିଦେଲେ—

 

''ହଁ, କ’ଣ ବ୍ୟବସ୍ଥା କରିଛନ୍ତି ଆପଣ ?''

 

''ମୋର ବ୍ୟବସ୍ଥା ସମ୍ପୂର୍ଣ୍ଣ ମୂଳୋତ୍ପାଟନ ବ୍ୟବସ୍ଥା । ଆପଣ ଆଜି ରାତି ଠିକ୍ ବାରଟାବେଳେ ଦେଖିବେ ଉତ୍ତର ପଶ୍ଚିମ କୋଣରେ ଖୁବ୍ ଉଜ୍ଜ୍ଵଳଭାବରେ ଥରେ ବିଜୁଳି ମାରିଦେବ-। ପୁଣି ସକାଳକୁ ଶୁଣିବେ ସେଇଠି ମାଇଲିକ ଭିତରେ ସବୁ କିଛି ପାଉଁଶଗଦା ହୋଇଯାଇଛି-। ଯଦି ଯିବେ, ତେବେ ଦେଖିବେ ପାଉଁଶ ଗଦା, ବିରାଟ କାରଖାନାର ଭଙ୍ଗା ଯନ୍ତ୍ରାଂଶ ଇତଃସ୍ତତଃ ବିକ୍ଷିପ୍ତଭାବରେ ପଡ଼ିଥିବ । ଆପଣ ମୋତେ କ’ଣ ଦେଖାଇ ପାରିବେ, କହନ୍ତୁ ଭଲା-!''

 

ଦୀପକର କଥା ଶୁଣି ମେଜର ରାୟ ଚୌଧୁରୀଙ୍କ ଭ୍ରୂଲତା ଦୁଇଟା କପାଳ ଉପରକୁ ଉଠିଯାଇଥିଲା । ସେ ଭାବୁଥିଲେ—''କେଡ଼େ ମାରାତ୍ମକ ବୈଜ୍ଞାନିକ ଏ ଡକ୍ ଟର ସାହା !''

 

ପରକ୍ଷଣରେ ସେ ପ୍ରକୃତିସ୍ଥ ହୋଇ କହିଲେ—''ପାକ୍ ଗୁପ୍ତଚର ବାହିନୀକୁ ବହନ କରି ଆଣିଥିବା ଜେଟ୍ ଗୁଡ଼ିକ ପାଇଁ ଆମର ଶକ୍ତିଶାଳୀ ଆଣ୍ଟି ଏୟାର କ୍ରାଫ୍ ଟ୍ ମେସିନ୍ ଗନ୍ ସବୁ ଦୀର୍ଘଗ୍ରୀବା ଉନ୍ନତ କରି ତୃଷିତ ନୟନରେ ଚାହିଁଛନ୍ତି । ସେମାନଙ୍କର ଅବ୍ୟର୍ଥ ଲକ୍ଷ୍ୟରୁ କେହି ଖସି ଯାଇପାରିବେ ନାହିଁ । ଠିକ୍ ସୀମାନ୍ତରେ ଖଣ୍ଡ ଖଣ୍ଡ କରି ଖସାଇ ଦିଆଯିବ ସମସ୍ତଙ୍କ । ତା'ଛଡ଼ା ଠିକ୍ ସେହି ବାରଟାରେ ପୁରା ଦଳ ଆଉ ତା'ର ଶାଖାର ସବୁ ସଭ୍ୟଙ୍କୁ ଗିରଫ୍ କରିନେବାର ବ୍ୟବସ୍ଥା ମଧ୍ୟ ରହିଛି ।'' ଏଇସବୁ ବ୍ୟବସ୍ଥା କଥା କହି ରାୟ ଚୌଧୁରୀ ଆତ୍ମପ୍ରସାଦ ଲାଭ କରୁଥିଲେ ମନେ ମନେ, ଯଥେଷ୍ଟ ବ୍ୟବସ୍ଥା କରିପାରିଛନ୍ତି ବୋଲି ।

 

''ଆଚ୍ଛା, ମିଷ୍ଟର ରାୟ ଚୌଧୁରୀ ! ଜେଟ୍‍ଗୁଡ଼ା ଯଦି ଆମର ଆଣ୍ଟି ଏୟାର କ୍ରାଫ୍‍ଟ୍ ଗନ୍‍ର ରେଞ୍ଜ୍ ବାହାରେ ଆସେ?'' ଦୀପକ ହଠାତ୍ ପ୍ରଶ୍ନ କଲା ।

 

''ତେବେ... ?'' ହଠାତ୍ ଉତ୍ତର ପଇଟିଲା ନାହିଁ ମେଜର ସାହେବଙ୍କ ପାଟିରେ । ଟିକିଏ ପରେ ଭାବିଚିନ୍ତି ଉତ୍ତର ଦେଲେ, ''ଆମର ଏୟାର ଫୋର୍ସକୁ ଲଗାଇଦେବା ।

 

''ନା, ଆପଣଙ୍କର ପ୍ଲେନ୍ ଷ୍ଟାର୍ଟ ହେଉ, ସେମାନେ ଫେରିପଡ଼ିଥିବେ । ସୀମାନ୍ତ ବେଶି ଦୂର ନୁହେଁ । ଗୋଟାଏ ମିନିଟ୍ ବ୍ୟବଧାନ ଯଥେଷ୍ଟ । ସେମାନଙ୍କ ପାଇଁ ସୁନିଶ୍ଚିତ ବ୍ୟବସ୍ଥା ଆବଶ୍ୟକ । ଆସନ୍ତୁ ଦେଖିବେ, ମୁଁ ତା'ର ବ୍ୟବସ୍ଥା କରିଛି ।''

 

ଦୀପକ ମେଜର ରାୟ ଚୌଧୁରୀଙ୍କ ହାତ ଧରି ନେଇଗଲା ହେଲିକପ୍‍ଟର ନିକଟକୁ । ହେଲିକପ୍‍ଟର ଭିତରେ ଥିଲା ଗୋଟାଏ ଛୋଟ କ୍ୟାସ ବାକ୍‍ସ ପରି ବାକ୍‍ସ । ତା' ଉପରେ ପାଞ୍ଚଟି ଫୁଟିକିଆ ସରୁ ନଳି ଦେଖାଯାଉଥିଲା ଉପରକୁ । ବାକ୍‍ସ ଭିତରେ କ’ଣ ଥିଲା କେଜାଣି, ଉପରକୁ ଖାଲି କେତେଗୁଡ଼ିଏ ମିଟର ଦେଖାଯାଉଥିଲା ।

 

ଦୀପକ ସେଇ ବାକ୍‍ସଟା ଆଣି ମେଜର ରାୟ ଚୌଧୁରୀଙ୍କୁ ଦେଖାଇ କହିଲା–''ଏଇଟା ହେଲା ମୋ ଦ୍ୱାରା ଆବିଷ୍କୃତ ଏବଂ ନିର୍ମିତ ଆଣ୍ଟି-ଏୟାର ମାଗନେଟିକ ଗନ୍-। ୟା'ର ଗୁଳିଗୁଡ଼ିକ ଗୋଟାଏ ଗୋଟାଏ ଇଞ୍ଚିକିଆ ବଲ୍ ପରି । ଥରକେ ଏଇ ପାଞ୍ଚଟି ପାଇପରୁ ପାଞ୍ଚଟି ଗୁଳି ଫାୟାର୍ କରାଯାଇପାରେ । କେବଳ ଗତି ଓ ଦୂରତା ହିସାବ କରି ଏହାକୁ ଫାୟାର କଲେ ଯେତେ ଗତିଶୀଳ ଏବଂ ଉଚ୍ଚଗାମୀ ହେଉ ପଛେ ଜେଟ୍ ବିମାନ ଏହାକୁ ଚୁମ୍ବକ ପରି ଟାଣିନେବ । ଜେଟ୍ ଦେହରେ ଏହା ବାଜିଲାମାତ୍ରେ ପ୍ରଚଣ୍ଡ ବିଷ୍ଫୋରଣ ଘଟାଇବ, ଯାହାଫଳରେ—ତେଣିକି ଆପଣ ଅନୁମାନ କରୁଥିବେ ।''

 

ମେଜର ରାୟ ଚୌଧୁରୀ ବାକସଟିକୁ ହାତରେ ଧରି ଏପଟ ସେପଟ କରୁ କରୁ ଆଶ୍ଚର୍ଯ୍ୟ ହୋଇଯାଉଥିଲେ । ସେ ବହୁ ସମୟ ଧରି ସେଟା ପରୀକ୍ଷା କଲା ପରେ କହିଲେ–‘‘ବାସ୍ତବିକ ମିଷ୍ଟର ସାହା, ଆପଣଙ୍କ ପରି ବୈଜ୍ଞାନିକଙ୍କ ନିକଟରେ ଖାଲି ମୁଁ ନୁହେଁ, ମୋ ଦେଶ ମଧ୍ୟ ଋଣୀ । ଆପଣଙ୍କର ଏ ଦାନ ମହତ୍ ।’’

 

ଛଦ୍ମବେଶଧାରୀ ବୈଜ୍ଞାନିକ ଡକ୍‍ଟର ସାହା ଖାଲି ହସିଲେ ଟିକେ ।

 

''ଆଚ୍ଛା, ଚାଲନ୍ତୁ ଏଥର ଯିବା ଆପଣ କେଉଁଠି ଆଣ୍ଟି ଏୟାର କ୍ରାଫ୍‍ଟ୍ ଗନ୍ ଖଞ୍ଜିଛନ୍ତି ।''

 

‘‘ମେଜର ରାୟ ଚୌଧୁରୀ ଆଗେଇଗଲେ ।’’

 

X X X

 

ଅଣତିରିଶ ଡିସେମ୍ବର ।

 

ରାତି ଏଗାରଟା ପଚାଶ ।

 

ଆଉ ଦଶ ମିନିଟ୍ ।

 

ମେଜର ରାୟ ଚୌଧୁରୀଙ୍କ ହୃତ୍‍ପିଣ୍ଡ ବେଳକୁ ବେଳ ସ୍ପନ୍ଦିତ ହୋଇଉଠୁଥିଲା ଅଧିକ ବେଗରେ । ତାଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରି ରହିଥିଲେ ପଦାତିକ ବାହିନୀର କେତେଜଣ ଗନର୍ ଆଣ୍ଟି ଏୟାର୍ କ୍ରାଫ୍‍ଟ୍ ଗନ୍ ଧରି । ପାଖରେ ଦୀପକ ଏବଂ ରୂପକ ଅପେକ୍ଷା କରିଥିଲେ ଆଣ୍ଟି ଏୟାର୍ ମାଗନେଟିକ୍ ଗନ୍ ଧରି ।

 

ଆଉ ପାଞ୍ଚ ମିନିଟ୍ ।

 

ସୀମାନ୍ତ ବାହାରକୁ ଦୃଷ୍ଟି ନିବଦ୍ଧ ଥିଲା ସମସ୍ତଙ୍କର । ମେଜର ରାୟ ଚୌଧୁରୀ ବିମାନଘାଟିରେ ବିମାନବାହିନୀକୁ ସତର୍କ କରାଇ ବେଳେବେଳେ ଓୟାରଲେସରେ ନିର୍ଦ୍ଦେଶ ଦେଉଥିଲେ । ତାଙ୍କର ସମଗ୍ର ଶରୀରରେ ଅପୂର୍ବ ଉତ୍ତେଜନା ଖେଳୁଥିଲା ।

 

ସୀମାନ୍ତ ବାହାରେ ଚାରିଟି ଚଳମାନ ଆଲୋକ ଦେଖାଗଲା । ମେଜର ରାୟ ଚୌଧୁରୀ ରାଡ଼ାର୍ ଦେଖିଲେ—ଏୟାର୍ କ୍ରାଫଟ୍ ଗନର ରେଞ୍ଜ୍ ଭିତରେ ହେଲେ ସୁଦ୍ଧା ବହୁତ ଉଚ୍ଚରେ । ତେଣୁ ଫାୟାରିଂ ବିଶେଷ ଫଳବତୀ ହେବାର ଆଶା ନାହିଁ ।

 

ନୈରାଶ୍ୟରେ କପାଳରୁ ଟୋପି ଟୋପି ଝାଳ ବହିପଡ଼ିଲା ତାଙ୍କର ।

 

ପାଖରେ ଡକ୍ଟର ସାହା ଏବଂ ତାଙ୍କର ସହକାରୀ ମାଗ୍ନେଟିକ୍ ଗନ୍‍ର ମିଟର ଦେଖୁଥିଲେ-

 

ଆକାଶରେ ଚଳମାନ ଆଲୋକ ଚାରୋଟି ଭାରତୀୟ ଇଲାକା ଭିତରକୁ ଅଳ୍ପ ପଶିଆସିଥିଲା ।

 

ଠିକ୍ ବାରଟା.......

 

ଆଣ୍ଟି ଏୟାର୍ ମାଗ୍ନେଟିକ୍ ଗନ୍‍ରୁ ବିଜୁଳି ପରି ଚାରୋଟି ଆଲୋକପିଣ୍ଡ ବାହାରିଗଲା ଆକାଶର ଚାରୋଟି ଚଳମାନ ଆଲୋକକୁ ଲକ୍ଷ୍ୟ କରି ।

 

ଠିକ୍ ସେତିକିବେଳେ ଉତ୍ତର–ପଶ୍ଚିମ କୋଣରେ ଏତେ ବେଗରେ ବିଜୁଳି ଝଲସିଲା ପରି ଆଲୋକ ଝଲସିଉଠିଲା ଯେ,ଏତେ ଦୂରରେ ସୁଦ୍ଧା ସାମାନ୍ୟ ଆଲୋକିତ ହୋଇଉଠିଲା ବନଭୂମି ।

 

ଆକାଶରେ ଚଳମାନ ଆଲୋକ ଚାରୋଟି ଆଉ ଟିକିଏ ଆଗେଇ ଆସିଥିଲେ । ତଳୁ ଯାଉଥିବା ଆଲୋକ ଚାରୋଟି ସେହି ଦିଗକୁ ଲକ୍ଷ୍ୟ କରି ଉଲ୍‍କା ପରି ଧାଇଁଥିଲା ।

 

ଆଉ ଅଳ୍ପ ବାକି ।

 

ମିଶିଗଲା ପରି ।

 

କ’ଣ ଘଟିବ ତାହାହିଁ ଦେଖିବାପାଇଁ ସମସ୍ତେ ଉଦ୍‍ଗ୍ରୀବ । ଏଇ ମିଳିତ ହୋଇଗଲା ।

 

ଚାରିଟି ପ୍ରଚଣ୍ଡ ବିଷ୍ଫୋରଣ, ଚାରିଟି ଅଗ୍ନିର ଝଲକ; କିନ୍ତୁ ଗୋଟିଏ ଶବ୍ଦ । ତା' ପରେ ପରେ ଜ୍ଵଳମାନ ବିମାନର ଖଣ୍ଡ ଖଣ୍ଡ ଜ୍ଵଳନ୍ତ ଅଂଶ ଖସି ପଡ଼ୁଥିଲା ତଳକୁ ଦୁଇବାଣରୁ ନିଆଁ ଝରିବା ପରି ।

 

ମେଜର ରାୟ ଚୌଧୁରୀ କୁଣ୍ଢାଇ ପକାଇଲେ ଡକ୍‍ଟର ସାହା ଆଉ ତାଙ୍କର ସହକାରୀଙ୍କୁ ।

 

X X X

 

ସକାଳ ହୋଇଯାଇଛି ।

 

ବିଜୟଗର୍ବରେ ଉଲ୍ଲସିତ ହୋଇ ସମସ୍ତେ ଫେରି ଆସିଛନ୍ତି ହେଡ୍‍କ୍ୱାଟରକୁ । ଗୁପ୍ତଚର ଦଳକୁ ସମସ୍ତେ ଧରାପଡ଼ିଛନ୍ତି। ବିମାନ ଦୁର୍ଘଟଣାରେ ଆହତ ସମସ୍ତଙ୍କୁ ବନ୍ଦୀ କରାଯାଇଛି । ରାତାରାତି ସବୁଆଡ଼କୁ ଏ ବିଜୟ ସମ୍ବାଦ ସହ ଜଣାଇ ଦିଆଯାଇଛି ବୈଜ୍ଞାନିକ ଡକ୍‍ଟର ସାହାଙ୍କର ଅପୂର୍ବ କୃତିତ୍ୱ ବିଷୟ । ସକାଳ ହେଲାବେଳକୁ ଶହ ଶହ ଅଭିନନ୍ଦନ ।

 

ରାୟ ଚୌଧୁରୀ ପ୍ରଥମେ ଆନୁଷ୍ଠାନିକ ଭାବରେ ଅଭିନନ୍ଦନ ସଭାରେ ଯୋଗ ଦେବାପାଇଁ ଡକ୍‍ଟର ସାହା ଓ ତାଙ୍କର ସହକାରୀଙ୍କୁ ନିମନ୍ତ୍ରଣ ଜଣାଇବାପାଇଁ ଉପସ୍ଥିତ ହେଲେ ତାଙ୍କ ବାସଭବନରେ । ଗାଡ଼ି ଫାଟକ ନିକଟରେ ବ୍ରେକ୍ କଲାକ୍ଷଣି ଦରୱାନ୍ ସାଲ୍ୟୁଟ୍ ଦେଇ ଖଣ୍ଡିଏ ମୁଦା ଲଫାଫା ଦେଇଗଲା ତାଙ୍କ ହାତରେ । ଗାଡ଼ିରୁ ନ ଓହ୍ଲାଇ ମେଜର ରାୟ ଚୌଧୁରୀ ଖୋଲି ପକାଇଲେ ସେ'ଟା । ଚିଠିରେ ଲେଖାଅଛି—''ଜୟହିନ୍ଦ୍ ମିଷ୍ଟର ରାୟ ଚୌଧୁରୀ !''

 

ମୁଁ ଦସ୍ୟୁ ଦୀପକ ନାମରେ ସାରା ପୃଥିବୀରେ ପରିଚିତ । ତେବେ ମାତୃଭୂମିର ସ୍ୱାଧୀନତା ଦିଗରେ ମୋର କର୍ତ୍ତବ୍ୟ କରିବା ପାଇଁ ଛଦ୍ମବେଶୀ ବୈଜ୍ଞାନିକ ସାଜିଥିଲି । ମୋର ଆବିଷ୍କାର ସବୁ ଅଛି ଏଇ ଘରେ । ସେସବୁ ଏବଂ ମୋର ସକଳ ସମ୍ପତ୍ତି ଦେଶରକ୍ଷା ପାଣ୍ଠିର ।

 

ପୁଣି କେବେ ସାକ୍ଷାତ ହେବ ଜାଣେ ନା, ମୋତେ ଖୋଜିବାରେ ଅନର୍ଥକ ଶକ୍ତି ବ୍ୟୟ କରିବେ ନାହିଁ । ଜୟହିନ୍ଦ ।

 

ବୈଜ୍ଞାନିକ ଦୀପକ ଓ ରୂପକ

 

ମେଜର ରାୟ ଚୌଧୁରୀ କାଠ ପାଲଟିଯାଇଥିଲେ ବାସ ହାତରୁ ଚିଠିଖଣ୍ଡି ଖସି ପଡ଼ିଥିଲା କେତେବେଳରୁ । ସେ ଚାହିଁଥିଲେ ଶୂନ୍ୟଦୃଷ୍ଟିରେ ଆଗକୁ ।

Image